ଓଡ଼ିଶା ଭାଗ ଦେଉଛି, ତେଣୁ ବିଜ୍ଞାପନରେ ଲୋଗୋ ମଧ୍ୟ ରହୁ! ସୌଭାଗ୍ୟ ଯୋଜନାରେ କେନ୍ଦ୍ର ସରକାରଙ୍କ ସହ ଓଡ଼ିଶା ସରକାରଙ୍କ ଲୋଗୋ ରଖିବାକୁ ଦାବି କଲେ ଭର୍ତୃହରି

43

କନକ ବ୍ୟୁରୋ : କେନ୍ଦ୍ରୀୟ ଯୋଜନାରେ ଓଡ଼ିଶା ଭାଗ ଦେଉଛି । ହେଲେ ଏକଚାଟିଆ ଶ୍ରେୟ ନେବାକୁ ଉଦ୍ୟମ କରୁଛନ୍ତି କେନ୍ଦ୍ର ସରକାର । ଏଭଳି ଅଭିଯୋଗ କରିଛନ୍ତି ବିଜେଡ଼ି ସାଂସଦ ଭର୍ତ୍ତୃହରି ମହତାବ । ସୋଭାଗ୍ୟ ଯୋଜନାରେ ରାଜ୍ୟ ୪୦ ପ୍ରତିଶତ ଖର୍ଚ୍ଚ ବହନ କରୁଛି ଓ କିଛି ସ୍ଥାନରେ ବିଜୁ ଜ୍ୟୋତି ଯୋଜନାରେ ଶତ ପ୍ରତିଶତ ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର । ତେଣୁ ବିଜ୍ଞାପନରେ କେନ୍ଦ୍ର ସରକାରଙ୍କ ଲୋଗୋ ସହ ରାଜ୍ୟର ଲୋଗୋ ରଖିବାକୁ ଦାବି କରିଛନ୍ତି ଭର୍ତ୍ତୃହରି ।

ଘରେ ଘରେ ବିଜୁଳି ଯୋଗାଇ ଦେବା ନେଇ କେନ୍ଦ୍ର ସରକାର ବାହା ବାହା ନେଉଥିବା ବେଳେ ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି ବିଜେଡି ସାଂସଦ ଭର୍ତୃହରି ମହତାବ । ସୌଭାଗ୍ୟ ଯୋଜନାରେ କେନ୍ଦ୍ର ୬୦ ପ୍ରତିଶତ ଓ ରାଜ୍ୟ ୪୦ ପ୍ରତିଶତ ଖର୍ଚ୍ଚ କରୁଛି । ବିଜୁ ଗ୍ରାମ ଜ୍ୟୋତି ଯୋଜନାରେ ସବୁ ଅର୍ଥ ଖର୍ଚ୍ଚ କରୁଛି ରାଜ୍ୟ । ହେଲେ କେନ୍ଦ୍ର ସରକାର ସବୁ ଶ୍ରେୟ ନେବା ପାଇଁ ଉଦ୍ୟମ କରୁଛନ୍ତି ବୋଲି କହିଛନ୍ତି ଭର୍ତୃହରି । ସୌଭାଗ୍ୟ ଯୋଜନାରେ କେବଳ କେନ୍ଦ୍ର ସରକାରଙ୍କ ଲୋଗୋ କାହିଁକି ଲାଗିବ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ।

ନୟାଗଡରେ ଜିଲ୍ଲା ଡେଭଲପମେଂଟ କମିଟି ମିଟିଂରେ ଏ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଆଗରୁ ରହିଥିବା ଇଲେକ୍ଟ୍ରିକ ଖୁଂଟ ଓ ତାରରୁ ହିତାଧିକାରୀଙ୍କୁ ବିଦ୍ୟୁତ ସଂଯୋଗ ଦିଆଯାଉଥିବା ବେଳେ ଅନେକ ସ୍ଥାନରେ ବିଜୁ ଜ୍ୟୋତି ଫଣ୍ଡରୁ ନୂତନ ଭାବେ ଖୁଣ୍ଟ ଓ ତାର ପାଇଁ ବ୍ୟବସ୍ଥା କରାଯାଉଛି । ଆଉ କିଛି ସ୍ଥାନରେ ୧୦୦ ଶତକଡା ଖର୍ଚ୍ଚ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଉଛି । ତେଣୁ ସୌଭାଗ୍ୟ ଯୋଜନାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲୋଗୋ ଲଗାଇବା ପାଇଁ ବିଧାୟକମାନେ ପ୍ରସ୍ତାବ ଆଗତ କରିବା ପାଇଁ ପରାମର୍ଶ ଦେଇଛନ୍ତି ଭର୍ତୃହରି ।ବିଭିନ୍ନ ଯୋଜନାରେ କାହାର ଭାଗ୍ୟ କେତେ, କାହାର ଶ୍ରେୟ କେତେ ଏହାକୁ ନେଇ କେନ୍ଦ୍ର-ରାଜ୍ୟ ଭିତରେ ଟଣାଓଟରା ଚାଲିଛି । ଏବେ ସୌଭାଗ୍ୟ ଯୋଜନାରେ ରାଜ୍ୟର ଶ୍ରେୟ ଦାବି କରିଛନ୍ତି ଭର୍ତୃହରି ।