ଭଟଲିରେ କାହା ଉପରେ କିଏ ପଡିବ ଭାରି! ହ୍ୟାଟ୍ରିକ ବିଜୟ ପାଇଁ ବିଜେଡିର ବ୍ଲୁ-ପ୍ରିଣ୍ଟ, ବିଜେପି ଓ କଂଗ୍ରେସ ପାଇଁ କମବ୍ୟାକ୍ କରିବାର ସୁଯୋଗ ?

252

କନକ ବ୍ୟୁରୋ : ରାଜ୍ୟ ରାଜନୀତିରେ ଭଟଲି ନିର୍ବାଚନମଣ୍ଡଳୀର ଏକ ସ୍ୱତନ୍ତ୍ର ପରିଚୟ ରହିଛି । ଏହାଛଡା ବରଗଡ ଜିଲ୍ଲାର ସବୁଠୁ ସମ୍ବେଦନଶୀଳ ନିର୍ବାଚନମଣ୍ଡଳୀ ମଧ୍ୟରେ ଭଟଲି ଆସନ ରହିଛି । ଯାହାର ଝଲକ ଗତବର୍ଷ ବିଜେପୁର ଉପନିର୍ବାଚନରେ ଦେଖିବାକୁ ମିଳିଥିଲା । ବିଜେପୁର ଉପନିର୍ବାଚନ ସମୟରେ ସୋହେଲାରେ ଯେଉଁ ରାଜନୈତିକ ହିଂସା ଦେଖିବାକୁ ମିଳିଥିଲା ତାହା ପୂରା ରାଜ୍ୟରେ ହଟଚମଟ ସୃଷ୍ଟି କରିଥିଲା । ବିଜେପୁର ଉପନିର୍ବାଚନ ପୂର୍ବରୁ ବନାବିରାଠାରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇଙ୍କୁ ଆକ୍ରମଣ ହୋଇଥିଲା। ଯେଉଁଥିରେ ପୂର୍ବତନ ମନ୍ତ୍ରୀ ଜୟନାରାୟଣଙ୍କ ସମେତ ଡଜନେ ଗିରଫ ହୋଇଥିଲେ। ପରେ ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ଇରାଶିଷଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା। ପରେ ଭଟଲି ଗୁଳିକାଣ୍ଡ ଘଟଣାରେ ଇରାଶିଷ ବେଶ କିଛି ମାସ ଜାମିନ ନମିଳିବାରୁ ଜେଲରେ ରହି ଏବେ ମୁକୁଳିଛନ୍ତି।

ଏଭଳି ଗରମାଗରମ ରାଜନୀତି ମଧ୍ୟରେ ଭଟଲିରେ ହେବାକୁ ଯାଉଛି ୨୦୧୯ ମହାଲଢେଇ । ପୂର୍ବରୁ ଏହି ଆସନରେ ପ୍ରତି ଦଳକୁ ଭୋଟର ସୁଯୋଗ ଦେଇଥିବାର ନଜିର ରହିଛି । ରାଜ୍ୟର ୩ ପ୍ରମୁଖ ଦଳ ବ୍ୟତୀତ ବାମପନ୍ଥୀ ଦଳ ହାତରେ ମଧ୍ୟ ଭଟଲି କ୍ଷମତାର ଡୋର ରହି ଆସିଛି । କିନ୍ତୁ ଚଳିତ ଥର ଏହି ଆସନରେ ଦେଖିବାକୁ ମିଳିବ ଘମାଘୋଟ ଲଢେଇ । ଖାସକରି ବିଜେଡି ଏଠାରେ ହ୍ୟାଟ୍ରିକ ବିଜୟ ହାସଲ କରିବାକୁ ରଣନୀତି କରୁଛି । ଗତ ଦୁଇଟି ନିର୍ବାଚନରେ ଏଠାରେ ବିଜୟ ଧ୍ୱଜା ଉଡାଇ ଆସିଛି ବିଜେଡି । ପୁଣିଥରେ ଏହି ଆସନକୁ ଦଖଲକୁ ନେବା ପାଇଁ ବିଜେପୁର ବିଜୟ ପଛର ମୁଖ୍ୟ ପୁରୋଧା ସୁଶାନ୍ତ ସିଂଙ୍କ ହାତରେ ଦଳ ଦାୟିତ୍ୱ ଦେବା ଏକପ୍ରକାର ସ୍ଥିର ହୋଇସାରିଛି ।

