ଦଶ ଟଙ୍କାର ଦୁର୍ଦ୍ଦଶା ! ବଲାଙ୍ଗିର ପରେ ଭୁବନେଶ୍ୱରରେ ହନ୍ତସନ୍ତ ଗ୍ରାହକ

30

କନକ ବ୍ୟୁରୋ : ଆପଣ ନିଜ ପାଖରେ ୧୦ ଟଙ୍କିଆ କଏନ୍ ରଖିଛନ୍ତି କି? ତେବେ ଟଙ୍କା ଖର୍ଚ୍ଚ କରିବା ପାଇଁ ଆପଣଙ୍କୁ ନାକେଦମ୍ ହେବାକୁ ପଡିପାରେ । କାରଣ ବଜାରରେ ଜାଲ୍ ୧୦ ଟଙ୍କିଆ କଏନକୁ ନେଇ ଚାଲିଛି ଗୁଜବ । ଏପରିକି ବ୍ୟାଙ୍କ କର୍ତ୍ତୃପକ୍ଷ ମଧ୍ୟ ୧୦ ଟଙ୍କିଆ କଏନ୍ ନେବାକୁ ମନା କରି ଦେଉଥିବା କଥା ସାମ୍ନାକୁ ଆସିଛି । ବଲାଙ୍ଗିର ପରେ ଭୁବନେଶ୍ୱରରେ ଏବେ ଏଭଳି ଘଟଣା ଘଟିଛି ।

vlcsnap-2017-01-19-19h07m11s140ଇନଫୋସିଟି ଅଂଚଳର ପାନଦୋକାନୀ ସୁକାନ୍ତ ସାହୁ । ସ୍ୱପ୍ନ ଥିଲା ଏହି ସ୍ୱଳ୍ପ ରୋଜଗାର ଭିତରେ ମୋଟର ସାଇକେଲ୍ କିଣିବେ । ତେଣୁ ଗଲା କିଛି ବର୍ଷ ହେଲା ଏ ଛୋଟିଆ ରୋଜଗାରରୁ କିଛି ବଂଚାଇ ସଂଚୟ ଆରମ୍ଭ କରିଥିଲେ । ପ୍ରତିଦିନ କିଛି କିଛି ୧୦ଟଙ୍କିଆ କଏନ୍ ରଖୁଥିଲେ । ଆଉ ଏବେ ୧୦ହଜାର ଟଙ୍କାର ୧୦ଟଙ୍କିଆ କଏନ୍ ଧରି ସେ ବାହାରିଛନ୍ତି ଏକ ମୋଟର୍ ସାଇକେଲ୍ କିଣିବାକୁ । ପ୍ରଥମେ ପହଂଚିଥିଲେ ପଟିଆସ୍ଥିତ ଏକ ବାଇକ୍ ଶୋ ରୁମରେ ।

ତେବେ କଏନ୍ ଶୋ ରୁମ୍ କର୍ତ୍ତୃପକ୍ଷ କହିଥିଲେ ବଜାର ନୁହେଁ ବ୍ୟାଙ୍କରେ ଡିପୋଜିଟ୍ କର ୧୦ଟଙ୍କିଆ କଏନ୍ । ଶୋ ରୁମ୍ କର୍ତ୍ତୃପକ୍ଷଙ୍କ କଥା ଶୁଣି ବ୍ୟାଙ୍କରେ ପହଂଚିଥିଲେ ସୁକାନ୍ତ । ପ୍ରଥମେ ଆଡିବିଆଇ, ପରେ ଏସବିଆଇ ଓ ପରେ ପହଂଚିଥିଲେ ପଟିଆସ୍ଥିତ ଯୁନିୟନ୍ ବ୍ୟାଙ୍କରେ । ହେଲେ ବ୍ୟାଙ୍କ୍ କର୍ତ୍ତୃପକ୍ଷ କହିଥିଲେ ଏଠି ଡିପୋଜିଟ୍ ନିଆଯିବନି ବଜାରରେ ଖର୍ଚ୍ଚ କର ।

ଗୁଜବର ଚକ୍ରବ୍ୟୁହରେ ୧୦ଟଙ୍କିଆ ଜାଲ୍ କଏନ୍ । ଆଉ ଏହାର ପ୍ରଭାବରେ ଖୁଚୁରା ବଜାରରେ ବି ୧୦ଟଙ୍କିଆ କଏନକୁ ଗ୍ରହଣ ନକରିବା ଲୋକଙ୍କୁ ଆହୁରି ବ୍ୟସ୍ତ କରୁଛି ।

କିଛି ଦିନ ତଳେ ବଲାଙ୍ଗିରରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଥିଲା । ବାଦବିବାଦ ପରେ ବ୍ୟାଙ୍କ୍ କର୍ତ୍ତୃପକ୍ଷ ୧୦ଟଙ୍କିଆ କଏନ୍ ଗ୍ରହଣ କରିଥିଲେ । ଆଉ ଏବେ ସମାନ ପରିସ୍ଥିତି ଭୁବନେଶ୍ୱରରେ ।