ପୁଅ ନାଁରେ ଟିକେଟ୍ ପାଇଁ ଟଙ୍କା ମାଗୁଥିବା ଅଭିଯୋଗରେ ଭକ୍ତଙ୍କ ସଫେଇ ! କହିଲେ, ସତ୍ୟ ପ୍ରମାଣିତ ହେଲେ ରାଜନୀତିରୁ ନେବେ ସନ୍ୟାସ ।

113

କନକ ବ୍ୟୁରୋ : ପୁଅ ନାଁରେ ଟିକେଟ୍ ପାଇଁ ଟଙ୍କା ମାଗୁଥିବା ନେଇ ତେଲେଙ୍ଗାନା କଂଗ୍ରେସ ନେତାଙ୍କ ଅଭିଯୋଗ ପରେ ପ୍ରତିକ୍ରିୟା ରଖିଛନ୍ତି ଭକ୍ତ ଦାସ । କହିଛନ୍ତି ଏହା ତାଙ୍କ ବିରୋଧରେ ବଡ ଷଡଯନ୍ତ୍ର । ଏନେଇ ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସହ କଥା ହୋଇଛନ୍ତି । ଯଦି ଏହା ସତ୍ୟ ପ୍ରମାଣିତ ହୁଏ ତେବେ ସେ ରାଜନୀତିରୁ ସନ୍ୟାସ୍ ନେବେ । ଆଉ ଯଦି ମିଥ୍ୟା ବୋଲି ପ୍ରମାଣ ମିଳେ ତେବେ ଅଭିଯୋଗ ଆଣିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏବେ ତେଲେଙ୍ଗାନା ଏଆଇସିସି ସ୍କ୍ରିନିଂ କମିଟି ମୁଖ୍ୟ ଅଛନ୍ତି ଭକ୍ତ ଦାସ ।

କେତେକ ତେଲୁଗୁ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁସାରେ, ତେଲେଙ୍ଗାନା ପାଇଁ ଏଆଇସିସି ସ୍କ୍ରିନିଂ କମିଟି ମୁଖ୍ୟ ଥିବା ଭକ୍ତ ଦାସଙ୍କ ପୁଅ ସାଗରଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଛନ୍ତି ରଙ୍ଗାରେଡ୍ଡି ଜିଲ୍ଲା କଂଗ୍ରେସ ସଭାପତି । ଆଗାମୀ ଡିସେମ୍ବର ୭ ତାରିଖରେ ହେବାକୁ ଥିବା ତେଲେଙ୍ଗାନା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଟିକେଟ ବଂଟାକୁ ନେଇ ବିବାଦ ସୃଷ୍ଟି ହୋଇଛି । ଟିକେଟ ଆଶାୟୀ ଥିବା ରଙ୍ଗାରେଡ୍ଡି ଜିଲ୍ଲା ସଭାପତି କେ. ମାଲେଶି, ଏକ ସାମ୍ବାଦିକ ସମ୍ମିଳନୀ କରି ସାଗରଙ୍କ ବିରୋଧରେ ସଂଘାତିକ ଅଭିଯୋଗ ବାଢିଛନ୍ତି । ରଙ୍ଗାରେଡ୍ଡି ଜିଲ୍ଲାରେ ଥିବା ଇବ୍ରାହିମପଟ୍ଟନମ୍ ଆସନରୁ ଟିକେଟ ଆଶାୟୀ ଥିଲେ ଜିଲ୍ଲା କଂଗ୍ରେସ ସଭାପତି କ୍ୟାମା ମାଲେଶ । ହେଲେ ଏଥିପାଇଁ ତାଙ୍କ ଠାରୁ ଦଳ ୩ କୋଟି ଟଙ୍କା ଦାବି କରିଥିଲା । ଏଆଇସିସି ସ୍କ୍ରିନିଂ କମିଟି ମୁଖ୍ୟ ଭକ୍ତ ଦାସଙ୍କ ପୁଅ ସାଗର ଏଥିପାଇଁ ମଧ୍ୟସ୍ଥି ସାଜିଥିବା ଅଭିଯୋଗ କରିଛନ୍ତି ମାଲେଶ ।