ବିଶ୍ୱପ୍ରସିଦ୍ଧ ଭିତରକନିକାରେ ପର୍ଯ୍ୟଟକଙ୍କ ଭିଡ ! ବଉଳା କୁମ୍ଭୀର ଦେଖିବା ପାଇଁ ଛୁଟୁଛନ୍ତି ଦେଶୀ ବିଦେଶି ପର୍ଯ୍ୟଟକ

35

କନକ ବ୍ୟୁରୋ : ବିଶ୍ୱପ୍ରସିଦ୍ଧ ଭିତରକନିକାରେ ଏବେ ପର୍ଯ୍ୟଟକଙ୍କ ଭିଡ । ଶୀତୠତୁରେ ଭିତରକନିକାର ବଉଳା କୁମ୍ଭୀର ଦେଖିବା ପାଇଁ ପର୍ଯ୍ୟଟକଙ୍କ ମଧ୍ୟରେ ଉତ୍ସୁକତା ଦେଖା ଯାଉଥିବା ବେଳେ କୃତ୍ରିମ ଉପାୟରେ କୁମ୍ଭୀର ପ୍ରଜନନ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି । ୧୯୭୦ରେ ଭିତରକନିକାରେ କୃତ୍ରିମ କୁମ୍ଭୀର ପ୍ରଜନନ ଗବେଷଣା କେନ୍ଦ୍ର ଖୋଲିବା ପାଇଁ ନିଷ୍ପତି ନିଆଯାଇଥିଲା । ଏବଂ ସେହି ବର୍ଷ ଭିତରକନିକାକୁ ଅଭୟାରଣ୍ୟ ଘୋଷଣା କରାଯାଇଥିଲା । କୃତ୍ରିମ ଉପାୟରେ ବଉଳା କୁମ୍ଭୀର ପ୍ରଜନନ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି ଭିତରକନିକା ।

ଡାଙ୍ଗମାଳରେ କୃତ୍ରିମ କୁମ୍ଭୀର ପ୍ରଜନନ କେନ୍ଦ୍ର ସ୍ଥାପନ ହେବା ପରେ କାଳିବଂଚଡିହ ଜଙ୍ଗଲରୁ ୨୫ଟି ଅଣ୍ଡା ସଂଗ୍ରହ କରାଯାଇ ଗବେଷଣା କେନ୍ଦ୍ରରେ କୃତ୍ରିମ ଉପାୟରେ ଛୁଆ ଫୁଟା ଯାଇଥିଲା । ବଉଳା କୁମ୍ଭୀରମାନେ ଅଣ୍ଡା ଦେବା ପରେ ଯେଉଁ ଅଣ୍ଡା ଗୁଡିକ ନଷ୍ଟ ହୋଇଯାଏ ସେଗୁଡିକୁ ସଂଗ୍ରହ କରାଯାଇ ଗବେଷଣା କେନ୍ଦ୍ରରେ ଖରଖରି ପତ୍ରରେ ଘୋଡାଇ ଉପଯୁକ୍ତ ତାପାମାତ୍ରାରେ କୃତ୍ରିମ ଉପାୟରେ ୭୫ରୁ ୭୮ଦିନ ମଧ୍ୟରେ ସେଥିରୁ ଛୁଆ ବାହାର କରାଯାଏ । ଏହି ବଉଳା କୁମ୍ଭୀର ଦେଖିବା ପାଇଁ ଦେଶ ବିଦେଶର ପର୍ଯ୍ୟଟକଙ୍କ ଭିଡ ଜମିଛି ଭିତରକନିକାରେ ।