ଏସପିଙ୍କ ଘରେ ଆତ୍ମହତ୍ୟା । ମା’ ତାଗିଦ୍ କଲେ ବୋଲି, ଫ୍ୟାନରେ ଜିନ୍ସ ପ୍ୟାଣ୍ଟ ବାନ୍ଧି ଝୁଲିପଡିଲେ ଏସିପିଙ୍କ ୧୨ ବର୍ଷର ପୁଅ

659

କନକ ବ୍ୟୁରୋ : କମିଶନରେଟ୍ ପୋଲିସର ଏସିପି ସଂଜୀବ ଶତପଥୀଙ୍କ ମାତ୍ର ୧୨ ବର୍ଷର ପୁଅ ଆତ୍ମହତ୍ୟା କରିଦେଇଛି । ଏକ ସାମାନ୍ୟ କଥାରୁ କ୍ଷୁବ୍ଧ ହୋଇ ଏହି କିଶୋର ଜିନ୍ସ ପ୍ୟାଣ୍ଟକୁ ରଶି ବନାଇ ଫ୍ୟାନରେ ଝୁଲି ପଡିଥିଲା । ମାତ୍ର କେଇ ମିନିଟ୍ ଭିତରେ ଏସିପି ସଂଜୀବ ଶତପଥୀଙ୍କ ଖୁସିର ସଂସାର ଉଜୁଡିଯାଇଥିଲା ।

ମାତ୍ର ୧୨ ବର୍ଷର ବାଳକର ଏକ ପଦକ୍ଷେପ ଆଜି ସାରା ରାଜ୍ୟରେ ଚହଳ ପକାଇ ଦେଇଛି । ଦୁନିଆକୁ ଠିକ ସେ ଜାଣିବା ପୁର୍ବରୁ ଦୁନିଆ ଛାଡି ଚାଲିଯିବାକୁ ନିଜେ ହିଁ ନିଷ୍ପତି ନେଇଯାଇଛି । ଏହି ଘଟଣା ଘଟିଛି କମିଶନରେଟ ପୁଲିସର ଏସିପି ସଂଜୀବ ଶତପଥୀଙ୍କ ପୁଅ ଆୟୁସକାନ୍ ଶତପଥୀଙ୍କ ସହ । ଏସିପି ସଂଜୀବଙ୍କ ସରକାରୀ ବାସଭବନରେ ପଙ୍ଖାରେ ଝୁଲୁଥିବା ଅବସ୍ଥାରେ ପୁଅ ଆୟୁସକାନର ମୃତଦେହ ଉଦ୍ଧାର କରାଯାଇଛି । ଆଶ୍ଚର୍ଯ୍ୟଜନକ ଭାବେ ନିଜ ଜିନ୍ସ ପ୍ୟାଂଟକୁ ଫ୍ୟାନରେ ଲଗାଇ ଝୁଲି ପଡିଛି ଆୟୁସକାନ୍ । ଆଉ ସେହିଠାରେ ହିଁ ତାର ପ୍ରାଣବାୟୁ ଉଡିଯାଇଛି ।

ଭୁବନେଶ୍ୱରର ଜୟଦେବ ବିହାର ସ୍ଥିତ ସରକାରୀ ବାସଭବନରେ ବିଳମ୍ବିତ ରାତ୍ରିରେ ଏହି ଘଟଣା ଘଟିଛି । ପ୍ରକୃତରେ ଏହା ପଛରେ କଣ କାରଣ ଅଛି – ତାହା ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ଏକ ସାମାନ୍ୟ କଥାରୁ ଆୟୁସକାନ୍ ବହୁତ ବଡ ନିଷ୍ପତି ନେଇଯାଇଥିବା ଚର୍ଚ୍ଚା ହେଉଛି । ଶନିବାର ରାତିରେ କୁଆଡେ ଆୟୁସକାନ୍ ନିଜ ମୋବାଇଲ ସହ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖେଳୁଥିଲେ । ଏଥିରେ ଅସନ୍ତୋଷ ପ୍ରକାଶ କରିଥିଲେ ଆୟୁସକାନଙ୍କ ମାଆ । କାରଣ ଆଗକୁ ପରୀକ୍ଷା ଥିଲା । ହେଉଥିବା ଚର୍ଚ୍ଚା ଅନୁସାରେ ତାଙ୍କ ମାଆ ମୋବାଇଲ ସହ ନଖେଳିବାକୁ ତାଗିଦ କରିଥିଲେ । ଏଥିସହ ପାଖରେ ଥିବା କୁକୁରକୁ ବି ପାଟି କରିଥିଲେ । ପାଖ ଲୋକଙ୍କ କହିବାନୁସାରେ ୧୨ ବର୍ଷୀୟ ଆୟୁସକାନ ଏଥିଲେ ରାଗି ଯାଇଥିଲେ ଏବଂ ନିଜ ରୁମକୁ ଯାଇ ଜିନ୍ସ ପ୍ୟାଂଟରେ ବେକକୁ ବାନ୍ଧି ଫ୍ୟାନରେ ଝୁଲି ପଡିଥିଲେ ।

ଏହି ଘଟଣା ପରେ, ପୁରା ପରିବାର ହତବାକ ହୋଇ ଯାଇଛି । ଏସିପି ସଂଜୀବ ଶତପଥୀ ମଧ୍ୟ ବାକଶୁନ୍ୟ ହୋଇ ପଡିଛନ୍ତି । ପୁଅର ମୃତ୍ୟୁ ପୁରା ପରିବାର ଆଗରେ ଦୁଃଖର ପାହାଡ ଠିଆ କରି ଦେଇଛି । ଇଏ ଏକ ଏମିତି କାହାଣୀ ଯାହାକୁ ହୁଏତ ଅନେକ ବିଶ୍ୱାସ କରି ପାରିବେନି । ଏତେ ଛୋଟ କଥାରେ ଆତ୍ମହତ୍ୟା ପର୍ଯ୍ୟନ୍ତ କଥା ଯିବ ହୁଏତ ଅନେକ ଭାବି ବି ପାରିବେନି । କିନ୍ତୁ ଏସିପି ସଂଜୀବ ଶତପଥୀଙ୍କ କିଶୋର ପୁଅ କ୍ଷୁବ୍ଧ ଥିବା ଅବସ୍ଥାରେ ଏତେବଡ ପଦକ୍ଷେପ ନେଇଗଲା, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।