ଆଜି ଭାରତ ବନ୍ଦ । ସାଧାରଣ ବର୍ଗ ଓ ଓବିସି ସଙ୍ଗଠନ ପକ୍ଷରୁ ବନ୍ଦ ଡାକରା

ଓଡିଶାରେ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିନାହିଁ  ।ଗାଡି ଚଳାଚଳ ସ୍ୱାଭାବିକ, ଦୋକାନ ବଜାର ଖୋଲା

492

କନକ ବ୍ୟୁରୋ : ଆଜି ଭାରତ ବନ୍ଦ । ଆରକ୍ଷଣ ବିରୋଧୀ ସଂଗଠନମାନଙ୍କ ସହିତ ଅନ୍ୟ ଓବିସି ଓ ସାଧାରଣ ବର୍ଗ ସଙ୍ଗଠନମାନଙ୍କ ପକ୍ଷରୁ ଜାତିଭିତ୍ତିକ ଆଟ୍ରୋସିଟି ଆଇନ ପ୍ରତ୍ୟାହାର ଦାବିରେ ପୁଣି ଥରେ ଆସନ୍ତା କାଲି ପାଇଁ ଭାରତ ବନ୍ଦ ଡାକରା ଦିଆଯାଇଛି । ସୂଚନାଯୋଗ୍ୟ, ଯେ କୌଣସି ବଡ ରାଜନୈତିକ ଦଳ କିମ୍ବା ଆଖିଦୃଶିଆ ବ୍ୟକ୍ତି ବିଶେଷଙ୍କ ବିନା ସହଯୋଗରେ ତିନି ତିନି ଥର ଭାରତବନ୍ଦ ହୋଇସାରିଲା ପରେ ଏହା ଏବେ ଏକ ରାଜନୈତିକ ରୂପରେଖ ନେବାରେ ଲାଗିଛି । ତେବେ ଏହି ବନ୍ଦ ଡାକରା ସକାଳ ୬ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟାରେ ଶେଷ ହେବ ବୋଲି ସୂଚନା ମିଳିଛି । ତେବେ ଓଡିଶାରେ ଏହାର ପ୍ରଭାବ ସେମିତି ଦେଖିବାକୁ ମିଳିନାହିଁ । ଗାଡି ଚଳାଚଳ ସ୍ୱାଭାବିକ ରହିଥିବା ବେଳେ ଦୋକାନ ବଜାର ମଧ୍ୟ ଖୋଲା ରହିଛି । ମୋଟାମୋଟି ଭାବେ କହିବାକୁ ଗଲେ ଭାରତ ବନ୍ଦର ଟିକିଏ ବି ପ୍ରଭାବ ଓଡିଶାରେ ଦେଖିବାକୁ ମିଳିନାହିଁ । କିନ୍ତୁ ଭାରତ ବନ୍ଦର ଡାକରା ଦିଆଯାଇଥିବାରୁ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ପୋଲିସ ସଜାଗ ରହିବା ସହ ବ୍ୟାପକ ବ୍ୟବସ୍ଥା ମଧ୍ୟ କରାଯାଇଛି ।

ଏହାପୂର୍ବରୁ ସେପ୍ଟେମ୍ବର ୬ ତାରିଖ ଭାରତ ବନ୍ଦ ପରେ ଆଧ୍ୟାତ୍ମିକ କଥାବାଚକ ଦେବକୀନନ୍ଦ ମହାରାଜଙ୍କ ଅଭ୍ୟୁଦୟ ଜାତିଭିତ୍ତିକ ଏସସି କିମ୍ବା ଏସଟି ଆଟ୍ରୋସିଟି ବିରୋଧୀ ଆନ୍ଦୋଳନକୁ ଏକ ନୂଆ ଆୟାମ ପ୍ରଦାନ କରିଛି । କେନ୍ଦ୍ରରେ ବିଶ୍ୱଶକ୍ତି ପାର୍ଟି, ଆରକ୍ଷଣ ବିରୋଧୀ ପାର୍ଟି, ଅନାରକ୍ଷିତ ସମାଜ ପାର୍ଟି, ପବ୍ଲିକ ପଲିଟିକାଲ ପାର୍ଟି ଭଳି ରାଜ୍ୟ ସ୍ତରରେ କଳିଙ୍ଗ ନ୍ୟାସନାଲ ଫ୍ରଣ୍ଟ ଭଳି ରାଜନୈତିକ ଦଳମାନେ ଏହି ଆନ୍ଦୋଳନ ପଛରେ ଛିଡା ହେବାକୁ ଆରମ୍ଭ କଲେଣି । ଦେଶର ଏକତା ଓ ଅଖଣ୍ଡତା ବିରୋଧୀ ଜାତିଭିତ୍ତିକ ଆଇନ ବିରୁଦ୍ଧରେ ରୁଦ୍ରନାରାୟଣ ସେନା ତାର ଦଳବଳ ନେଇ ରାସ୍ତାକୁ ଓହ୍ଳାଇବ ବୋଲି ସେନାମୁଖ୍ୟ ସୀତାରାମ ଶତପଥୀ ସୂଚନା ଦେଇଛନ୍ତି ।