ସରଗରମ ଭଣ୍ଡାରୀପୋଖରୀ ରାଜନୀତି ! ହେଭିୱେଟ୍ ନେତାଙ୍କ ମଧ୍ୟରେ ଲଢ଼େଇ, ଜୋରସୋରରେ ଚାଲିଛି ନିର୍ବାଚନ ପ୍ରଚାର

232

କନକ ବ୍ୟୁରୋ : ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀରେ ଏବେ ଖାଲି ମିଶ୍ରଣ ପର୍ବ ଚାଲିଛି । ଦଳ ଡିଆଁ ରାଜନୀତିରୁ କିଏ ଫାଇଦା ନେବ ସେ ନେଇ ଚର୍ଚ୍ଚାର ଅନ୍ତ ନାହିଁ । ଏଠାରେ ତିନିଟି ପ୍ରମୁଖ ଦଳର ତିନି ହେଭିୱେଟ୍‌ ନେତାଙ୍କ ଟକ୍କର ହେବାକୁ ଯାଉଛି । ବିଜେଡିରୁ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, କଂଗ୍ରେସରୁ ବରିଷ୍ଠନେତା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବିଜେପିରୁ ଜିଲ୍ଲା ସଭାପତି ବଦ୍ରି ନାରାୟଣ ଧଳ ଅବତୀର୍ଣ୍ଣ ହୋଇଥିବାରୁ ଏହା ଉପରେ ସାରା ରାଜ୍ୟର ନଜର କେନ୍ଦ୍ରୀଭୂତ ହୋଇଛି ।

ଗତ ୨୦୦୯ ଓ ୨୦୧୪ ନିର୍ବାଚନରେ ବିଜେଡି ଦଖଲରେ ଥିଲା ଭଣ୍ଡାରିପୋଖରୀ । ମାତ୍ର ୧୦ ବର୍ଷର କ୍ଷମତା ଗାଦିରେ ବସିଥିବା ବିଜେଡି ବିଧାୟକ ତଥା ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କୁ ନେଇ ଅସନ୍ତୋଷ ଲାଗି ରହିଛି । ପଞ୍ଚାୟତ ନିର୍ବାଚନ ବେଳୁ ହିଁ ବିଧାୟକ ପ୍ରଫୁଲ୍ଲ ସାମଲ ଓ ଲୋକସଭା ସାଂସଦ ଅର୍ଜୁନ ସେଠୀଙ୍କ ମଧ୍ୟରେ ମତଭେଦ ଆରମ୍ଭ ହୋଇଥିଲା । ଅର୍ଜୁନଙ୍କ ଅନୁଗତ ଆଗରପଡା ଅଞ୍ଚଳର ନେତା ଦେବେନ୍ଦ୍ର ଜେନା ବନ୍ତ ବ୍ଲକ ଅଧ୍ୟକ୍ଷ ଆସନ ହାତେଇବା ପରେ ଭଣ୍ଡାରିପୋଖରୀରେ ବିଜେଡି ହାତରୁ ବ୍ଲକ ଛଡାଇ ନେଇଥିଲେ କଂଗ୍ରେସ ଓ ବିଜେପି ମେଣ୍ଟ । ପୁଣି ସାଂସଦ ଅର୍ଜୁନ ସେଠୀ ବିଜେଡି ଛାଡିବା ସହିତ ପୁଅ ଅଭିମନ୍ୟୁ ସେଠୀଙ୍କୁ ବିଜେପିରୁ ଲୋକସଭା ପ୍ରାର୍ଥୀ କରିଛନ୍ତି । ତେଣୁ ଅର୍ଜୁନ ଓ ଅଭିମନ୍ୟୁ ବିଜେପି ଶିବିରରେ ରହି ବିଜେଡିି ବିରୋଧରେ ଯୁଦ୍ଧଂଦେହି ଡାକାରା ଦେଇଛନ୍ତି । ଅର୍ଜୁନଙ୍କ ସବୁ ବିଜେଡି ଅନୁଗତ ଏବେ ବିଜେପିରେ । ବନ୍ତ ବ୍ଲକ ଅଧ୍ୟକ୍ଷ ଦେବେନ୍ଦ୍ର ଜେନା ଓ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ଜେନା ବି ବିଜେପିରେ ।

