ରୋଷଣୀ ନୁହେଁ ଉଠିଲା କୋକେଇ ! ବାହାଘର ଦିନ ମଶାଣିକୁ ଗଲା ବର

147

କନକ ବ୍ୟୁରୋ : ବାହାଘର ଦିନ ମଶାଣିକୁ ଗଲା ବର । ହୋମ ନିଆଁ ପରିବର୍ତେ ଜଳିଲା ଚିତା । ବିଷାକ୍ତ ମଦ ପିଇ ଭଦ୍ରକରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ଯୁବକଙ୍କ ଆଜି ବାହାଘର ଥିବାରୁ ସେରୱାନୀ ପିନ୍ଧାଇ, ପଗଡି ବାନ୍ଧି ଜୁଇରେ ଶୁଆଇ ଦେଇଛନ୍ତି ସଂପର୍କୀୟ । ସେପଟେ ମୃତକଙ୍କ ସହ ମଦ ପିଇଥିବା ଆଉକିଛି ବ୍ୟକ୍ତି ଗୁରୁତର ହୋଇ ହସ୍ପିଟାଲରେ ଭର୍ତି ହୋଇଛନ୍ତି । କାଞ୍ଜିଆପାଟ ଗାଁର ଏହି ଘଟଣା ସାମ୍ନାକୁ ଆସିବା ପରେ ମଦମୃତ୍ୟୁ ଅଭିଯୋଗ ନେଇ ତନାଘନା ତଦନ୍ତ ଆରମ୍ଭ କରିଛି ଭଦ୍ରକ ଜିଲ୍ଲା ପ୍ରଶାସନ ।

ଗତ ୧୬ ତାରିଖରେ ସୁଧାକର ନାୟକଙ୍କ ଏକାଦଶାହରେ ଯୋଗ ଦେବାକୁ ଯାଇ ଫେରିବା ବେଳେ କାର୍ତିକଙ୍କ ସହ ମଦ ପିଇଥିଲେ କାଞ୍ଜିଆପାଟ ଗାଁର ୮ଜଣ । ପ୍ରଥମେ କାର୍ତିକଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ହସ୍ପିଟାଲ ନେବା ବାଟରେ ଜୀବନ ଚାଲିଯାଇଥିଲା । ପରେ ଅନ୍ୟଜଣଙ୍କ ଅବସ୍ଥା ଗୁରୁତର ହେବାରୁ ଏମାନେ ପ୍ରଥମେ ଭଦ୍ରକ ମୁଖ୍ୟ ଡାକ୍ତରଖାନା ଯାଇଥିଲେ । ହେଲେ ହସ୍ପିଟାଲ ଏମାନଙ୍କୁ ଭର୍ତି କରିବାକୁ ମନା କରିଦେବାପରେ ସମସ୍ତେ ସାଳନ୍ଦୀ ହସ୍ପିଟାଲରେ ଭର୍ତି ହୋଇଛନ୍ତି ।

ବିଷାକ୍ତ ମଦମୃତ୍ୟୁ ନେଇ ଅଭିଯୋଗ ହେବା ପରେ ସାଳନ୍ଦୀ ହସ୍ପିଟାଲ ଯାଇ ଅସୁସ୍ଥଙ୍କ ସହ ଆଲୋଚନା କରିଛନ୍ତି ଉପଜିଲ୍ଲାପାଳ । ଏହାପରେ ତିହିଡି ଆଇଆଇସିଙ୍କ ସହ ସ୍ୱତନ୍ତ୍ର ଅବକାରୀ ଟିମକୁ ଅନୁଧ୍ୟାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।