ବିଜେଡି ଛାଡିବେ ଭର୍ତୃହରି ? ପୁଣି ଏକ ସ୍ତମ୍ଭକୁ ନେଇ ଚର୍ଚ୍ଚାରେ ସାଂସଦ

27

କନକ ବ୍ୟୁରୋ : ପୁଣି ଚର୍ଚ୍ଚାରେ ସାଂସଦ ଭର୍ତୃହରି ମହତାବ । ବିଜେଡି ଛାଡିବା ନେଇ ଇଂଗିତ କରିଛନ୍ତି ବରିଷ୍ଠ ନେତା ଭର୍ତୃହରି ମହତାବ । କହିଛନ୍ତି, ଅସମ୍ମାନ ଯୋଗୁଁ ୧୯୯୬ରେ ଛାଡିଥିଲେ କଂଗ୍ରେସ । ଏକ ଦୈନିକ ଖବରକାଗଜରେ ଆଜି ଆଉ ଏକ ସ୍ତମ୍ଭ ଲେଖି କ୍ଷୋଭ ପ୍ରକାଶ କରିଛନ୍ତି ଭର୍ତୃହରି ମହତାବ । ପୂର୍ବ ସ୍ତମ୍ଭରେ ସେ ଲେଖିଥିଲେ ଯେ, ଦଳ ଭିତରେ ଫାଟ ଅଛି । ଆଜିର ସ୍ତମ୍ଭରେ ଭର୍ତୃହରଙ୍କ ପୂର୍ବ ଲେଖାକୁ ନେଇ ବିଜେଡି ନେତାଙ୍କ କଡା ପ୍ରତିକ୍ରିୟାରେ ଅସନ୍ତୋଷ କଥା ପ୍ରକାଶ କରିଛନ୍ତି ।

ସେ କହିଛନ୍ତି, ୧୯୯୬ରେ କଂଗ୍ରେସରେ କଣଠେସା ହେବା ପରେ ଦଳ ଛାଡି ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ ଜନତା ଦଳରେ ମିଶିଥିଲି । ଲୋକସଭା ଆସନକୁ ଲଢିବା ପାଇଁ ଟିକେଟ ବି ମିଳିଥିଲା । ନବୀନ ଦେଇଥିବା ଦାୟିତ୍ୱ ସେ ଠିକ୍ ଭାବେ ତୁଲାଇଛନ୍ତି । କିନ୍ତୁ ଏବେ ଯଦି ଦଳ ସୁପ୍ରିମୋ ଚାହିଁବେ ସେ ନିଜ ଦାୟିତ୍ୱରୁ ଓହରି ଯିବେ ବୋଲି ଲେଖିଛନ୍ତି ସାଂସଦ । ଏହାସହ ପୂର୍ବ ଲେଖାକୁ ନେଇ ବିଜେଡିର କିଛି ମନ୍ତ୍ରୀ ଓ ନେତା ସାଂସଦଙ୍କୁ ଟାର୍ଗେଟ କରିଥିଲେ । ଆଜିର ସ୍ତମ୍ଭରେ ସେ ଦଳର ମୁଖ୍ୟ ମୁଖପାତ୍ର ସୂର୍ଯ୍ୟ ପାତ୍ର ଓ ମନ୍ତ୍ରୀ ଦାମୋଦର ରାଉତକୁ ପରୋକ୍ଷରେ ସମାଲୋଚନା କରିଛନ୍ତି ।

କହିଛନ୍ତି , ଦଳରେ ଫାଟ ଥିବା କଥା କିଛି କୁଥାକୁହା ନେତାଙ୍କୁ ପସନ୍ଦ ହୋଇନି । ସେମାନେ ତାର ଇଂରାଜୀ ବୁଝିବାକୁ ଚେଷ୍ଟା କରୁଛନ୍ତି । କୌଣସି କଥାକୁ ତିନି ତୁଣ୍ଡରେ ଛେଳିକୁକୁର ନକରିବାକୁ ଏହି ସ୍ତମ୍ଭ ଲେଖିଥିବା କଥା ଭର୍ତୃହରି ସଫେଇ ଦେଇଛନ୍ତି । ଭର୍ତୃହରିଙ୍କ ପ୍ରଥମ ସ୍ତମ୍ଭ ନେଇ ସୂର୍ଯ୍ୟ ପାତ୍ର କହିଥିଲେ ଦଳରେ ଫାଟ ଥିଲେ ସେ କିଭଳି ୫ ଥର ଜିତିଲେ । ସେହିଭଳି ଦାମ କହିଥିଲେ, ଦିଲ୍ଲୀରେ ରହୁଥିବାରୁ ଭର୍ତୃହରି ବିଜେଡି କଥା ଜାଣିପାରୁନାହାନ୍ତି ।