ନାତିକୁ ଭେଟିବାକୁ ଆସି ଜେଜେଙ୍କ ମୃତ୍ୟୁ ! କ୍ୟାପିଟାଲ ହସ୍ପିଟାଲ ଆଗରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

35

କନକ ବ୍ୟୁରୋ : ଅସୁସ୍ଥ ନାତିକୁ ଭେଟିବାକୁ ଆସି ଜେଜେଙ୍କ ମୃତ୍ୟୁ । ଏ ଖବର ଯେତିକି ଆକସ୍ମିକ ସେତିକି ସେତିକି ସମ୍ବେଦନଶୀଳ । କାରଣ ଅଧୁରା ରହିଗଲା ଅସୁସ୍ଥ ନାତିକୁ ଭେଟିବାର ଅଭାଳାଶା । ନାତିର ଚିକିତ୍ସା ପାଇଁ ପୁରୀ ଜିଲ୍ଲା ନିମାପଡା ପାଟପୁର ଗାଁରୁ ଟଙ୍କା ଧରି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ପାଖରେ ପହଂଚିଥିଲେ ଗନ୍ଧର୍ବ ସ୍ୱାଇଁ ।

ପୁଅକୁ ଫୋନ କରି କହିଥିଲେ, ମେଡିକାଲ ଆଗରେ ପହଂଚି ସାରିଲେଣି, ରାସ୍ତା ପାର ହୋଇ ଭିତରକୁ ଯାଉଛନ୍ତି । ହେଲେ ଆଉ କିଛି ସମୟ ପରେ ସେହି ନମ୍ବରରୁ ଗଲା ଆଉ ଗୋଟିଏ କଲ । ଯେଉଁଥିରେ ତାଙ୍କ ମୃତ୍ୟୁ ଖବର ଦିଆଯାଇଥିଲା । ସକାଳୁ ସକାଳୁ ରାସ୍ତାପାର ହେବା ସମୟରେ ଯଗିରହିଥିଲା ମୃତ୍ୟୁ ଦୂତ । ଗନ୍ଧର୍ବ ସ୍ୱାଇଁକୁ ଧକ୍କା ଦେଇଥିଲା ଭୁବନେଶ୍ୱର ବିଜେପି ଯୁବ ମୋର୍ଚା ସଭାପତିଙ୍କ ଟାଟା ସଫାରି ଗାଡି ।

ଗୋଟିଏ ପଟେ ରକ୍ତ ସଂକ୍ରାମକ ରୋଗରେ ପୀଡିତ ନାତି କ୍ୟାପିଟାଲ୍ ହସ୍ପିଟାଲ୍ ଶିଶୁ ବିଭାଗରେ ଚିତ୍କିସିତ ହେଉଥିବା ବେଳେ ଅନ୍ୟପଟେ ଜେଜେବାପାଙ୍କର ଅକାଳ ମୃତ୍ୟୁ ପରିବାରକୁ ଅସହାୟ କରି ପକାଇଛି । ସକାଳୁ ସକାଳୁ କେମିତି ହେଲା ଦୁର୍ଘଟଣା ? ଡ୍ରାଇଭର୍ ନିଶାସକ୍ତ ଅବସ୍ଥାରେ ଗାଡି ଚଳାଉ ନଥିଲେ ତ? ସେ ଯାହା ବି ହେଉ ଦୁର୍ଘଟଣା ତ ଅଚାନକ ହୁଏ । ହେଲେ ଭୁବନେଶ୍ୱରର ହାଇପ୍ରୋଫାଇଲ୍ ଜୋନରେ ଘଟିଥିବା ଦୁର୍ଘଟଣା ଗୋଟିଏ ସଂସାର ଉଜାଡି ଦେଇଛି ।