ଅବସ୍ଥା ଦେଖି ବ୍ୟବସ୍ଥା ! ଏନଡ଼ିଏ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ବିଜେଡ଼ିର ସମର୍ଥନ ନେଇ ଭର୍ତ୍ତୃହରିଙ୍କ ବୟାନ୍

19

କନକ ବ୍ୟୁରୋ : ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ବିଜେଡିର ସମର୍ଥନ ନେଇ ନିଜ ଖବର କାଗଜରେ ଏକ ଲେଖା ଲେଖିଛନ୍ତି ବିଜେଡିର ଲୋକସଭା ସଂସଦୀୟ ଦଳର ନେତା ଭର୍ତ୍ତୃହରି ମହତାବ । ଏଥିରେ ଭର୍ତ୍ତୃହରି କହିଛନ୍ତି, ଅବସ୍ଥା ଦେଖି ବ୍ୟବସ୍ଥା କରିଛନ୍ତି ନବୀନ । ପାଣି ଗୋଳିଆ ହେବା ପୂର୍ବରୁ ସବୁ ସମାଧାନ କରିଦେଇଛନ୍ତି ନବୀନ ।

ଖବରକାଗଜ ପ୍ରଜାତନ୍ତ୍ରରେ ଭର୍ତ୍ତୃହରି ଲେଖିଥିବା ସ୍ତମ୍ଭ ଥିଲା କିଛି ଏପରି :
ଏକଦା ବିନୋବା ଭାବେ କହିଥିଲେ ଜ୍ଞାନୀ ହେଉଛି ସିଏ, ଯିଏ ବର୍ତମାନକୁ ଠିକ୍ ଭାବେ ବୁଝେ ଓ ପରିସ୍ଥିତି ଅନୁସାରେ ଆଚରଣ କରେ । ସେ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଠିକ୍ ପଦକ୍ଷେପ ନେଇଛନ୍ତି । ଯାହାକିଛି ପାଣି ଗୋଳିଆ ଧରିଥାନ୍ତା, ସେ ସ୍ଥିତିକୁ ଆରମ୍ଭରୁ ସଜାଡି ଦେଇଛନ୍ତି । ଯେଉଁମାନଙ୍କ ପାଖରୁ ବିରୋଧ ତ ନୁହେଁ ଗୁଂଜରଣ ଉଠିଥାନ୍ତା ସେମାନେ ଏବେ ନବୀନଙ୍କ ନିର୍ଣ୍ଣୟକୁ ଶତମୁଖରେ ଗ୍ରାହ୍ୟ କରୁଛନ୍ତି । ରାଷ୍ଟ୍ରପତି ପଦବୀ ଦଳୀୟ ରାଜନୀତିରୁ ଉର୍ଦ୍ଧ୍ୱରେ – ଏ କଥା କହି ଭାଜପା ପ୍ରାର୍ଥୀଙ୍କୁ ସମର୍ଥନ ଘୋଷଣା ବେଳେ ସେ ଅନ୍ୟ ଦଳର ନେତାଙ୍କ ପରି ମୂଲଚାଲ କରିବାକୁ ପସନ୍ଦ କରିନାହାନ୍ତି କି ମମତା ବାନାର୍ଜୀଙ୍କ ପରି ବିରୋଧ କରିନାହାନ୍ତି ।

ବିଜେପିର ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣାର କିଛି ଘଂଟା ପରେ ନବୀନ ନିଜ ସମର୍ଥନ ଘୋଷଣା କରିଥିଲେ । ଯାହାକୁ ନେଇ ପ୍ରଶ୍ନ ଉଠାଇଥିଲା କଂଗ୍ରେସ୍ । ସିବିଆଇ ଭୟରେ ବିଜେଡି ବିଜେପିକୁ ସମର୍ଥନ କଲା ବୋଲି ଅଭିଯୋଗ ଆଣିଥିଲା । ଭର୍ତ୍ତୃହରିଙ୍କ ଗୋଳିଆ ପାଣି ଆଶଙ୍କା କିଛି ଏହି ଦିଗକୁ ଦର୍ଶାଉନାହିଁ ତ ?

ବିଜେପିର ରଣନୀତିକୁ ମଧ୍ୟ ପ୍ରଶଂସା କରିବାକୁ ପଛାଇନାହାନ୍ତି ଭର୍ତ୍ତୃହରି । ବିଜେପି ରାମନାଥ କୋବିନ୍ଦଙ୍କ ପରି ଦଳିତ ନେତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରି ଗୋଟେ ତୀରରେ ଅନେକ ଶିକାର କରିଥିବା ଉଲ୍ଲେଖ କରିଛନ୍ତି ସେ ଯାହା ରାଜନୈତିକ ମହଳରେ ଚର୍ଚ୍ଚା ସୃଷ୍ଟି କରିଛି ।

ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ପୂର୍ବରୁ ମଧ୍ୟ ନିଜ ଲେଖା ମାଧ୍ୟମରେ ନବୀନଙ୍କ ଏହି ନିଷ୍ପତି ଉପରେ ପ୍ରଶ୍ନ ଉଠାଇଥିଲେ । ପ୍ରଶ୍ନ କରିଥିଲେ ମୋଦିଙ୍କ ଗୋଟିଏ ଫୋନ କଲରେ ନବୀନ ଏଭଳି ନିଷ୍ପତି କାହିଁକି ନେଲେ ? ଆଉ ଏବେ ଅବସ୍ଥା ଦେଖି ନବୀନ ବ୍ୟବସ୍ଥା କରୁଛନ୍ତି ବୋଲି କହି ଭର୍ତ୍ତୃହରି ନିଜ ଦଳର ନିଷ୍ପତିକୁ ପୁଣି ଥରେ ଚର୍ଚ୍ଚାକୁ ଟାଣି ଆଣିଛନ୍ତି ।