ଶ୍ରମିକ ସଙ୍ଗଠନ ଧର୍ମଘଟର ଆଜି ଦ୍ୱିତୀୟ ଦିନ । ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ପିକେଟିଂ ଓ ପ୍ରଦର୍ଶନ

132

କନକ ବ୍ୟୁରୋ: ଆଜି ବି ବନ୍ଦ୍ । ମୋଦି ହଟାଅ, ଦେଶ ବଂଚାଅ ଆହ୍ୱାନରେ ବିଭିନ୍ନ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଦୁଇ ଦିନିଆ ବନ୍ଦ ଡାକରାର ଆଜି ଦ୍ୱିତୀୟ ଦିନ । ପ୍ରଥମ ଦିନରେ ଧର୍ମଘଟର ପ୍ରଭାବ ସାରା ରାଜ୍ୟରେ ପଡିଥିଲା । ଦିନତମାମ ସବୁକିଛି ଠପ୍ ହୋଇଯାଇଥିଲା ।ବସ୍, ଅଟୋ ଚଳାଚଳ ବନ୍ଦ୍ ହେବା ଯୋଗୁଁ ଗମନାଗମନ ବ୍ୟବସ୍ଥା ଭୀଷଣ ପ୍ରଭାବିତ ହୋଇଥିଲା । ରାଜ୍ୟର ପ୍ରମୁଖ ସହରାଂଚଳରେ ଦୋକାନବଜାର ବନ୍ଦ୍ ରହିଥିଲା । ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରୁଥିବାରୁ ମୁଖ୍ୟ ରାସ୍ତାଗୁଡିକରେ ଗାଡିମୋଟର ଯାତାୟତ କରିପାରିନଥିଲା । ତେବେ କିଛି ସ୍ଥାନରେ ଛୋଟ ଛୋଟ ଗଣ୍ଡଗୋଳ ହୋଇଥିଲେ ବି ବଡ ଧରଣର ହିଂସାକାଣ୍ଡ ଦେଖିବାକୁ ମିଳିନଥିଲା ।

 

ଆଜି ମଧ୍ୟ ହରତାଳ ଜାରି ରଖିଛନ୍ତି ଶ୍ରମିକ ସଂଗଠନ । ୧୨ଦଫା ଦାବି ନେଇ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଧର୍ମଘଟକୁ ବିଜେପି ବାଦ ଅନ୍ୟ ସମସ୍ତ ପ୍ରମୁଖ ରାଜନୈତିକ ଦଳ ସମର୍ଥନ କରିଛନ୍ତି । ଯଦିଓ ସେମାନେ ସିଧାସଳଖ ରାସ୍ତାକୁ ଓହ୍ଲାଇ ନାହାନ୍ତି, ତେବେ ସେମାନଙ୍କର ସମର୍ଥନରୁ ଧର୍ମଘଟର ଜୋରଦାର ପ୍ରଭାବ ପଡିଛି । ଧର୍ମଘଟ ଯୋଗୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିଲା । ପରିବହନ ବ୍ୟବସ୍ଥା ଠପ୍ ହୋଇଯାଇଥିବାରୁ ଲୋକମାନେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗିଥିଲେ । ତେବେ ଅନେକ ସ୍ଥାନରେ ବନ୍ଦକୁ ଜନତା ସ୍ୱତସ୍ପୂର୍ତ ଭାବେ ମଧ୍ୟ ସମର୍ଥନ ଜଣାଇଛନ୍ତି ।

ସେପଟେ, ଧର୍ମଘଟର ପ୍ରଭାବ ରେଳ ସେବା ଉପରେ ପଡିଛି । ପ୍ରଥମ ଦିନରେ ପୂର୍ବତଟ ରେଳପଥ ଅଧୀନରେ ଚଳାଚଳ କରୁଥିବା ୭ଟି ଟ୍ରେନକୁ ଉଭୟ ପାଶ୍ୱର୍ରୁ ବାତିଲ କରାଯାଇଥିବାବେଳେ ଦୁଇଟିକୁ ଗୋଟିଏ ପାଶ୍ୱର୍ରୁ ବାତିଲ କରାଯାଇଥିଲା । ୨୦ଟି ଟ୍ରେନ୍ ବିଭିନ୍ନ ଷ୍ଟେସନରେ କିଛି ସମୟ ଅଟକି ରହିବା ପରେ ପୁଣି ଥିରେ ଚଳାଚଳ କରିଥିଲା । ତେବେ ଆଜି ବି ଆନ୍ଦୋଳନ ଜାରି ରହିଥିବାରୁ ଏହାର ପ୍ରଭାବ ଟ୍ରେନ ସେବା ଉପରେ ପଡିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ଆଶଙ୍କା ପ୍ରକାଶ ପାଇଛି ।