ଦିଲ୍ଲୀରେ ରାହୁଲ ଗାନ୍ଧିଙ୍କ ଶକ୍ତି ପ୍ରଦର୍ଶନ । ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲେ କଂଗ୍ରେସ ଅଧ୍ୟକ୍ଷ । କହିଲେ, ତୈଳ ଦର ନେଇ ଚୁପ ପ୍ରଧାନମନ୍ତ୍ରୀ

42

କନକ ବ୍ୟୁରୋ: ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି ପ୍ରତିବାଦରେ ଆଜି ଭାରତ ବନ୍ଦ ପାଳନ କରୁଛି କଂଗ୍ରେସ । ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ବନ୍ଦ ପାଳନ ଅପରାହ୍ନ ୩ଟା ଯାଏଁ ଚାଲିବ । କଂଗ୍ରେସର ଏହି ବନ୍ଦ ଡାକରାକୁ ୧୭ଟି ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି । ବିଶେଷକରି ସିପିଆଇ, ସିପିଏମ୍, ଜନତା ଦଳ ସେକ୍ୟୁଲାର, ମହାରାଷ୍ଟ୍ର ନବନିର୍ମାଣ ସେନା, ଆରଜେଡି, ଏନ୍ସିପି, ବିଏସ୍ପି, ଡିଏମ୍କେ ଭଳି ଦଳ କଂଗ୍ରେସର ଏହି ବନ୍ଦକୁ ସମର୍ଥନ କରିଛନ୍ତି । ଏହା ବ୍ୟତିତ କିଛି ପରିବହନ ସଂସ୍ଥା ମଧ୍ୟ ବନ୍ଦ ପାଳନକୁ ସମର୍ଥନ ଜଣାଇନ୍ତି ।

ସେହିପରି ପେଟ୍ରୋଲ ଓ ଡ଼ିଜେଲ ଦର ବୃଦ୍ଧି ପ୍ରତିବାଦରେ ସାମିଲ ହୋଇଛନ୍ତି କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧୀ । ରାହୁଲ ରାଜଘାଟରେ ପହଂଚି ଗାନ୍ଧୀ ସ୍ମୃତିପୀଠରେ ଶ୍ରଦ୍ଧାଂଜଳୀ ଦେଇ ଆନ୍ଦୋଳନ ଆରମ୍ଭ କରିଛନ୍ତି । କୈଳାଶ ମାନସରୋବର ଯାତ୍ରାରୁ ଫେରିବା ପରେ କଂଗ୍ରେସ ଅଧ୍ୟକ୍ଷ ରହୁଲ ଗାନ୍ଧୀ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଶତାଧିକ ସମର୍ଥକଙ୍କ ସହ ରାହୁଲ ପଦଯାତ୍ରା କରିଥିବାର ମଧ୍ୟ ଦେଖିବାକୁ ମିଳିଛି ।

ରାହୁଲ ଗାନ୍ଧୀଙ୍କ ବ୍ୟତୀତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ସୋନିଆ ଗାନ୍ଧୀ ଏବଂ ଏନସିପି ନେତା ଶରଦ ପାୱାର ପ୍ରମୁଖ ଏହି ରାଲିରେ ସାମିଲ ହୋଇଛନ୍ତି । ରାମଲିଲା ମୈଦାନରେ ଏହି ସମସ୍ତଙ୍କୁ ଏକାଠି ହୋଇଥିବାର ଦେଖିବାକୁ ମିଳିଥିଲା । ବିରୋଧି ଦଳ ପକ୍ଷରୁ ଡ଼କାଯାଇଥିବା ଏହି ଆନ୍ଦୋଳନରେ ଆମ୍ ଆଦମୀ ପାର୍ଟି ର ସାଂସଦ ସଂଜୟ ସିଂହ, ଟିଏମସି ନେତା ମଧ୍ୟ ନଜର ଆସିଥିଲେ । ଏହା ବ୍ୟତିତ ଶରଦ ଯାଦବ, ତରିକ ଅନୱାର, ଆରଜେଡ଼ି ନେତା ମନୋଜ ଝା, ଜେଡ଼ିଏସ ନେତା ଦିନେଶ ଅଲି ପ୍ରମୁଖ ବରିଷ୍ଠ ନେତା ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ ।