ଭୋପାଳ ଗ୍ୟାସ ଦୁର୍ଘଟଣାର ସେହି କାଳରାତ୍ରୀ । ଯେତେବେଳେ ବିଷାକ୍ତ ଗ୍ୟାସ ପ୍ରଭାବରେ ମାତ୍ର କିଛି ମିନିଟରେ ଚାଲିଯାଇଥିଲା ହଜାର ହଜାର ଲୋକଙ୍କ ଜୀବନ

312

୨ ଡିସେମ୍ବର ୧୯୮୪ । ଆଜକୁ ୩୪ ବର୍ଷ ତଳେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏମିତି ଏକ ଘଟଣା ଘଟିଥିଲା ଯାହା ପୂରା ଦେଶରେ ହଇଚଇ ସୃଷ୍ଟି କରିଥିଲା । ନିରବୀ ଯାଇଥିଲା ଅଧିକାଂଶ ଭୋପାଳବାସୀଙ୍କ ନିଶ୍ୱାସ । ଡିସେମ୍ବର ୨ ତାରିଖ ରାତିରେ ୟୁନିୟନ କାର୍ବାଇଡ ଇଣ୍ଡିଆ ଲିମିଟେଡର ପ୍ଲାଣ୍ଟ ରୁ ବାହାରିଲା ବିଷାକ୍ତ ଗ୍ୟାସ । ଆଉ ଏହି ସମୟରେ ଶୋଇଥିଲା ପୂରା ସହର । କିନ୍ତୁ ବିଷାକ୍ତ ଗ୍ୟାସର ପ୍ରଭାବରେ ହଜାର ହଜାର ଲୋକ ସକାଳର ସୂର୍ଯ୍ୟ ଦେଖିପାରିନଥିଲେ । ଆଉ ସକାଳ ହେବା କ୍ଷଣି ସହରର ଅଧିକାଂଶ ଲୋକଙ୍କ ଘରୁ ଶୁଭୁଥିଲା କେବଳ କାନ୍ଦ ବୋବାଳିର ସ୍ୱର । କାରଣ ଅଧିକାଂଶ ଲୋକ ଶୋଇ ଯାଇଥିଲେ ଚିର ନିଦ୍ରାରେ ।

୧୯୮୪ ମସିହା ଡିସେମ୍ବର ୨ର ସେହି କାଳରାତ୍ରୀ । ୟୁନିୟନ କାର୍ବାଇଡ ଫ୍ୟାକ୍ଟ୍ରିର ପ୍ଲାଣ୍ଟ ନମ୍ବର ସିର ଟ୍ୟାଙ୍କ ନମ୍ବର ୬୧୦ରୁ ବାହାରିଥିଲା ମୃତ୍ୟୁର ଦୂତ । କାରଣ ଏହି ଟ୍ୟାଙ୍କରେ ଥିବା ମିଥାଇଲ ଆଇସୋସାଇନେଟ ଗ୍ୟାସରେ ପାଣି ପଶି ଯାଇଥିଲା । ଏହି ଏହି ଗ୍ୟାସରେ ପାଣି ମିଶିବା ଫଳରେ ରାସାୟନକି ପ୍ରକିୟା ଯୋଗୁଁ ଟ୍ୟାଙ୍କରୁ ବାହାରିଥିଲା ବିଷାକ୍ତ ଗ୍ୟାସ୍ । ଆଉ ପବନ ସହ ମିଶି ପୂରା ସହରକୁ ବ୍ୟାପି ଯାଇଥିଲା ଏହି ବିଷାକ୍ତ ଗ୍ୟାସ୍ । ଆଉ କାଳରାତିରେ ନିର୍ଗତ ହୋଇଥିବା ଏହି ଗ୍ୟାସ ସକାଳୁ ହଜାର ହଜାର ଲୋକଙ୍କୁ ମୃତ୍ୟୁର ନିଦରେ ଶୁଆଇ ଦେଇଥିଲା ।

