୧୨ ଦଫା ଦାବିରେ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନର ବନ୍ଦ ପାଳନ : ବିଭିନ୍ନ ଷ୍ଟେସନରେ ରୋଳରୋକ, ଟାୟାର ଜାଳି ରାସ୍ତା ଅବରୋଧ

39

କନକ ବ୍ୟୁରୋ : ଭାରତ ବନ୍ଦ । ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଏହି ବନ୍ଦ ପାଳନ କରୁଛନ୍ତି । ୧୨ଟି ଦାବି ନେଇ ସଂଗଠନଗୁଡିକ ଏହି ବନ୍ଦ ଡାକରା ଦେଇଛନ୍ତି । ଦରଦାମ ବୃଦ୍ଧି ଉପରେ ରୋକ ଲଗାଇବା, ଅତ୍ୟାବଶ୍ୟକ ସାମଗ୍ରୀର ଦର କମାଇବା, ସର୍ବନିମ୍ନ ମାସିକ ମଜୁରି ୧୮ ହଜାର ଟଙ୍କା ଘୋଷଣା କରିବା, ଠିକା ଶ୍ରମିକଙ୍କୁ ସ୍ଥାୟୀ କରିବା, ୬୦ବର୍ଷ ପରେ ସର୍ବନିମ୍ନ ୩ହଜାର ଟଙ୍କା ପେନସନ ପ୍ରଦାନ କରିବା ଆଦି ଦାବିରେ ବନ୍ଦ ପାଳନ କରାଯାଉଛି । ସଂଗଠନଗୁଡିକ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଶ୍ରମ ସଂସ୍କାର ନାଁରେ କେନ୍ଦ୍ର ସରକାର ଅନେକ ଶ୍ରମିକ ବିରୋଧୀ ଆଇନ ଆଣୁଛନ୍ତି ।

ଦୁଇଟି ବଜେଟରେ ମହିଳା, ଶିଶୁ ବିକାଶ ଓ ସାମାଜିକ ସୁରକ୍ଷା ଖର୍ଚ୍ଚ କାଟ କରାଯାଇଛି । ଏହି ବନ୍ଦ ଯୋଗୁ ବ୍ୟାଙ୍କିଙ୍ଗ ସେବା, ପବ୍ଲିକ୍ ଟ୍ରାନସପୋର୍ଟ ଓ ଟେଲିକମ ବିଭାଗ ବ୍ୟାପକ ଭାବେ ପ୍ରଭାବିତ ହେବାର ଆଶଙ୍କା କରାଯାଉଛି । ବ୍ୟାଙ୍କିଙ୍ଗ ସେବା ସହ ଜଡିତ ୫ଟି ସଂଗଠନ ଏହି ବନ୍ଦକୁ ସମର୍ଥନ ଜଣାଇଛନ୍ତି । ତେଣୁ ବ୍ୟାଙ୍କିଙ୍ଗ ସେବା ଏକ ପ୍ରକାର ଠପ୍ ହୋଇଯିବାର ସମ୍ଭାବନା ରହିଛି । କେବଳ ଅଲ ଇଣ୍ଡିଆ ବ୍ୟାଙ୍କିଂ ଅଫିସର୍ସ କନଫଡେରେସନ ଏହି ଆନ୍ଦୋଳନରୁ ଓହରିଯାଇଛି ।