ସଡକ ଦୁର୍ଘଟଣାର ସାଂଘାତିକ ରୂପ ! ୬ ମାସରେ ରାଜ୍ୟରେ ଏତିକି ମୃତ

85

କନକ ବ୍ୟୁରୋ: ସଡକ ଦୁର୍ଘଟଣା ନେଇ କେନ୍ଦ୍ର ଓ ରାଜ୍ୟ ସରକାର ଆପଣାଉଛନ୍ତି ଅନେକ ଜନ ସଚେତନତା ଭିତିକ କାର୍ଯ୍ୟକ୍ରମ । ହେଲେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ସଡକ ଦୁର୍ଘଟଣାରେ ମୃତ୍ୟୁହାରଙ୍କ ସଂଖ୍ୟା । ଓଡିଶାରେ ଫେଲ ମାରିଛି ଏହି ସଚେତନତା କାର୍ଯ୍ୟକ୍ରମ ବୋଲି ସୂଚନା ମିଳିଛି । ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ୨୦୧୮ ବର୍ଷର ପ୍ରଥମ ୬ ମାସରେ ଓଡିଶାରେ ସଡକ ଦୁର୍ଘଟଣାରେ ମୃତ୍ୟ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । କାମ ଦେଉନି ଜାତୀୟ ରାଜପଥରେ ଲାଗିଥିବା କୌଣସି ସର୍ତକ ସଙ୍କେତ । ଯେଉଁଥି ପାଇଁ ସଡକ ଦୁର୍ଘଟଣା ମୃତ୍ୟୁ ହାର ବୃଦ୍ଧି ହେଉଛି ।

ସୂଚନା ମୁତାବକ ଓଡିଶାରେ ୨୦୧୮ ପ୍ରଥମ ୬ ମାସ ମଧ୍ୟରେ ୨ ହଜାର ୬୭୨ ଜଣଙ୍କ ମୃତ୍ୟୁ ହୋଇଛି । ଯାହାକି ଗତ ବର୍ଷ ତୁଳନାରେ ଯଥେଷ୍ଟ ଅଧିକ । ୨୦୧୭ ମସିହାରେ ସଡକ ଦୁର୍ଘଟଣାରେ ୨ହଜାର ୪୯୭ ଜଣଙ୍କର ମୃତ୍ୟୁ ହୋଇଥିଲା । ସେହିପରି ଗତବର୍ଷ ରାଜ୍ୟରେ ମୋଟ୍ ୪ ହଜାର ୭୯୦ ଜଣ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ଯାହାକି ୨୦୧୬ ବର୍ଷ ତୁଳନାରେ ଅଧିକ ଥିଲା । କିନ୍ତୁ ଚଳିତ ବର୍ଷର ୬ ମାସ ମଧ୍ୟରେ ୨ ହଜାରରୁ ଉଦ୍ଧ୍ୱର୍ ଲୋକଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଯାହାକୁ ନେଇ ଏବେ ଚିନ୍ତାରେ ରାଜ୍ୟ ସରକାର । ପରିବହନ ବିଭାଗର ଏକ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ ୨୦୧୬ ବର୍ଷ ତୁଳନାରେ ୨୦୧୭ ବର୍ଷରେ ସଡକ ଦୁର୍ଘଟଣାରେ ମୃତ୍ୟୁହାର ସଂଖ୍ୟା ହ୍ରାସ ହୋଇଛି । ୨୦୧୬ରେ ୧ଲକ୍ଷ ୫୦ ହଜାର ୯୩୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଗତ ବର୍ଷ ଏହା ୧ଲକ୍ଷ ୪୬ ହଜାର ୩୭୭ ହୋଇଛି । ଦେଶରେ ମାତ୍ର ୩ ପ୍ରତିଶତ ସଡକ ଦୁର୍ଘଟଣା ମୃତ୍ୟୁ ସଂଖ୍ୟା ହ୍ରାସ ହୋଇଥିବାବେଳେ ଓଡିଶାରେ କିନ୍ତୁ ବୃଦ୍ଧି ହେବାରେ ଲାଗିଛି ।

road accidentଏହାର ପଛର କାରଣ ହେଉଛି ଯେ, ଲୋକମାନେ ସଡକ ଦୁର୍ଘଟଣା ନେଇ ସଚେତନ ହେଉ ନାହାଁନ୍ତି । ଅନେକ ସମୟରେ ସଡକ ଦୁର୍ଘଟଣାର କାରଣ ଦ୍ରୁତ ଗତି ଏବଂ ମଦ୍ୟପାନ କରି ଗାଡି ଚଳାଇବା ଯୋଗୁଁ ହେଉଛି ବୋଲି କହିଛନ୍ତି ପରିବହନ ବିଭାଗର ବରିଷ୍ଠ ଅଧିକାରୀ । ରାଜ୍ୟରେ ଅନେକ ସ୍ଥାନକୁ ବ୍ଲାକ୍ ସ୍ପଟ୍ ବା ଦୁର୍ଘଟଣାର ବିପଦ ସଙ୍କୁଳ ସ୍ଥାନ ଭାବେ ଚିହ୍ନଟ କରାଯାଇଛି । କିନ୍ତୁ ସେଠାରେ ସଠିକ୍ ଭାବେ ସଡକ ସୁରକ୍ଷା ଓ ସଚେତନତାକୁ ନେଇ ଲୋକମାନେ ପ୍ରଭାବିତ ହେଉ ନାହାଁନ୍ତି ।

ଅନ୍ୟପଟେ ଅନେକ ବାଇକ ଓ କାର୍ ଆରୋହୀ ବିପଦପୂର୍ଣ୍ଣ କାରନାମା ଜାତୀୟ ରାଜପଥରେ ଦେଖାଉଥିବା କାରଣରୁ ମଧ୍ୟ ମୃତ୍ୟୁ ହେଉଛି । ଏହାସହ ସେମାନଙ୍କ ଭୁଲ ଯୋଗୁଁ ଅନ୍ୟ ଲୋକମାନଙ୍କର ଅକାରଣେ ମୃତ୍ୟୁ ଘଟୁଛି । ତେବେ ଚଳିତ ବର୍ଷ ରାଜ୍ୟରେ ହୋଇଥିବା ଅଢ଼େଇ ହାଜରରୁ ଉଦ୍ଧ୍ୱର୍ ଦୁର୍ଘଟଣାର ୭୦ ପ୍ରତିଶତ ଘଟଣା ଜାତୀୟ ରାଜପଥରେ ହିଁ ହୋଇଛି । ଏହାକୁ ରୋକିବା ପାଇଁ ରାଜ୍ୟ ପୋଲିସ ପ୍ରଶାସନ ଗୃହ ବିଭାଗକୁ ଜାତୀୟ ରାଜପଥ ଉପରେ ପାଟ୍ରୋଲିଂ କରିବା ପାଇଁ ପଦକ୍ଷେପ ନେବାକୁ ପ୍ରସ୍ତାବ ଦେଇଥିଲେ । ଏହି ଯୋଜନାରେ ଜଲେଶ୍ୱର- ଇଚ୍ଛାପୁର, ଭୁବନେଶ୍ୱର-ପୁରୀ, ସମ୍ବଲପୁର-ସୋହେଲା, ମଙ୍ଗୁଳୀ-ସମ୍ବଲପୁର ଏବଂ ସମ୍ବଲପୁର –ରାଉରକେଲା ପ୍ରମୂଖ ରୁଟରେ ପାଟ୍ରୋଲିଂ କରିବ ପୋଲିସ । ଏବଂ ସେହି ପାଟ୍ରୋଲିଂ ୟୁନିଟକୁ ସ୍ପିଡ୍ ର୍ୟାଡାରର୍ସ ଏବଂ ଆଲକହଲ ପରୀକ୍ଷଣ ମେସିନ୍ ପ୍ରଦାନ କରାଯିବ । ଯହାଦ୍ୱାରା ଗାଡି ଚାଳକମାନେ ସତର୍କ ରହିବେ । ଏବଂ ଦ୍ରୁତ ଗତିରେ ଗାଡି ଚଳାଇବାକୁ ଭୟ କରିବେ । ତେବେ ରାଜ୍ୟ ପୋଲିସ ନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦଙ୍କ ସୁଚନା ମୁତାବକ ଏନେଇ ୫୨୨ ପୋଷ୍ଟ ଗଠନ ପାଇଁ ଯୋଜନା ରହିଛି । ଯେଉଁଥିରେ ଭିନ୍ନ ଭିନ୍ନ ର୍ୟାଙ୍କର ଅଧିକାରୀଙ୍କୁ ଜାତୀୟ ରାଜପଥରେ ପାଟ୍ରୋଲିଂ କରିବା ପାଇଁ ନିୟୋଜିତ କରାଯିବ । ତେବେ ଦୁର୍ଘଟଣାକୁ ରୋକିବା ପାଇଁ ଏବଂ ଆହତଙ୍କୁ ତୁରନ୍ତ ସେବା ଯୋଗାଇବାରେ ଏକ ଆରଏଏମଆଇଏସ ଯୋଜନା କରାଯିବ । ଯାହାଦ୍ୱାରା ଏକ ଆପ ଲଞ୍ଚ କରାଯାଇ ଦୁର୍ଘଟଣା ହୋଇଥିବା ସୂଚନା ନିକଟସ୍ଥ ପୋଲିସ ଥାନାକୁ ମଳିପାରିବ । ଏହାଦ୍ୱାରା ଦୁର୍ଘଟଣାକୁ ରୋକାଯାଇ ପାରିବ ବୋଲି କହିଛନ୍ତି ଡିଜିପି ।