ଭୁବନେଶ୍ୱର ଏମ୍ସରୁ କାଶ୍ମୀରୀ ଡାକ୍ତରୀ ଛାତ୍ର ନିଖୋଜ ! ପୁଲିସ ଡିଜି କହିଲେ, ଆତଙ୍କବାଦୀ ଲିଙ୍କ ନେଇ ଚାଲିଛି ତଦନ୍ତ

29

କନକ ବ୍ୟୁରୋ : ୨୦ ଦିନ ହେଲା ମିଳୁନି ଭୁବନେଶ୍ୱର ଏମ୍ସ ଛାତ୍ରଙ୍କ ପତା । ଦିନ ବଢ଼ିବା ସହ ବଢୁଛି ସନ୍ଦେହ । ଆଉ ଛାତ୍ର ଜଣକ କାଶ୍ମୀରର ହୋଇଥିବାରୁ ଆତଙ୍କବାଦୀ ଲିଙ୍କ୍ ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଉଛି । ଓଡ଼ିଶା ପୁଲିସ ସହ ପଶ୍ଚିମବଙ୍ଗ ଏବଂ ଜାମ୍ମୁକାଶ୍ମୀର ପୁଲିସ ଏବେ ନିଖୋଜ ଛାତ୍ର ସୋହେଲଙ୍କୁ ଖୋଜିବାର ଲାଗି ପଡ଼ିଛି । ସେପଟେ ଭୁବନେଶ୍ୱରରେ ଆସି ଡେରା ପକାଇଛନ୍ତି ପରିବାର ଲୋକ ।

Aiimsଖୋଜା ଚାଲିଛି ହେଲେ ପତା ମିଳୁନି । କୁଆଡେ ଯାଇଥାଇ ପାରନ୍ତି ଡାକ୍ତରୀ ଛାତ୍ର ସୋହେଲ ଏଜାଜ୍ । ଶେଷଥର ପାଇଁ ହାଓଡା ଷ୍ଟେସନରେ ହିଁ ସୋହେଲଙ୍କୁ ଦେଖିବାକୁ ମିଳିଥିଲା । ପୁଲିସ ପାଇଁ ସବୁଠାରୁ ବଡ ଚ୍ୟାଲେଂଜ ହେଉଛି- ସୋହେଲଙ୍କୁ ଠାବ କରିବା କାରଣ ସେ କାଶ୍ମିରରୁ ଆସି ଥିବାରୁ ତାଙ୍କର ଆତଙ୍କବାଦୀ ଲିଙ୍କ କଥା ବି ସନ୍ଦେହ ଘେରକୁ ଚାଲିଆସିଛି । ତାଙ୍କର ସୋସିଆଲ ମିଡିଆର ଥିବା ସମସ୍ତ ଆକାଉଣ୍ଟକୁ ନେଇ ଖୋଳତାଡ କରାଯାଉଛି ।

ଓଡିଶା, କୋଲକାତା ଓ କାଶ୍ମିର ପୁଲିସ ପରେ ଏବେ ସେଂଟ୍ରାଲ ଏଜେନ୍ସି ବି ସୋହେଲଙ୍କୁ ଖୋଜିବାରେ ଲାଗି ପଡିଛି । ହେଲେ କିଛି ବି ସୁରାକ ମିଳି ପାରୁନି ପୁଲିସକୁ । ଅନ୍ୟପଟେ କାଶ୍ମିର ଡିଜି ଏସ.ପି.ବୈଦ କହିଛନ୍ତି ସୋହେଲଙ୍କ ପରିବାର ସହ ଆଲୋଚନା ହୋଇଛି । ଏବାବଦରେ ଓଡିଶା ପୁଲିସ ସହ ଯୋଗାଯୋଗ ବି ହୋଇଛି ।

ସେପଟେ ସୋହେଲଙ୍କ ପରିବାର କାଶ୍ମିରରୁ ଆସି ଭୁବନେଶ୍ୱରରେ ଡେରା ପକାଇଛନ୍ତି । ଇତି ମଧ୍ୟରେ ତାଙ୍କର ସବୁ ସଂପର୍କୀୟଙ୍କ ପାଖରେ ମଧ୍ୟ ସୋହେଲଙ୍କୁ ନେଇ କୌଣସି ସୂଚନା ନାହିଁ । ଆଉ ଏଭଳି ସ୍ଥିତିରେ ସୋହେଲଙ୍କ ନିଖୋଜ ହେବାକୁ ନେଇ ସନ୍ଦେହ ପ୍ରକାଶ ପାଇଛି ।