ତେବେ ସୁଶାନ୍ତଙ୍କ ପାଇଁ ଚଳିତ ନିର୍ବାଚନ ଏତେ ସହଜ ହେବ ନାହିଁ । କାରଣ ଗତଥର ସ୍ୱାଧୀନ ପ୍ରାର୍ଥୀ ଭାବେ ସୁଶାନ୍ତଙ୍କୁ ଟକ୍କର ଦେଇଥିବା ସୁଶାନ୍ତ ମିଶ୍ର ଏବେ ବିଜେପି କ୍ୟାମ୍ପରେ । ସୁଶାନ୍ତଙ୍କୁ ନେଇ ବିଜେପି ଭଟଲିରେ ଗେରୁଆ ବାନା ଉଡାଇବାକୁ ଯୋଜନା କରୁଛି । କିନ୍ତୁ ବିଜେପିର ଏହି ଷ୍ଟ୍ରାଟେଜି ଦଳ ପାଇଁ ବୁମେରାଂ ପାଲଟିପାରେ । କାରଣ ସୁଶାନ୍ତଙ୍କ ବ୍ୟତୀତ ଯୁବନେତା ଇରାଶିଷ ଆଚାର୍ଯ୍ୟ, ପୂର୍ବତନ ବିଧାୟକ ମହମ୍ମଦ ରଫିକ୍, ଜିଲ୍ଲା ସଭାପତି ଅରୂପାନନ୍ଦ ସାହୁ ଓ ଗତ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ସୌରୀଚରଣ ବାରିକ ଟିକେଟ ଦୌଡରେ ରହିଛନ୍ତି । ତେଣୁ ଦଳ ଏମାନଙ୍କ ମଧ୍ୟରୁ ଭଟଲି ଆସନ ପାଇଁ କାହା ନାଁରେ ମୋହର ମାରିବେ ତାହା ଉପରେ ସମସ୍ତଙ୍କର ନଜର ରହିଛି ।

ଅନ୍ୟପକ୍ଷରେ କଂଗ୍ରେସ ପାଇଁ ୫ଥର ବିଧାୟକ ହୋଇଥିବା ପୂର୍ବତନ ମନ୍ତ୍ରୀ ପ୍ରକାଶଚନ୍ଦ୍ର ଦେବତା ତାଙ୍କ ପୁଅ ସତ୍ୟନାରାୟଣ ଦେବତାଙ୍କ ପାଇଁ ବାଟ ଛାଡ଼ି ଦେଇଛନ୍ତି। ଏହାବାଦ ଆଉ ଏକ ନୂଆ ମୁହଁ ସରୋଜ ମହାପାତ୍ରଙ୍କ ନାଁ ଚର୍ଚ୍ଚାରେ ରହିଛି। ତେବେ ପୂର୍ବରୁ କଂଗ୍ରେସ ଏହି ଆସନରେ ବିଜୟୀ ହୋଇଥିବା ବେଳେ ଏବେ ପୁଣିଥରେ କମବ୍ୟାକ୍ କରିବାକୁ ଲକ୍ଷ୍ୟ ରଖିଛି । କିନ୍ତୁ ଭଟଲି ଭୋଟର କାହାକୁ ଗ୍ରହଣ କରିବେ ଓ କାହାକୁ ମୁଣ୍ଡରେ ବିଜୟଟୀକା ଲଗାଇବେ ତାହା ଦେଖିବା ବାକି ରହିଲା ।