ଚୀନ୍‌କୁ ଭାରତର ଜବାବ : ଭୁଟାନ ଅଂଚଳ ଦଖଲ ଯୋଜନା ଭୁଲିଯାଅ

26

କନକ ବ୍ୟୁରୋ : ଭୁଟାନର ଅଂଚଳ ଦଖଲ ପାଇଁ ଚୀନ୍‌ର ଯୋଜନାକୁ ଭାରତ ବିରୋଧ କରିବା ପରେ ଉଭୟ ରାଷ୍ଟ୍ର ମଧ୍ୟରେ ସଂପର୍କ ଅଧିକରୁ ଅଧିକ ତିକ୍ତ ହେବାରେ ଲାଗିଛି । ଗତକାଲି ଚୀନ୍‌ ଭାରତକୁ ଧମକ ଦେଇ ୧୯୬୨ ଯୁଦ୍ଧ ପରାଜୟରୁ ଭାରତ ଶିକ୍ଷା ଗ୍ରହଣ କରି ତୁରନ୍ତ ସେନା ପ୍ରତ୍ୟାହାର କରୁ ବୋଲି କହିଥିବାରୁ ଆଜି ଭାରତ ଏହାର କଡ଼ା ଜବାବ ଦେଇଛି ।  ଚୀନ୍‌ ୧୯୬୨ ମସିହାର ଭାରତ କଥା ଚିନ୍ତା କରିବା ଆବଶ୍ୟକ ନାହିଁ, ୧୯୬୨ ଏବଂ ୨୦୧୭ ମଧ୍ୟରେ ବହୁତ ବଡ଼ ଫରକ ରହିଥିବାରୁ ଚୀନ୍‌ ୨୦୧୭ କଥା ଚିନ୍ତାକରୁ ବୋଲି ପ୍ରତିରକ୍ଷା ମନ୍ତ୍ରୀ ଅରୁଣ ଜେଟ୍‌ଲି କହିଛନ୍ତି ।

ଚୀନ୍‌ ତା’ର ବିସ୍ତାର ନୀତି ଛାଡ଼ି ଅନ୍ୟ ରାଷ୍ଟ୍ରର ସୀମାକୁ ସମ୍ମାନ ଦେଇ ଶିଖିବା ଆବଶ୍ୟକ ଏବଂ ୨୦୧୭ର ଭାରତ ଏକ ଭିନ୍ନ ଭାରତ ବୋଲି ଜାଣିରଖିବା ଦରକାର ବୋଲି ଜେଟ୍‌ଲି ଚେତାଇ ଦେଇଛନ୍ତି । ଭୁଟାନ ସୀମାକୁ ରକ୍ଷା କରିବା ପାଇଁ ଭାରତ-ଭୁଟାନ ମଧ୍ୟରେ ଯେଉଁ ଚୁକ୍ତି ହୋଇଛି, ସେ ସଂପର୍କରେ ଚୀନ୍‌ ଭଲଭାବେ ଅବଗତ ଥିବାରୁ ସ୍ଥିତାବସ୍ଥାକୁ ସମ୍ମାନ ଦେଇ କାମ କରିବାକୁ ବାଧ୍ୟ ବୋଲି ଜେଟ୍‌ଲି କହିଛନ୍ତି । ଭୁଟାନ-ସିକିମି-ତିବ୍ଦତ ସୀମାରେ ପୂର୍ବ ସ୍ଥିତି କାଏମ ରଖିବାକୁ ଭାରତ ସମସ୍ତ ପଦକ୍ଷେପ ନେବ ବୋଲି ସେ କହିଛନ୍ତି ।

ଡଙ୍ଗଲାଙ୍ଗଠାରେ ଚୀନ୍‌ର ରାସ୍ତା ନିର୍ମାଣ କାର୍ଯ୍ୟକୁ ଇତିମଧ୍ୟରେ ଭାରତ ସଂପୂର୍ଣ୍ଣ ବନ୍ଦ କରିବାକୁ ସକ୍ଷମ ହୋଇଛି ଏବଂ ଭୁଟାନର ସୁରକ୍ଷା ପାଇଁ ଭାରତ ତୟାର ବୋଲି  ଜେଟ୍‌ଲି କହିଛନ୍ତି । ନାଥୁଲା ପାସ୍‌ ନିକଟବର୍ତ୍ତୀ ଅଞ୍ଚଳକୁ କବଜା କରିବା ପାଇଁ ଚୀନ୍‌ର ଯୋଜନାକୁ ଭାରତୀୟ ସେନା ପଣ୍ଡ କରିବା ପରେ ଚୀନ୍‌ ଏବେ ତୁହାକୁ ତୁହା ଧମକ ଦେବାରେ ଲାଗିଛି । ଚୀନ୍‌ ସେନା ତିବ୍ଦତ ମାଳଭୂମିରେ ନିଜର ଅତ୍ୟାଧୁନିକ ଲଢ଼ୁଆ ଟ୍ୟାଙ୍କ୍ ପରୀକ୍ଷା କରିବା ପରେ ଏହାର ମୁକାବିଲା ପାଇଁ ଭାରତ ମଧ୍ୟ ତତ୍ପରତାର ସହ ପଦକ୍ଷେପ ନେଉଛି ।