ଅନ୍ୟପଟେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କଂଗ୍ରେସ ପ୍ରାର୍ଥୀ ହେବା ପରେ ଜିଲ୍ଲା ରାଜନୀତି ରୋଚକ ମୋଡ଼ ନେଇଛି । ନିରଞ୍ଜନ ଭଣ୍ଡାରିପୋଖରୀରେ ପ୍ରାର୍ଥୀ ହେବା ପରେ ଏବେ କଂଗ୍ରେସ ଶିବିର ବେଶ୍ ଚଳଚଞ୍ଚଳ ହୋଇ ଉଠିଛି । ବହୁ ଅସନ୍ତୁଷ୍ଟ ବିଜେଡି କର୍ମୀ ଓ ନେତା ମଧ୍ୟ ନିରଞ୍ଜନଙ୍କ ଶିବିରରେ ଯୋଗ ଦେଉଛନ୍ତି । ଭଣ୍ଡାରିପୋଖରୀ ବିଜେଡି ନେତା ଉଦୟ ନନ୍ଦ ଏହା ଭିତରେ କଂଗ୍ରେସରେ ଯୋଗ ଦେଇ ରାଜ୍ୟ କଂଗ୍ରେସର ସାଧାରଣ ସଂପାଦକ ଦାୟିତ୍ବ ଗ୍ରହଣ କରିଛନ୍ତି । ଉଦୟ ନନ୍ଦଙ୍କ କଂଗ୍ରେସର ଯୋଗଦାନ ଭଣ୍ଡାରିପୋଖରୀ କଂଗ୍ରେସ ସଂଗଠନକୁ ଅଧିକ କ୍ରିୟାଶୀଳ କରିବ ବୋଲି ଦଳୀୟ ନେତାମାନେ କହୁଛନ୍ତି। ସେହିପରି ବସନ୍ତିଆ ପଞ୍ଚାୟତର ବିଜେଡି ନେତାମାନେ ଏବେ ଦଳର ନେତୃତ୍ବ ପ୍ରତି ଆସ୍ଥା ତୁଟାଇ ବିଜେଡି ଛାଡି ଦେଇଛନ୍ତି । ଆସନ୍ତାକାଲି ପିସିସି ସଭାପତି ଭଣ୍ଡାରିପୋଖରୀ ଆସୁଥିବାବେଳେ ଏଠାରେ ଏକ ମିଶ୍ରଣପର୍ବ ଅନୁଷ୍ଠିତ ହେବାକୁ ଯାଉଥିବା ସୂଚନା ମିଳିଛି ।

ତେବେ ଏଠାରେ ସ୍ଥାନୀୟ ସମସ୍ୟା ହିଁ ମୁଖ୍ୟ ପ୍ରସଙ୍ଗ ହେବାକୁ ଯାଉଛି । ସ୍ଥାନୀୟ ଲୋକଙ୍କ କହିବା କଥା ହେଲା ଯିଏ ଆମ ସୁଖଦୁଃଖର ଠିଆ ହେବ, ଆମର ସେହିଭଳି ନେତା ଦରକାର । ରାସ୍ତା, ପାନୀୟ ଜଳ, ସ୍ବାସ୍ଥ୍ୟସେବା, ଅଙ୍ଗନବାଡି ଗୃହ ନିର୍ମାଣକୁ ନେଇ ରହିଛି ଲୋକଙ୍କର ଅସନ୍ତୋଷ । ବନ୍ତ ଡାକ୍ତରଖାନାକୁ ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରର ମାନ୍ୟତା ନ ମିଳିବା, ଦମକଳ କେନ୍ଦ୍ର ପ୍ରତିଷ୍ଠା ନ ହେବା, ଷ୍ଟେଟ୍ ବ୍ୟାଙ୍କର ଶାଖା କାର୍ଯ୍ୟାଳୟ ପ୍ରତିଷ୍ଠା କରା ନ ଯିବା, କେନ୍ଦୁଆପଦା ରେଲୱେ ଲେବଲକ୍ରସିଂ ନିକଟରେ ଫ୍ଲାଏ ଓଭରବ୍ରିଜ୍, ମଞ୍ଜୁୁରୀରୋଡ ରେଲୱେ ଲେବଲକ୍ରସିଂ ନିକଟରେ ଫ୍ଲାଏ ଓଭରବ୍ରିଜ୍ ନ ହେବାକୁ ନେଇ ଲୋକଙ୍କ ଭିତରେ ରହିଛି ଅସନ୍ତୋଷ ।

କୃଷି ଋଣ ଛାଡ ନ ହେବା ଓ ଚାଷୀର ଧାନର ସହାୟକ ମୂଲ୍ୟ ନ ମିଳିବା, ବନ୍ତରେ ଜଳସେଚନ ବିଭାଗର ସବ୍‌ଡିଭିଜନାଲ ଅଫିସ୍ କାର୍ଯ୍ୟକାରୀ କରା ନ ଯିବା, ବନ୍ତ ଓ ଆଗରପଡାକୁ ଏନଏସି ଘୋଷଣା ନ କରିବାକୁ ନେଇ ମଧ୍ୟ ସେମାନେ କ୍ଷୁବ୍ଧ। ସେହିପରି ଭଣ୍ଡାରିପୋଖରୀ ନିକଟରେ ଥିବା ୨ ଶହ ୩୪ ଏକର ଇଡକୋ ଅଧିଗୃହୀତ ଧରଣୀ ସୁଗାର ଜମିରେ ଚିନି କଳ ହେଲାନାହିଁ । ଫୁଡପାର୍କ କିମ୍ବା ଟେକ୍ସଟାଇଲ ପାର୍କ କିଛି ପ୍ରତିଷ୍ଠା କରାଗଲା ନାହିଁ । ଏହି ଜମି ସେମିତି ପଡିରହିଛି । ଏହାକୁ ନେଇ ମଧ୍ୟ ଅଞ୍ଚଳର ଲୋକଙ୍କର ରହିଛି ଅସନ୍ତୋଷ ।