ମା’କାଳୀ ଓ ଲକ୍ଷ୍ମୀନାରାୟଣ ଭସାଣ ପାଇଁ ଚଳଚଞ୍ଚଳ ଯାଜପୁର ସହର । ପାରମ୍ପରିକ ବାଦ୍ୟ ଓ ବ୍ୟାଣ୍ଡପାର୍ଟିର ଗୀତରେ କମ୍ପୁଛି ସହର

180

କନକ ବ୍ୟୁରୋ: ଭସାଣ ପାଇଁ ଉତ୍ସବମୁଖର ଯାଜପୁର ସହର । ୧୧ ଦିନର ପୂଜା ପରେ ଆଜି ମେଲାଣୀ ନେଉଛନ୍ତି ମା’କାଳୀ ଓ ଲକ୍ଷ୍ମୀନାରାୟଣ । ତେବେ ଆଜି ଶୁକ୍ଳପକ୍ଷ ଗୁରୁବାର ସୁଦସା ବ୍ରତ ପଡୁଥିବାରୁ ସକାଳ ୧୦.୩୦ ପରେ ଭସାଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ସୂଚନା ମିଳିଛି । ତେବେ ଚଳିତଥର ମୋଟ ସହରରେ ୪୦ରୁ ଅଧିକ ମୁଣ୍ମୟୀ ମୂର୍ତି ନିର୍ମାଣ ହୋଇଥିଲା । ପ୍ରଥମେ ୧ ଓ ୨ ତାରିଖ ଭସାଣ ପର୍ବ ଆୟୋଜନ କରାଯାଇଥିବା ବେଳେ ବର୍ଷା ପାଗ ପାଇଁ ଏହାକୁ ସ୍ଥଗିତ ରଖାଯାଇଥିଲା । ଏପରିକି ୧ ଓ ୨ ବଦଳରେ ୭ ଓ ୮ ତାରିଖକୁ ଭସାଣ ପାଇଁ ଧାର୍ଯ୍ୟ ରଖାଯାଇଛି । ମିଳିଥିବା ସୂଚନା ଅନୁସାରେ ସହରର ଆଦ୍ୟକାଳୀ ମା’ଗରୁଡ କାଳୀ ଆସନ୍ତା ରବିବାର ଦିନ ଭାସାଣ କାର୍ଯ୍ୟକ୍ରମରେ ସାମିଲ ହେବେ ।

ଆଜି ପ୍ରଥମ ଦିନରେ ସଦାବ୍ରତ ମଠରୁ ଆରମ୍ଭ କରି କଲେଜ ଛକ ପର୍ଯ୍ୟନ୍ତ ସମସ୍ତ ମେଢ ଦେବୀଗଡାଠାରେ ବିସର୍ଜିତ ହେବାକୁ ଥିବା ବେଳେ ଆସନ୍ତାକାଲି ନାରାୟଣ ଛକଠାରୁ ଆରମ୍ଭ କରି ବିରଜା ହାଟ ପର୍ଯ୍ୟନ୍ତ ମେଢ ଭସାଣ କାର୍ଯ୍ୟକ୍ରମରେ ସାମିଲ ହେବେ । ଭସାଣକୁ ନଜରରେ ରଖି ସହରରେ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସହରରେ ଡିଜେକୁ ସଂପୂର୍ଣ୍ଣ ଭାବରେ ବ୍ୟାନ କରାଯାଇଛି । ବର୍ତମାନ ସୁଦ୍ଧା ମିଳିଥିବା ଖବର ଅନୁସାରେ ଧିରେ ଧିରେ ମେଢ ଗୁଡିକ ଭସାଣ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି । ସେପଟେ, ଶୋଭାଯାତ୍ରାରେ ପାରମ୍ପରକି ବାଦ୍ୟ ସହ ବ୍ୟାଣ୍ଡପାର୍ଟି ଗୀତରେ ଝୁମୁଛନ୍ତି ସହରବାସୀ । ବିଳମ୍ବିର ରାତି ପର୍ଯ୍ୟନ୍ତ ଭସାଣ କାର୍ଯ୍ୟକ୍ରମ ଚାଲିବ ବୋଲି ସୂଚନା ରହିଛି ।