କନକ ବ୍ୟୁରୋ : ବୈଜୟନ୍ତଙ୍କୁ ନେଇ ଲୋକସଭାରେ ପ୍ରଶ୍ନ ଉଠାଇଲା ବିଜେଡି । ମନି ଲଣ୍ଡରିଂ ମାମଲାରେ ସାଂସଦ ଭର୍ତ୍ତୃହରି ମହତାବ କେତେକ ପ୍ରଶ୍ନ କରିଛନ୍ତି । ସାଂସଦ ପଣ୍ଡା ବାହାମାସରେ ଆକାଉଂଟ ଖୋଲିବା ନେଇ ଏହି ପ୍ରଶ୍ନ ଉଠିଛି । ଭର୍ତ୍ତୃହରି କହିଛନ୍ତି, ଭାରତୀୟ ପାସର୍ପୋଟ ରଖିଥିବା ବୈଜୟନ୍ତ ପଣ୍ଡା ବାହାମାସରେ ଆକାଉଂଟ ଖୋଲିବା ପୂର୍ବରୁ ଆରବିଆଇର ଅନୁମତି ନେଇଥିଲେ କି ? ଭର୍ତ୍ତୃହରି କହିଛନ୍ତି, ଯଦି ସେ ସମୟରେ ବୈଜୟନ୍ତ ଏନଆରଆଇ ଥିଲେ କିମ୍ବା ଅଧ୍ୟୟନ ପାଇଁ ବାହାରକୁ ଯାଇଥିଲେ, ତେବେ ଭାରତ ଫେରିବା ପରେ ସେ ଆରବିଆଇକୁ ଏ ବିଷୟରେ ସୂଚନା ଦେଇଥିଲେ କି ? କାରଣ ଆଇନ ଅନୁସାରେ ଏହା ନିତ୍ୟନ୍ତ ଆବଶ୍ୟକ ।
ଶୂନ୍ୟକାଳରେ ପ୍ରଶ୍ନ ଉଠାଇ ବିଜେଡି ସାଂସଦ ଆହୁରି ପଚାରିଥିଲେ, ଯେ ବାହାମାସରେ ଆକାଉଂଟ ବନ୍ଦ କରିବା ବେଳେ ବୈଜୟନ୍ତ ଆରବିଆଇକୁ ଏ ବିଷୟରେ ସୂଚନା ଦେଇଥିଲେ କି ? ଭାରତୀୟ ଆଇନ ଅନୁସାରେ ବିଦେଶରେ ଆକାଉଂଟ ବନ୍ଦ କରିବା ପରେ ଏହି ଟଙ୍କା ପ୍ରଥମେ ଭାରତୀୟ ବ୍ୟାଙ୍କକୁ ଆସିବା କଥା । ବୈଜୟନ୍ତ ପଣ୍ଡା ବାହାମାସ ଆକାଉଂଟର ଟଙ୍କାକୁ ଭାରତୀୟ ବ୍ୟାଙ୍କକୁ ଆଣିଥିଲେ କି ନାହିଁ ସେ ନେଇ ପ୍ରଶ୍ନ କରିଛନ୍ତି ଭର୍ତ୍ତୃହରି । ଯଦି ଆଇନର ଏସବୁ ସର୍ତ୍ତାବଳୀକୁ ବୈଜୟନ୍ତ ପୂରଣ କରିନାହାନ୍ତି ତେବେ ତାଙ୍କ ବିରୋଧରେ ଅପରାଧିକ ମାମଲା ହେବା ଉଚିତ ବୋଲି ବିଜେଡି ସାଂସଦ ଯୁକ୍ତି ବାଢିଛନ୍ତି । ଏହାଛଡା ଫରେନ ଏକ୍ସଚେଂଜ ଆଇନ ଉଲ୍ଲଂଘନ ଓ ମନି ଲଣ୍ଡରିଂ ମାମଲାରେ ତାଙ୍କ ବିରୋଧରେ ଅପରାଧିକ ମାମଲା ହେବା ଦରକାର ବୋଲି ବିଜେଡି ଲୋକସଭାରେ କହିଛି ।
ସୂଚନାଯୋଗ୍ୟ କିଛି ଦିନ ପୂର୍ବରୁ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଆୟକର ବିଭାଗ ନିକଟରେ ଏକ ଗମ୍ଭୀର ଅଭିଯୋଗ ହୋଇଥିଲା । ବୈଜୟନ୍ତ ତାଙ୍କ ପତ୍ନୀ ଜାଗି ମଙ୍ଗତ ପଣ୍ଡା ଏବଂ ତାଙ୍କର ସହଯୋଗୀ ମଂଜୁଳା ଦେବୀଙ୍କ ନାଁରେ ମନି ଲଣ୍ଡରିଂକୁ ନେଇ ଏହି ଅଭିଯୋଗ ଆସିଥିଲା । ଜାନୁୟାରୀରେ ହୋଇଥିବା ଅଭିଯୋଗରେ ଅନୁସାରେ ମନି ଲଣ୍ଡରିଂ ଆଇନ, ବ୍ଲାକ ମନି ଆଇନ ଏବଂ ଆୟକର ଆଇନକୁ ସେମାନେ ଉଲ୍ଲଂଘନ କରିଥିଲେ । ମିଛ କମ୍ପାନୀ ଗଠନ କରି ସେମାନେ ୧୭ କୋଟି ୭୨ଲକ୍ଷ ଟଙ୍କା ବିଦେଶରୁ ହାସଲ କରିଥିଲେ । କିନ୍ତୁ ଏହି ଟଙ୍କା ପ୍ରକୃତରେ କେଉଁଠାରୁ ଆସୁଛି ତାର କୌଣସି ରେକର୍ଡ ନଥିଲା ବୋଲି ଅଭିଯୋଗ ହୋଇଥିଲା । ଏହାପରେ ସେହି ଟଙ୍କାର ସେୟାରକୁ ଅତି କମ ମୁଲ୍ୟରେ ବୈଜୟନ୍ତ ପଣ୍ଡା ଓ ତାଙ୍କ ପତ୍ନୀ ଜାଗି ମଙ୍ଗତ ପଣ୍ଡାଙ୍କୁ ମିଳିଥିବା ଅଭିଯୋଗ ହୋଇଥିଲା । ଜାତୀୟ ଗଣମାଧ୍ୟମ ଇଣ୍ଡିଆନ ଏକ୍ସପ୍ରେସରେ ଏହି ରିପୋର୍ଟ ପ୍ରକାଶ ପାଇଥିଲା ।