ଏସସି-ଏସଟି ଆଟ୍ରୋସିଟି ଆକ୍ଟରେ ସୁପ୍ରିମକୋର୍ଟଙ୍କ ସଂଶୋଧନ ନିର୍ଦ୍ଦେଶକୁ ବିରୋଧ : ଆଜି ବିଭିନ୍ନ ଦଳିତ ସଂଗଠନର ଭାରତ ବନ୍ଦ, ଆଜି ରିଭ୍ୟୁ ପିଟିସନ ଦାଖଲ କରିପାରନ୍ତି କେନ୍ଦ୍ର ସରକାର

51

କନକ ବ୍ୟୁରୋ : ଆଇନରେ ସଂଶୋଧନକୁ ନେଇ ଅନୁସୂଚିତ ଜାତି ଓ ଉପଜାତିଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ବନ୍ଦ ଡାକରା ଦିଆଯାଇଛି । ଏହାର ପ୍ରଭାବରେ ସମ୍ବଲପୁର ଓ ବଲାଙ୍ଗୀରରେ ରେଳ ରୋକ୍ କରାଯାଇଛି । ଏହି ଆଇନ ଦ୍ୱାରା ଦଳିତଙ୍କ ଉପରେ ହିଂସା ବୃଦ୍ଧି ପାଇବ ବୋଲି ଦର୍ଶାଇ ଦେଶର ବିଭିନ୍ନ ଦଳିତ ସଂଗଠନଗୁଡିକ ବିକ୍ଷୋଭ ଜାରି ରଖିଛନ୍ତି । କେନ୍ଦ୍ର ସରକାର ତୁରନ୍ତ ରିଭ୍ୟୁ ପିଟିସନ ଦାଖଲ କରିବା ଦାବିରେ ଆଜି ବିଭିନ୍ନ ରାଜ୍ୟରେ ବନ୍ଦ ଡାକରା ଦିଆଯାଇଛି । ବିରୋଧୀ ଦଳଗୁଡିକ ବନ୍ଦକୁ ସମର୍ଥନ ଜଣାଇଥିବାରୁ ବିଭିନ୍ନ ରାଜ୍ୟରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପଂଜାବ ସମେତ କଂଗ୍ରେସ ଶାସିତ ରାଜ୍ୟରେ ଏହାର ପ୍ରଭାବ ଅନୁଭୂତ ହେବାର ସମ୍ଭାବନା ରହିଛି ।

ତଫିସିଲଭୁକ୍ତ ଜାତି ଓ ଉପଜାତି ଆଇନରେ ସଂଶୋଧନ ପ୍ରସ୍ତାବକୁ ନେଇ ସୁପ୍ରିମକୋର୍ଟଙ୍କ ରାୟର ପୁନର୍ବିଚାର ପାଇଁ ଆଜି ରିଭ୍ୟୁ ପିଟିସନ ଦାଖଲ କରିବେ କେନ୍ଦ୍ର ସରକାର । କୋର୍ଟଙ୍କ ରାୟ ପ୍ରତିବାଦରେ ଆଜି ବନ୍ଦ ପାଳନ କରୁଥିବା ସଂଗଠନଗୁଡିକୁ ନିଷ୍ପତ୍ତି ପ୍ରତ୍ୟାହାର ପାଇଁ ଅପିଲ କରିଛନ୍ତି କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରୀ ଥାୱରଚନ୍ଦ ଗେହଲଟ । ଏସସି-ଏସଟି ପ୍ରିଭେନସନ ଅଫ ଆଟ୍ରୋସିଟିଜ ଆକ୍ଟ-୧୯୮୯କୁ ସଂଶୋଧନ କଲେ କଣ ସବୁ ସମସ୍ୟା ସୃଷ୍ଟି ହେବ ସେନେଇ ଯୁକ୍ତି ସଂଗତ ତଥ୍ୟ ସୁପ୍ରିମକୋର୍ଟରେ ଦାଖଲ କରିବ କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରାଳୟ । ବିଭିନ୍ନ ସମୟରେ ଏସସି-ଏସଟି ନିର୍ଯାତନା ନିବାରଣ ଆଇନ-୧୯୮୯ର ଦୁରୁପଯୋଗ ହେଉଥିବା ଦର୍ଶାଇ ସୁପ୍ରିମକୋର୍ଟ ଗତ ମାର୍ଚ୍ଚ ୨୦ ତାରିଖରେ ଏହାକୁ ସଂଶୋଧନ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ । କୋର୍ଟ କହିଥିଲେ ଏହି ଆଇନ ବଳରେ ମାମଲା ରୁଜୁ ହେଲେ ସଚ୍ଚୋଟ ଅଧିକାରୀମାନଙ୍କୁ ତୁରନ୍ତ ଗିରଫ କରାଯାଇ ପାରିବ ନାହିଁ । ଏସସି-ଏସଟି ବର୍ଗର କେହି ନିର୍ଯାତିତ ଏତଲା ଦାୟର କଲେ ଡିଏସପି ସ୍ତରୀୟ ଅଧିକାରୀ ତଦନ୍ତ କରିବେ ବୋଲି କହିଥିଲେ ଜଷ୍ଟିସ ଆଦର୍ଶ ଗୋୟଲ ଓ ୟୁୟୁ ଲଲିତଙ୍କ ଖଣ୍ଡପୀଠ ।