ଶାନ୍ତ ବିଶ୍ୱବିଦ୍ୟାଳୟରେ ଅଶାନ୍ତିର ନିଆଁ ! ପ୍ରମୁଖ ଶିକ୍ଷାନୁଷ୍ଠାନ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଛାତ୍ରୀ ସୁରକ୍ଷାକୁ ନେଇ ତୀବ୍ର ଉତ୍ତେଜନା

57

କନକ ବ୍ୟୁରୋ : ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ(ବିିଏଚ୍‌ୟୁ)ରେ ଛାତ୍ରୀ ଅସଦାଚରଣ ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ଓ ସେମାନଙ୍କୁ ଘଉଡ଼ାଇବାକୁ ପୁଲିସର ଲାଠିମାଡ଼ ପରେ ଛାତ୍ର-ପୁଲିସ ସଂଘର୍ଷ ଘଟଣାକୁ ନେଇ ବିଶ୍ୱବିଦ୍ୟାଳୟରେ ପ୍ରବଳ ଉତ୍ତେଜନା ଜାରି ରହିଛି । ବିରୋଧୀ ଦଳଗୁଡ଼ିକ ଏହି ଘଟଣା ପାଇଁ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ପୁଲିସର ଭୂମିକା ନେଇ ପ୍ରଧାନମନ୍ତ୍ରୀ ମଧ୍ୟ ଘୋର ଅସନ୍ତୋଷ ପ୍ରକାଶ କରି କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଛାତ୍ରଙ୍କ ଉପରେ ନିର୍ମମ ଲାଠିମାଡ଼ ପାଇଁ ୩ଜଣ ମାଜିଷ୍ଟ୍ରଟ ଓ ୨ଜଣ ପୁଲିସ ଅଧିକାରୀଙ୍କୁ ସରକାର ବଦଳି କରିଛନ୍ତି । ଅପରପକ୍ଷରେ ସ୍ଥାନୀୟ ଲଙ୍କା ଥାନାରେ ୧ହଜାର ଛାତ୍ରଛାତ୍ରୀଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁ କରାଯାଇଥିବା ଜଣାପଡ଼ିଛି ।

ପରିସ୍ଥିତି ସୁଧାରିବାକୁ ବିଶ୍ୱବିଦ୍ୟାଳୟରେ ଗତକାଲିଠାରୁ ଆଗୁଆ ପୂଜା ଛୁଟି ଘୋଷଣା ହୋଇଥିଲେ ମଧ୍ୟ ଛାତ୍ରମାନେ ହଷ୍ଟେଲ ଛାଡ଼ିନାହାନ୍ତି । ଏବେ ମଧ୍ୟ ମୁଖ୍ୟ ଗେଟ୍‌ରେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ଗତକାଲି ଉତ୍ତର ପ୍ରଦେଶ କଂଗ୍ରେସ ନେତା ପିଏଲ୍‌ ପୁନିଆ, ରାଜ ବବ୍ଦର, ଅଜୟ ରାଇ ଛାତ୍ର ବିକ୍ଷୋଭରେ ଯୋଗ ଦେବାକୁ ବିଶ୍ୱବିଦ୍ୟାଳୟକୁ ଯାଉଥିବାବେଳେ ପୁଲିସ ସେମାନଙ୍କୁ ଅଟକ ରଖି ବିଳମ୍ବିତ ରାତିରେ ଛାଡ଼ିଥିଲା ।

ବିଶ୍ୱବିଦ୍ୟାଳୟରେ ହିଂସା ପାଇଁ ପୁଲିସ ଓ ଛାତ୍ରମାନେ ପରସ୍ପରକୁ ଦୋଷାରୋପ କରିଥିବାବେଳେ କୌଣସି ଛାତ୍ର ହିଂସା ଘଟାଇ ନାହାନ୍ତି ବୋଲି ଆଜି କୁଳପତି ଗଣମାଧ୍ୟମକୁ କହିଛନ୍ତି । ବାହାର ଲୋକ ବିଶ୍ୱବିଦ୍ୟାଳୟରେ ପ୍ରବେଶ କରି ଏହି ଅଘଟଣ ଘଟାଇଛନ୍ତି । ସେମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସେ ଦାବି କରିଛନ୍ତି। ତେବେ କଂଗ୍ରେସ ଦଳ ପକ୍ଷରୁ ସମସ୍ତ ଘଟଣାପାଇଁ କୁଳପତିଙ୍କୁ ଦାୟୀ କରାଯାଇ ତାଙ୍କର ବହିଷ୍କାର ଓ ହାଇକୋର୍ଟ ବିଚାରପତିଙ୍କ ଦ୍ୱାରା ତଦନ୍ତ ନିମନ୍ତେ ଦାବି କରାଯାଇଛି । ବିଏସ୍‌ପି ନେତ୍ରୀ ମାୟାବତୀ ଛାତ୍ରୀଙ୍କ ଉପରେ ଆକ୍ରମଣକୁ ନିନ୍ଦା କରିଛନ୍ତି ।

ଛାତ୍ରମାନେ କହିଛନ୍ତି ଯେ ଅସଦାଚରଣ ଘଟଣା ପରେ ପୀଡ଼ିତା ବିଶ୍ୱବିଦ୍ୟାଳୟ ପ୍ରଶାସନକୁ ଜଣାଇବା ସତ୍ତ୍ୱେ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ବରଂ ପୀଡ଼ିତାଙ୍କୁ ଗାଳି କରିଥିଲ । ସେମାନେ କୁଳପତିଙ୍କୁ ସବିଶେଷ ଜଣାଇବାକୁ ଶାନ୍ତିପୂର୍ଣ୍ଣ ଭାବେ ତାଙ୍କ ବାସଭବନକୁ ଯାଇଥିଲେ । ତେବେ କୁଳପତି ସେମାନଙ୍କୁ ସାକ୍ଷାତ ସୁଯୋଗ ଦେଇନଥିଲେ । ଅପରପକ୍ଷରେ ପୁଲିସ ସେମାନଙ୍କ ଚୁଟିଝିଙ୍କି ନିର୍ମମ ଲାଠିମାଡ଼ କରିଥିଲା ବୋଲି ଛାତ୍ରମାନେ ଅଭିଯୋଗ କରିଛନ୍ତି ।