ଭୋପାଳବାସୀ ଏତେ ବଡ ଦୁର୍ଘଟଣା ପାଇଁ ପ୍ରସ୍ତୁତ ନଥିଲେ । ଏପରିକି ବିଷାକ୍ତ ଗ୍ୟାସ ନିର୍ଗତ ହେବା ସମୟରେ କାରଖାନାର ଆର୍ଲାମ ସିଷ୍ଟମ ମଧ୍ୟ ଘଣ୍ଟା ଘଣ୍ଟା ଧରି ବାଜିନଥିଲା । ଯାହାଫଳରେ ଲୋକଙ୍କ ଏନେଇ କୌଣସି ସୂଚନା ପାଇନଥିଲେ । କାରଖାନାରୁ ବିଷାକ୍ତ ଗ୍ୟାସ ନିର୍ଗତ ହେବା କାରଣରୁ ଏହାର ପ୍ରଥମ ଶିକାର ପାଲଟିଥିଲେ ସ୍ଥାନୀୟ ବସ୍ତି ବାସିନ୍ଦା । ଫ୍ୟାକ୍ଟ୍ରିର ପାଖରେ ଏମାନେ ଥିବାରୁ ଚିରନିଦ୍ରାରେ ଶୋଇବାକୁ ଏମାନଙ୍କୁ ବେଶି ସମୟ ଲାଗିନଥିଲା । ଆଉ ଏହାପରେ ପୂରା ସହରକୁ ବ୍ୟାପିଥିଲା ଏହି ବିଷାକ୍ତ ଗ୍ୟାସ । ଯାଞ୍ଚ ସମୟରେ ଜଣାପଡିଥିଲା ଯେ, ଫ୍ୟାକ୍ଟ୍ରିରୁ ବାହାରିଥିବା ବିଷାକ୍ତ ଗ୍ୟାସ୍ ପ୍ରଭାବରେ ମାତ୍ର ୩ ମିନିଟ ମଧ୍ୟରେ ହଜାର ହଜାର ସଂଖ୍ୟାରେ ଲୋକ ମୃତ୍ୟୁ ବରଣ କରିଥିଲେ ।

ରାତି ପାହି ସକାଳ ହେବା ବେଳକୁ ହସ୍ପିଟାଲରେ ଜମିଥିଲା ପ୍ରବଳ ଭିଡ । ତେବେ ବିଷାକ୍ତ ଗ୍ୟାସ୍ ନିର୍ଗତ ହେବା କଥା ସକାଳୁ ଜଣାପଡିବା ପରେ ସବୁ କିଛି ଯେମିତି ଶେଷ ହୋଇ ସାରିଥିଲା । ଏତେ ବଡ ଦୁର୍ଘଟଣା ପରେ ଯେତେବେଳେ ଯାଞ୍ଚ କରାଗଲା ସେତେବେଳେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଥିଲା । ଏହି ଗ୍ୟାସ୍ ଟ୍ରାଜେଡିରେ କେତେ ଜଣ ମୃତ୍ୟୁ ବରଣ କରିଥିଲେ ତାହାର ପ୍ରକୃତ ଉତ୍ତର କାହା ପାଖରେ ନଥିଲା । ତେବେ ସରକାରଙ୍କ ରିପୋର୍ଟ ଅନୁଯାୟୀ, ଏହି ବିଷାକ୍ତ ଗ୍ୟାସ ୩୦୦୦ ଲୋକଙ୍କ ଜୀବନ ନେଇଥିଲା । କିନ୍ତୁ ବେସରକାରୀ ଭାବେ ଏହି ମୃ୍ତ୍ୟୁ ସଂଖ୍ୟା ୮୦୦୦୦ରୁ ମଧ୍ୟ ଅଧିକ ଥିଲା । ତେବେ ୨୦୦୬ରେ ସରକାର ଯେଉଁ ରିପୋର୍ଟ ଦେଇଥିଲେ ତାହା ସମସ୍ତଙ୍କୁ ଚକିତ କରିଥିଲା । ଏହି ଗ୍ୟାସ ଦୁର୍ଘଟଣାରେ ୫ ଲକ୍ଷ ୨୦ ହଜାର ଲୋକ ପ୍ରଭାବିତ ହୋଇଥିଲେ । ଯେଉଁଥିରୁ ୨ ଲକ୍ଷ ଲୋକ ଶିଶୁ, ୩୦୦୦ ଲୋକ ଗର୍ଭବତୀ ମହିଳା ରହିଥିଲେ । ଏହାଛଡା ହଜାର ହଜାର ଲୋକ ବିକଳାଙ୍ଗ ହୋଇଯାଇଥିଲେ ।

