କାନ୍ଦୁଛି ବରଗଡ: ମୃତକଙ୍କ ପରିବାରକୁ ସହାୟତା ଘୋଷଣା କଲେ ସରକାର ଓ ଇଷ୍ଟର୍ଣ୍ଣ ଅପେରା

77

କାନ୍ଦୁଛି ବରଗଡ । ଦୁର୍ଘଟଣାରେ ମୃତ ୨୭ କଳାକାରଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ଶବ ବ୍ୟବଚ୍ଛେଦ ପରେ ମୃତଦେହ ଗୁଡିକୁ ନିଜ ଗାଁକୁ ପଠାଇ ଦିଆଯାଇଥିଲା । ପରେ ସମସ୍ତ ମୃତଦେହକୁ ରେମତା ଆଣା ଯାଇ ସେଠାରେ ସମୂହ ଶେଷକୃତ୍ୟ ସଂପନ୍ନ କରାଯାଇଛି । ଏବେ ରେମତା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଦେବଗଡ ଗଇଲୋ ଘାଟିରେ ହୋଇଥିବା ଦୁର୍ଘଟଣାରେ ଏହି ଗାଁର ନାଟ୍ୟଶ୍ରୀ ଭାରତୀ ଗଣନାଟ୍ୟର କଳାକାରଙ୍କର ମୃତୁ୍ୟ ହୋଇଛି । ଏଠି ଏବେ କାହାରି ମୁହଁରେ ଭାଷା ନାହିଁ, ସମସ୍ତେ ମ୍ରିୟମାଣ । ଗାଁ ପୁରା ସ୍ତବ୍ଧ ହୋଇ ଯାଇଛି । କାନ୍ଦବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ । ପ୍ରିୟଜନଙ୍କୁ ହରାଇ କିଏ ମୁଣ୍ଡରେ ହାତ ଦେଇ ବସିଛି ତ ଆଉ କିଏ ଚଟାଣରେ ଶୋଇ ଆଖିରୁ ଲୁହ ଗଡାଉଛି । ଦେବଗଡ ଗଇଲୋ ଘାଟିରେ ଯାତ୍ରା ପାର୍ଟି ବସ୍ ଦୁର୍ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକଙ୍କ ପରିବାରକୁ ସହାୟତା ରାଶି  ଘୋଷଣା କରିଛନ୍ତି ନବୀନ । ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ସହାୟତା ଦିଆଯିବା ସହ ଆହତଙ୍କ ସମସ୍ତ ଖର୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି । ଭାରତୀ ଗଣନାଟ୍ୟର ମୃତାହତ କଳାକରଙ୍କ ପାଇଁ ସହାୟତା ଘୋଷଣା କରିଛି ଇଷ୍ଟର୍ଣ୍ଣ ଅପେରା ,୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ଇଷ୍ଟର୍ଣ୍ଣ ମିଡିଆର ଅଧ୍ୟକ୍ଷ ସୌମ୍ୟ ରଂଜନ ପଟ୍ଟନାୟକ । ଯାତ୍ରା କଳାକାରଙ୍କ ପ୍ରତି ସରକାର ସହନଭୂତିଶୀଳ ହୁଅନ୍ତୁ ବୋଲି ସେ କହିଛନ୍ତି । ଯାତ୍ରାପାର୍ଟି ଗାଡି ଦୁର୍ଘଟଣାକୁ ନେଇ ଏବଂ ସରକାରଙ୍କ ପ୍ରତିକ୍ରିୟାକୁ ନେଇ ସେ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି ।