ବଢ଼ିଲା ଭିମ୍‌ ଆପ୍‌ କ୍ୟାସବ୍ୟାକ୍‌ ସ୍କିମର ଅବଧି

26

କନକ ବ୍ୟୁରୋ: ଭିମ୍ (ଭାରତ ଇଣ୍ଟରଫେସ୍ ଫର ମନି) ଆପ୍ ମାଧ୍ୟମରେ ଟଙ୍କା ଗ୍ରହଣ କରିଲେ ଦୋକାନୀମାନଙ୍କ ପାଇଁ ଘୋଷଣା ହୋଇଥିବା ୧୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ସ୍କିମର ଅବଧିକୁ ଆସନ୍ତା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସ୍କିମକୁ ଚଳିତବର୍ଷ ଏପ୍ରିଲ ୧୪ ତାରିଖରେ ୬ ମାସ ପାଇଁ ଘୋଷଣା କରିଥିଲେ । ଦେଶରେ ଡିଜିଟାଲ କାରବାରକୁ ପ୍ରୋତ୍ସାହନ ଦେବା ଲାଗି ଏହା କରାଯାଇଥିଲା । ଏହି ସ୍କିମରେ ଜଣେ ଦୋକାନୀ ୨୦ରୁ ୫୦ଟି କାରବାର ପର୍ଯ୍ୟନ୍ତ ୫୦ ଟଙ୍କା କ୍ୟାସବ୍ୟାକ୍ ପାଉଛନ୍ତି । ଏହାପରେ ୯୫୦ ଟଙ୍କାର କାରବାର ପର୍ଯ୍ୟନ୍ତ ପ୍ରତ୍ୟେକ କାରବାର ପିଛା ୨ ଟଙ୍କା ମିଳୁଛି ।

ତେବେ ଭିମ୍ କ୍ୟାସବ୍ୟାକ୍ ସ୍କିମରେ ମାସିକ ସୀମା ୧୦୦୦ ଟଙ୍କାରେ ରଖାଯାଇଛି । ଏହି ସୁବିଧା ହାସଲ କରିବା ପାଇଁ ସର୍ତ୍ତ ରହିଛି । ସର୍ତ୍ତ ଅନୁଯାୟୀ ଦୋକାନୀ ଗୋଟିଏ ମାସରେ ଅତିକମରେ ୨୦ ଜଣ ନୂଆ ଭିମ୍ ଆପ୍ ବ୍ୟବହାରକାରୀଙ୍କ ଠାରୁ ଅର୍ଥ ଗ୍ରହଣ କରିଥିବା ଆବଶ୍ୟକ। ତେବେ ପ୍ରତ୍ୟେକ କାରବାରର ସର୍ବନିମ୍ନ ରାଶି ୨୫ ଟଙ୍କା ରହିଥିବା ଆବଶ୍ୟକ ।