ଭଦ୍ରକ ରାହଂଜରେ ଦୁର୍ଘଟଣାରେ ମୃତ ଛାତ୍ରଛାତ୍ରୀଙ୍କ ଅନ୍ତିମ ସଂସ୍କାର ଶେଷ : କାନ୍ଦୁଛି ପୁରା ଗାଁ, ଗିରଫ ଭୟରେ ପୁରୁଷ ଶୂନ୍ୟ ଅଂଚଳ

49

କନକ ବ୍ୟୁରୋ : ଭଦ୍ରକ ରାହାଂଜରେ ଦୁର୍ଘଟଣାରେ ମୃତ ଛାତ୍ରଛାତ୍ରୀଙ୍କ ଆଜି ସକାଳୁ ଅନ୍ତିମ ସଂସ୍କାର କରାଯାଇଛି । ଗାଁରେ ଏକ ପ୍ରକାର ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି । ୪ ଜଣ ଗୁରୁତର କଟକରେ ଚିକିତ୍ସିତ ହେଉଛନ୍ତି । ତେବେ ଗିରଫ ଭୟରେ ଏବେ ଗାଁ ପୁରୁଷ ଶୂନ୍ୟ ହୋଇଯାଇଛି । ଗତକାଲ ଦୁର୍ଘଟଣା ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖାଯାଇଥିଲା । ଉତ୍ୟକ୍ତ ଲୋକମାନେ ଟ୍ରକ୍ ଜାଳିଦେଇଥିଲେ । ଦୁର୍ଘଟଣା ପରେ ଘଟଣାସ୍ଥଳରେ ବ୍ୟାପକ ଉତେଜନା ଦେଖିବାକୁ ମିଳିଥିଲା ।

ଉତ୍ୟକ୍ତ ଲୋକଙ୍କ ଉପରେ ପୋଲିସର ଲାଠିଚାର୍ଜ କରିବା ସହ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିଲା । ଉତ୍ତେଜନା ସୃଷ୍ଟି କରୁଥିବା ଲୋକଙ୍କୁ ଗାଁରେ ପଶି ଉଠାଇନେଇଥିଲା ପୁଲିସ । ମୃତ ଛାତ୍ରଛାତ୍ରୀଙ୍କ ପରିବାରରୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରି ରାଜପଥ ଅବରୋଧ କରିଥିଲେ । ଫଳରେ ଶହ ଶହ ଗାଡି ରାସ୍ତା ଉପରେ ଅଟକି ରହିଥିଲା । ଉତ୍ୟକ୍ତ ଲୋକେ ପୋଲିସ ଗାଡି ଭଂଗାରୁଜା କରିବା ସହ ଜିଲ୍ଲାପାଳଙ୍କୁ ଅଟକ ରଖିଥିଲେ । ଫଳରେ ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ଲାଠିଚାର୍ଜ କରିଥିଲା ।

ସୂଚନାଯୋଗ୍ୟ ଗତକାଲି ଭଦ୍ରକ ରାହାଞ୍ଜରେ ସ୍କୁଲ ପିଲାଙ୍କ ଉପରେ ଚଢ଼ିଯାଇଥିଲା ୧୦ ଚକିଆ ଟ୍ରକ୍ । ଆଉ ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୫ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ରାଣୀତାଳ ସ୍କୁଲରେ ପାଠପଢ଼ୁଥିବା ଏହି ଛାତ୍ରଛାତ୍ରୀମାନେ ସ୍କୁଲ ସାରି ଘରକୁ ଫେରୁଥିବା ବେଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ ପ୍ରାଣ ହରାଇଥିବା ୫ ଜଣ ଛାତ୍ରଛାତ୍ରୀ ହେଲେ ସତ୍ୟବ୍ରତ ବାରିକ, କଳ୍ପନା ଜେନା, ଶ୍ୱେତା ସାହୁ, ସୁକାନ୍ତ ସାହୁ ଏବଂ ପ୍ରିୟମ୍ବଦା ମହାନ୍ତି । ଦୁର୍ଘଟଣା ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖାଦେଇଥିବା ବେଳେ ଉତ୍ୟକ୍ତ ଲୋକେ ଟ୍ରକଟିକୁ ଜାଳି ଦେଇଥିଲେ । ସେପଟେ ମୃତ ଛାତ୍ରାଛାତ୍ରୀଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।