ନେତାଙ୍କ ଭିଆଇପି ମୋହ ! ବିଜନେସ୍ କ୍ଲାସ୍ ନମିଳିବାରୁ କ୍ଷୁବ୍ଧ ବିଜେପି ସାଂସଦ ଫ୍ଲାଇଟରେ କଲେ ହଙ୍ଗାମା

51

କନକ ବ୍ୟୁରୋ : ନେତାଙ୍କ ଭିଆଇପି ମୋହ । ସାମ୍ନାକୁ ଆସିଲା ମଧ୍ୟପ୍ରଦେଶ ବିଜେପି ସାଂସଦଙ୍କ ସାମନ୍ତବାଦୀ ଆଚରଣ । ବିଜନେସ୍ କ୍ଲାସରେ ସିଟ୍ ନମିଳିବାରୁ ଫ୍ଲାଇଟରେ ହଙ୍ଗାମା କଲେ କ୍ଷୁବ୍ଧ ସାଂସଦ ଭାଗିରଥ ପ୍ରସାଦ । ତେବେ ସାଂସଦଙ୍କ ହଙ୍ଗାମା କାରଣରୁ ୧୫ ମିନିଟ୍ ଡେରିଲେ ଉଡିଲା ଏୟାର୍ ଇଣ୍ଡିଆ ଫ୍ଲାଇଟ୍ ।

ସୂଚନା ମୂତାବକ, ଉକ୍ତ ଫ୍ଲାଇଟରେ ଭାଗିରଥଙ୍କ ସହ ଥିଲେ ବିରୋଧୀ ନେତା ଅଜୟ ସିଂହ । ଉଭୟଙ୍କ ସିଟ୍ ପାଖା ପାଖି ଥିଲା । ତେବେ ବିଜନେସ୍ କ୍ଲାସରେ ଟିକେଟ୍ ନମିଳିବାରୁ ଭାଗିରଥ ହଙ୍ଗାମା କରିଥିବା ବେଳେ କିନ୍ତୁ ଅଜୟ ସିଂହ ଚୁପ୍ ଥିଲେ । ଏପରି ଯୁକ୍ତତର୍କ ଏବଂ ଝଗଡା ପରେ ବାଧ୍ୟ ହୋଇ ଏୟାର୍ ଇଣ୍ଡିଆ କର୍ମାଚାରୀ ଭାଗିରଥଙ୍କର ଇକୋନୋମୀ ସିଟକୁ ବିଜନେସ୍ କ୍ଲାସରେ ପରିବର୍ତ୍ତନ କରିଥିଲେ  ।

ତେବେ ବିଜନେସ୍ କ୍ଲାସ୍ ପାଇଁ ଫ୍ଲାଇଟରେ ଝଗଡା କରିବା ଘଟଣା ଏହା ପ୍ରଥମ ନୁହେଁ । ଏହା ପୂର୍ବରୁ ଶିବସେନା ସାଂସଦ ରବୀନ୍ଦ୍ର ଗାଏକ୍ୱାଡ୍ ଏଭଳି ଆଚରଣ କରି ଚର୍ଚ୍ଚିତ ହୋଇଥିଲେ । ତେବେ ରବୀନ୍ଦ୍ର କେବଳ ହଙ୍ଗାମା କରିନଥିଲେ ବରଂ ଏୟାର୍ ଇଣ୍ଡିଆ କର୍ମଚାରୀଙ୍କୁ ୨୫ ଥର ଚପଲରେ ମାରିଥିଲେ । ଯାହା ଫଳରେ ଫ୍ଲାଇଟରେ ଯିବା ପାଇଁ ତାଙ୍କ ଉପରେ ବ୍ୟାନ୍ ଲାଗିଥିଲା  । ଅବଶ୍ୟ ପରେ କ୍ଷମା ମାଗିବାରୁ ଏହି ବ୍ୟାନ୍ ହଟାଯାଇଥିଲା ।

ବିମାନରେ ବିଜନେସ୍ କ୍ଳାସ୍ ଓ ଇକୋନୋମି କ୍ଳାସ୍ ମଧ୍ୟରେ ଫରକ ହେଉଛି, ବିଜନେସ୍ କ୍ଲାସ୍-ଇକୋନୋମି କ୍ଳାସ୍ଠାରୁ ଅଧିକ ମହଙ୍ଗା ଓ ଏହା ଏକ ଷ୍ଟାଟସ୍ ସିମ୍ବଲ ଭାବେ ଗଣାଯାଇଥାଏ । ତେଣୁ ସମସ୍ତ ନେତା ମାନଙ୍କୁ ବୋଧହୁଏ ଏହି ଷ୍ଟାଟସ୍ ସିମ୍ବଲ ଅଧିକ ଆକର୍ଷିତ କରୁଛି ।