ବନ୍ଦ ଚାଲିଛି, ପ୍ରଭାବ କମିଛି । ଶ୍ରମିକ ସଙ୍ଗଠନ ଧର୍ମଘଟର ଆଜି ଦ୍ୱିତୀୟ ଦିନ । ଜାରି ରହିଛି ହରତାଳ, କମିଛି ପ୍ରଭାବ, ଚାଲୁଛି ଛୋଟ ଛୋଟ ଗାଡି ମୋଟର

105

କନକ ବ୍ୟୁରୋ: ମୋଦି ହଟାଅ, ଦେଶ ବଂଚାଅ ଆହ୍ୱାନରେ ବିଭିନ୍ନ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଦୁଇ ଦିନିଆ ବନ୍ଦ ଡାକରାର ଆଜି ଦ୍ୱିତୀୟ ଦିନ । ତେବେ କାଲି ଅପେକ୍ଷା ଆଜି ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ କମ୍ ରହିଛି । ବିଭିନ୍ନ ସ୍ଥାନରେ ଆଜି ପିକେଟିଂ କରାଯାଉଥିଲେ ବି କାଲିଭଳି ଦେଖିବାକୁ ମିଳିନାହିଁ । ଭୁବନେଶ୍ୱର ଷ୍ଟେସନରେ ରେଳ ଧାରଣା ଉପରେ ପିକେଟିଂ କରିବା ସହ ରେଳରୋକ କରିଥିଲେ ବିଭିନ୍ନ ଶ୍ରମିକ ସଂଗଠନ ।

ତେବେ ରାସ୍ତାରେ ଛୋଟ ଛୋଟ ଗାଡି ଚଳାଚଳ କରୁଛି । କିନ୍ତୁ ବଡ ଗାଡି ଚଳାଚଳ କରୁନଥିବା ଦେଖିବାକୁ ମିଳିଛି । ସେପଟେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ରାଜ୍ୟର ଅନେକ ଜିଲ୍ଲାର ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ବନ୍ଦ ଘୋଷଣା କରିଛନ୍ତି ସମ୍ପୃକ୍ତ ଜିଲ୍ଲାର ଜିଲ୍ଳାପାଳ ।

ପୁରୀରେ ମଧ୍ୟ ଧର୍ମଘଟର ପ୍ରଭାବ ଦେଖିବାକୁ ମିଳିଛି । ଆଜି ବି ପୁରୀରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଛୋଟ ଛୋଟ ଗାଡି ଚାଲୁଥିଲେ ବସ ଚଳାଚଳ ବନ୍ଦ ରହିଛି । ତେଣୁ ଶ୍ରୀକ୍ଷେତ୍ରରେ ଯାତ୍ରୀଙ୍କ ସଂଖ୍ୟା କମିଛି । ଯାହା ଫଳରେ ବ୍ୟବସାୟ ପ୍ରଭାବିତ ହୋଇଛି । ଏହା ସହିତ ବିଭିନ୍ନ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ଯୋଗୁଁ ପାଠପଢ଼ା ବ୍ୟାଘାତ ହୋଇଛି ।

ସେହିପରି କେନ୍ଦ୍ରାପଡା ଜିଲ୍ଲାର ଜିଲ୍ଲା ମୁଖ୍ୟାଳୟରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ କେନ୍ଦ୍ରାପଡାର ତିନିମୁହାଣି ଛକରେ ପିକେଟିଂ କରିବା ସହ ରାସ୍ତାରୋକ କରିଛନ୍ତି । କେନ୍ଦ୍ର ବିରୋଧରେ ନାରାବାଜି କରିବା ସହ ଶ୍ରମିକ ସଂଗଠନର ଧର୍ମଘଟ ସଫଳ ହୋଇଛି ବୋଲି କହିଛନ୍ତି ଆନ୍ଦୋଳନକାରୀ ।