କୁହାଯାଏ, ଏହି ବିଷାକ୍ତ ଗ୍ୟାସର ପ୍ରଭାବ ଦୀର୍ଘ ୮ ଘଣ୍ଟା ଧରି ପୂରା ସହରରେ ବ୍ୟାପି ରହିଥିଲା । କିନ୍ତୁ ଏହି ୮ ଘଣ୍ଟା ହଜାର ହଜାର ନୀରିହ ଲୋକଙ୍କ ଜୀବନ ନେବାକୁ ଯଥେଷ୍ଟ ଥିଲା । ସକାଳ ହେବା ବେଳକୁ ଚାରିଆଡେ ଶହ ଶହ ମୃତ ଦେହ ଦେଖିବାକୁ ମିଳିଥିଲା । ସତେଯେମିତି ରାତିରେ ଏକ ବଡ ଯୁଦ୍ଧ ହୋଇଥିଲା ।ଏତିକିରେ ସୀମିତ ନଥିଲା ବିଷାକ୍ତ ଗ୍ୟାସର ପ୍ରଭାବ । କିଛି ମହିଳା ମା’ ହୋଇପାରିନଥିଲେ ତ କିଛି ଶିଶୁ ବିକଳାଙ୍ଗ ହୋଇ ଜନ୍ମ ହୋଇଥିଲେ । ଆଜି ଯାଏଁ ମଧ୍ୟ ଏହାର ପ୍ରଭାବରେ ଭୋପାଳରେ ବିକଳାଙ୍ଗ ଶିଶୁ ଜନ୍ମ ନେଉଛନ୍ତି ।

ଏହି ବିଷାକ୍ତ ଗ୍ୟାସ୍ ଦୁର୍ଘଟଣାର ମୁଖ୍ୟ ଖଳନାୟକ ଥିଲେ ଫ୍ୟାକ୍ଟ୍ରିର ମାଲିକ ୱାରେନ ଆଣ୍ଡରସନ । କିନ୍ତୁ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ମାଲିକ ଭାରତ ଛାଡି ଆମେରିକା ଚାଲି ଯାଇଥିଲେ । କୁହାଯାଏ, ସେତେବେଳର ମୁଖ୍ୟମନ୍ତ୍ରୀ ଅର୍ଜୁନ ସିଂ ଫ୍ର‌୍ୟାକ୍ଟ୍ରି ମାଲିକ ୱାରେନଙ୍କୁ ବିଶେଷ ବିମାନରେ ଭୋପାଳରୁ ବାହାରିଯିବାକୁ ବନ୍ଦୋବସ୍ତ କରିଥିଲେ । ଆଉ ୨୦୧୪ ମସିହା ସେପ୍ଟେମ୍ବର ୨୯ ତାରିଖରେ ଆମେରିକାର ଫ୍ଲୋରିଡାରେ ତାଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ଏବେ ମଧ୍ୟ ଏହି ବିଷାକ୍ତ ଗ୍ୟାସରେ ନିଜର ଆତ୍ମୀୟ ମାନଙ୍କୁ ହରାଇଥିବା ଲୋକଙ୍କ ଆଖିରୁ ଲୁହ ଶୁଖିନି । କାରଣ ଏହି ବିଷାକ୍ତ ଗ୍ୟାସ୍ ଏମାନଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସଦୃଶ ପାଲଟିଛି । କାରଣ ଏବେ ମଧ୍ୟ ଗ୍ୟାସର ପ୍ରଭାବରେ କିଛି ଶିଶୁ ବିକଳାଙ୍ଗ ଭାବେ ଜନ୍ମ ନେଉଛନ୍ତି ।