ସରକାରୀ ଅନ୍ୟାୟର ପ୍ରତିବାଦ : ନିର୍ମାଣ ସୌଧ ସମ୍ମୁଖରେ ଅନଶନରେ ବସିଲେ ଭରତ ସାହୁ

49

କନକ ବ୍ୟୁରୋ : ପଦୋନ୍ନତି ନ ମିଳିବା, ମନଇଚ୍ଛା ଦରମା ବନ୍ଦ ଓ ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗରେ ଚାଲିଥିବା ଆଖିବୁଜା ଦୁର୍ନୀତି ପ୍ରତିବାଦରେ ନିର୍ମାଣ ସୌଧ ସମ୍ମୁଖରେ ଆମରଣ ଅନଶନ ଆରମ୍ଭ କରିଛନ୍ତି ରାସ୍ତା ଓ ଗୃହ ବିଭାଗର ଅବସରପ୍ରାପ୍ତ କନିଷ୍ଠ କିରାଣି ଭରତ ଚନ୍ଦ୍ର ସାହୁ ।

ଶ୍ରୀ ସାହୁଙ୍କ କହିବାନୁଯାୟୀ, ୧୯୭୯ ମସିହାରେ ବାଲେଶ୍ୱରର ରାସ୍ତା ଓ ଗୃହ ବିଭାଜନରେ ଚାକିରିରେ ଯୋଗ ଦେଇଥିଲେ। ତେବେ ୨୦୧୦ ମସିହା ମଧ୍ୟରେ ତାଙ୍କୁ ୧୮ଥର ବଦଳି କରାଯାଇଥିଲା । ବିଭିନ୍ନ ସମୟରେ ୩ଟି ମିଥ୍ୟା ମାମଲା ରୁଜୁ କରାଯାଇଥିଲା, ଯାହାକି ପରବର୍ତ୍ତି ସମୟରେ କୋର୍ଟରେ ମିଥ୍ୟା ପ୍ରମାଣିତ ହୋଇଥିଲା । ଏପରିକି ତାଙ୍କୁ ୨ଥର ଚାକିରିରୁ ନିଲମ୍ବନ କରାଯିବା ସହିତ ୩ଟି ପଦୋନ୍ନତି ଦିଆଯାଇ ନଥିଲା । ୨୦୦୬ରୁ ୨୦୧୪ ମସିହା ମଧ୍ୟରେ ଦରମାକୁ ବନ୍ଦ କରି ଦିଆଯାଇଥିଲା ।

୨୦୧୬ ମସିହାରେ ଚାକିରିରୁ ଅବସର ଗ୍ରହଣ କରିବା ପରେ ଏ ନେଇ ବହୁ ସମୟରେ ଦାବି କରି ଆସୁଥିଲେ ହେଁ କେହି ତାଙ୍କ କଥା ଶୁଣୁ ନ ଥିବା ଭରତଙ୍କର ଅଭିଯୋଗ କରିବା ସହିତ ସେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା କଥା କହିଛନ୍ତି । ମାତ୍ର ଆଜି ପର୍ଯ୍ୟନ୍ତ କୌଣସି ସମସ୍ୟାର ସମାଧାନ ହୋଇପାରି ନାହିଁ । ଏହାର ପ୍ରତିବାଦରେ ସେ ନିର୍ମାଣ ସୌଧ ସମ୍ମୁଖରେ ଆମରଣ ଅନଶନ ଆରମ୍ଭ କରିଥିବା କଥା କହିଛନ୍ତି । ତେବେ ପୁଲିସ ଜରିଆରେ ଚାପ ପକାଇ ତାଙ୍କୁ ସେଠାରୁ ବାହାର କରିବାକୁ ଉଦ୍ୟମ କରାଯାଉଥିବା ସେ ଅଭିଯୋଗ କରିଛନ୍ତି ।