ସାରା ରାଜ୍ୟରେ ବନ୍ଦର ପ୍ରଭାବ ! ଗାଡ଼ି ଚଳାଚଳ ବାଧାପ୍ରାପ୍ତ, ବିଭିନ୍ନ ସ୍ଥାନରେ ରେଳରୋକ

182

କନକ ବ୍ୟୁରୋ : ଆଜିଠୁ ଦୁଇଦିନିଆ ଭାରତବନ୍ଦ । ଆଜିଠାରୁ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଦୁଇଦିନିଆ ଭାରତ ବନ୍ଦ ଡାକରା ଦେଇଛି । ଏହି ବନ୍ଦ ଆଜିି ଅର୍ଥାତ ୮ ଓ ୯ ତାରିଖ ଦୁଇଦିନ ଧରି ଚାଲିବ । ଦେଶର ବାମପନ୍ଥୀ ଚାଷୀ ସଂଗଠନଗୁଡ଼ିକ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି ।

ଆଜି ସକାଳ ୬ଟାରୁ ୧୦ ତାରିଖ ସକାଳ ୬ଟା ଯାଏଁ ୪୮ ଘଣ୍ଟା ପାଇଁ ଏହି ଧର୍ମଘଟ ହେବ । ଏଥିରେ ଆଇଏନଟିୟୁସି, ଏଆଇଟିୟୁସି, ଏଚଏମଏସ, ସିଟୁ, ଏଆଇୟୁଟିୟୁସି ଭଳି ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ, କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାରଙ୍କ କର୍ମଚାରୀ ସଂଘ, ବ୍ୟାଙ୍କ ଓ ବୀମା କର୍ମଚାରୀଙ୍କ ସଂଘ ସମେତ ଜାତୀୟସ୍ତରର ବିଭିନ୍ନ ସ୍ୱାଧୀନ ଶ୍ରମିକ ଓ କର୍ମଚାରୀ ସଂଗଠନ ଏଥିରେ ସାମିଲ୍‌ ହୋଇଛନ୍ତି । ଭାରତବନ୍ଦ ଯୋଗୁ ବଜାର ଓ ଅନ୍ୟ କ୍ଷେତ୍ର ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି । କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ବିରୋଧରେ ଶ୍ରମିକ ସଂଗଠନ ଏହି ବନ୍ଦ ଡାକରା ଦେଇଛି ।

ସାରା ରାଜ୍ୟରେ ସକାଳୁ ସକାଳୁ ବନ୍ଦର ପ୍ରଭାବ ଦେଖିବା ପାଇଁ ମିଳିଛି । ରାସ୍ତାଘାଟ ପ୍ରାୟତଃ ଶୂନଶାନ୍ । କଟକ, ଭୁବନେଶ୍ୱର ଓ ରାଉରକେଲା, ବାଲେଶ୍ୱର, ସମ୍ବଲପୁର, ବ୍ରହ୍ମପୁର ଓ ପୁରୀରେ ବନ୍ଦର ପ୍ରଭାବ ଅଧିକ ଦେଖିବା ପାଇଁ ମିଳୁଛି । ବନ୍ଦ ଯୋଗୁଁ ରାଜ୍ୟରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହେବାସହ ବିଭିନ୍ନ ସ୍ଥାନରେ ରେଳରୋକ କରିଛନ୍ତି ଲୋକେ । ରାଜ୍ୟର ସମସ୍ତ ସ୍କୁଲ, କଲେଜ ବନ୍ଦ ହୋଇଛି ।

ସୂଚନାଯୋଗ୍ୟ ଶ୍ରମିକ ସଂଗଠନର ଅଭିଯୋଗ ହେଲା, ନୋଟବନ୍ଦୀ, ଜିଏସଟି ଯୋଗୁ ବ୍ୟବସାୟୀଙ୍କୁ ବହୁତ ଅସୁବିଧା ମଧ୍ୟରେ ବ୍ୟବସାୟ କରିବାକୁ ପଡୁଛି । ସେପଟେ ଭାରତବନ୍ଦକୁ ବିଜେଡ଼ି ଓ କଂଗ୍ରେସ ସମର୍ଥନ କରିଛି ।