ଭଦ୍ରକ ଜିଲ୍ଲାରେ ଅଭାବନୀୟ ଘଟଣା : ପରିବାରକୁ ନ ଜଣାଇ ମୃତ ବ୍ୟକ୍ତିଙ୍କ ଆଖି କାଢ଼ିଦେଲେ ଡାକ୍ତର, ଧରାଇଦେଲେ ଚକ୍ଷୁଦାନ ସାର୍ଟିଫିକେଟ୍

621

କନକ ବ୍ୟୁରୋ : ଭଦ୍ରକ ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା । ଘରୋଇ କଳହ ପାଇଁ ସ୍ବାମୀ ବିଷ ପିଇବା ପରେ ଚିକିତ୍ସା ପାଇଁ ସ୍ତ୍ରୀ ସମେତ ପରିବାର ଲୋକେ ଡାକ୍ତରଖାନା ନେଇଥିଲେ । କିନ୍ତୁ  ପରିସ୍ଥିତି ଗମ୍ଭୀର ହେବାରୁ  ଯୁବକଙ୍କୁ  କଟକ ଏସସିବିକୁ ଅଣାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ଶବ ବ୍ୟବଚ୍ଛେଦ କରାଯାଇଥିଲା । ତେବେ ଶବ ବ୍ୟବଚ୍ଛେଦ ସମୟରେ ପରିବାରର ଅନୁମତି ନ ନେଇ ଯୁବକଙ୍କ ଆଖି କାଢ଼ି ନେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି । ମୃତ ବ୍ୟକ୍ତିଙ୍କ ପତ୍ନୀ ଅଶିକ୍ଷିତ ହୋଇଥିବାରୁ ଡାକ୍ତରଖାନା କର୍ମଚାରୀ ତାଙ୍କୁ ନ ଜଣାଇ ଚକ୍ଷୁଦାନ କାଗଜପତ୍ରରେ ହସ୍ତାକ୍ଷର କରାଇ ନେଇଥିଲେ ।

ପରେ ଶବ ବ୍ୟବଚ୍ଛେଦ କରାଇ ଗାଁକୁ ଅନ୍ତିସଂସ୍କାର ପାଇଁ ଆଣିବା ପରେ ଘଟଣାଟି ସାମ୍ନାକୁ ଆସିଥିଲା । ଗାଁ ଲୋକେ ଡାକ୍ତରଖାନା ପକ୍ଷରୁ ମିଳିଥିବା କାଗଜପତ୍ର ଦେଖିବା ପରେ ସେଥିରେ ପରିବାର ଲୋକେ ନିଜ ଇଚ୍ଛାରେ ଚକ୍ଷୁଦାନ କରୁଥିବା ଲେଖାଥିବା ସହ ମୃତ ବ୍ୟକ୍ତିଙ୍କ ପତ୍ନୀର ଟିପ ଚିହ୍ନ ରହିଥିଲା । ଏଭଳି ଘଟଣା ପରେ ମୃତକଙ୍କ ପରିବାର ଲୋକେ ଘଟଣାର ତଦନ୍ତ ପାଇଁ ଭଦ୍ରକ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟିଥିଲେ । ଯାହା ପରେ ଭଦ୍ରକ ଏସପିଙ୍କୁ ଭେଟି ଘଟଣା ବିଷୟରେ ଅବଗତ କରାଇବା ପାଇଁ ଅତିରିକ୍ତ ଜିଲ୍ଲାପାଳ ପରିବାରଲୋକଙ୍କୁ ପରାମର୍ଶ ଦେଇଥିବା ସୂଚନା ମିଳିଛି ।

ସୂଚନା ମୁତାବକ, ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାଗୁରାଇ ଆଦିବାସୀ କଲୋନୀରେ । ମୃତକଙ୍କ ନାଁ ବୀର ଓରଫ ନଣ୍ଡା ଗାଗରାଇ ହୋଇଥିବା ବେଳେ ତାଙ୍କ ପତ୍ନୀଙ୍କ ନାଁ ଚମ୍ପା ଗାଗରାଇ ବୋଲି ଜଣାପଡ଼ିଛି।  ପାରିବାରିକ କଳହ ପାଇଁ ନଣ୍ଡା ଗତ  ୭ତାରିଖରେ ବିଷ ପିଇଦେଇଥିଲେ । ଘର ଲୋକେ ତାଙ୍କୁ ପ୍ରଥମେ ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା । ୧୧ ତାରିଖ ଦିନ ଏସସିବିରେ ନଣ୍ଡାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ସେଠାରେ ପରିବାର ଲୋକଙ୍କୁ କାଗଜରେ ଦସ୍ତଖତ କରିବା ପାଇଁ କୁହାଯାଇଥିଲା । ନଣ୍ଡାଙ୍କ ସ୍ତ୍ରୀ ଓ ଭାଇ ଅଶିକ୍ଷିତ ହୋଇଥିବାରୁ ଟିପ ଚିହ୍ନ ଦେଇଥିଲେ । ପରେ ଶବ ବ୍ୟବଛେଦ କରି ମୃତଦେହ  ଘରକୁ ନେଇ ଫେରିଥିଲେ।
କିନ୍ତୁ ଅନ୍ତିମ ସତ୍କାର ସମୟରେ ଶବ ଖୋଲିବା ବେଳେ ଆଖି ନଥିବା ଦେଖି ପୂରା ପରିବାର ଆଶ୍ଚର୍ଯ୍ୟ ହୋଇ ଯାଇଥିଲା । ପରେ ଗାଁର ଅନ୍ୟ ଲୋକଙ୍କୁ ନଣ୍ଡାଙ୍କ ପରିବାର ଲୋକେ ଏସସିବିରୁ ମିଳିଥିବା କାଗଜପତ୍ର ଦେଖାଇଥିଲେ । କାଗଜପତ୍ର ଦେଖିବା ପରେ ଜଣା ପଡ଼ିଥିଲା ଯେ  ନଣ୍ଡାଙ୍କ ପରିବାର ଲୋକେ ନିଜ ଇଚ୍ଛାରେ ଚକ୍ଷୁ ଦାନ କରିଛନ୍ତି । କିନ୍ତୁ ଏବେ ମୃତ ନଣ୍ଡାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି ଯେ ସେମାନେ ଆଦିବାସୀ ହୋଇଥିବାରୁ ତାଙ୍କୁ ଠକି ଆଖି ନେଇଯାଇଛନ୍ତି ଏସସିବି । ଚମ୍ପାଙ୍କ କହିବା ମୁତାବକ, ଆମେ ଆଦିବାସୀ । ପାଠ ପଢି ନାହୁଁ । ଅଶିକ୍ଷିତ । ସେଥିପାଇଁ ଯେଉଁଠି ଟିପ ଚିହ୍ନ ଦେବାକୁ କହିଲେ ଆମେ ଦେଲୁ । କିନ୍ତୁ ଶବ ବ୍ୟବଚ୍ଛେଦ ପରେ ଶବକୁ ଘରକୁ ଆଣି ଦେଖିଲୁ ଯେ ଆଖି ନାହିଁ ।