ଭଦ୍ରକ ଭୋଟରଙ୍କ ଭରସା ଜିତିବ କିଏ ? ବିଜେଡିର ଅଭେଦ୍ୟ ଦୁର୍ଗକୁ ଭେଦ କରିବାକୁ ଜି-ଜାନ୍ ଲଗାଇ ଦେଇଛନ୍ତି ବିଜେପି ଓ କଂଗ୍ରେସ

289

କନକ ବ୍ୟୁରୋ : ଭଦ୍ରକରେ ହେବ ଭାଗ୍ୟପରୀକ୍ଷା । କାହାର ଭାଗ୍ୟନିର୍ଦ୍ଧାରଣ କରିବେ ଭଦ୍ରକ ଲୋକସଭା ନିର୍ବାଚନମଣ୍ଡଳୀ ଭୋଟର । ଏହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । କ୍ଷମତା ରାଜନୀତିର ଶେଷ ଅଧ୍ୟାୟରେ ଭଦ୍ରକ ଯୁଦ୍ଧ ମୈଦାନରେ ହେବ ମହାଲଢେଇ । ସାମ୍ନାସାମ୍ନି ହେବେ ରାଜ୍ୟର ୩ ପ୍ରମୁଖ ଦଳ । ଗତ ୨୧ ବର୍ଷ ଧରି ଭଦ୍ରକ ବିଜେଡିର ଅଭେଦ୍ୟ ଦୁର୍ଗରେ ପରିଣତ ହୋଇ ଆସିଛି । ଆଉ ବିଜେଡିର ଏହି ଦୁର୍ଗର ରକ୍ଷାକବଚ ସାଜି ଉଭା ହୋଇଛନ୍ତି ଦଳର ବୀର ସିପାହୀ ଅର୍ଜୁନ ଚରଣ ସେଠୀ । କଂଗ୍ରେସ ଏହି ଗଡରେ ଧସେଇ ପଶିବାକୁ ଚେଷ୍ଟା କରି ଆସୁଥିଲେ ମଧ୍ୟ ପ୍ରତିଥର ପରାଜୟର ସ୍ୱାଦ ଚାଖିବାକୁ ପଡିଛି । ପୂର୍ବରୁ ଏହି ଆସନ ପାଇଁ କଂଗ୍ରେସ ଓ ବିଜେଡି ମଧ୍ୟରେ ଲଢେଇ ଦେଖିବାକୁ ମିଳୁଥିବା ବେଳେ ଚଳିତ ଥର ବିଜେପି ମଧ୍ୟ ଦେବ କାଣ୍ଟେ କି ଟକ୍କର । କିନ୍ତୁ ଭଦ୍ରକବାସୀଙ୍କ ଭରସା ଜିତିବାରେ କିଏ ସକ୍ଷମ ହେଉଛି ତାହା ଉପରେ ସମସ୍ତଙ୍କର ନଜର ରହିଛି ।

ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀ ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର ୭ଟି ବିଧାନସଭା କ୍ଷେତ୍ରକୁ ନେଇ ଗଠିତ। ବାଲେଶ୍ବର ଜିଲ୍ଲାର ସୋର ଓ ସିମୁଳିଆ ବିଧାନସଭା କ୍ଷେତ୍ର ଓ ଭଦ୍ରକ ଜିଲ୍ଲାର ଭଦ୍ରକ, ଭଣ୍ଡାରିପୋଖରୀ, ଧାମନଗର, ଚାନ୍ଦବାଲି ଓ ବାସୁଦେବପୁର ବିଧାନସଭା କ୍ଷେତ୍ରକୁ ନେଇ ଅନୁସୂଚିତ ଜାତି ବର୍ଗର ପ୍ରାର୍ଥୀଙ୍କ ଲାଗି ସରଂକ୍ଷିତ ରହିଛି ଏହି ଆସନ। ତେବେ ଏହି ଆସନରେ ୧୯୯୮ ପରଠାରୁ ଲଗାତାର ୫ ଥର ବିଜୟ ବାନା ଉଡାଇ ଆସିଛନ୍ତି ଅର୍ଜୁନ । ୨୦୧୪ ନିର୍ବାଚନରେ ଅର୍ଜୁନ ୫ ଲକ୍ଷ ୨ ହଜାର ୩୩୮ ଖଣ୍ଡ ଭୋଟ ପାଇଥିବା ବିଜୟୀ ହୋଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ସଂଗ୍ରାମ ଜେନ‌ା ୩ ଲକ୍ଷ ୨୨ ହଜାର ୯୭୯ ଖଣ୍ଡ ଭୋଟ ପାଇ ପରାଜିତ ହୋଇଥିଲେ। ସେହିପରି ବିଜେପି ପ୍ରାର୍ଥୀ ଶରତ ଦାସ ୨ ଲକ୍ଷ ୧୬ ହଜାର ୬୧୭ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ।

ଚଳିତ ୨୦୧୯ ନିର୍ବାଚନରେ ଅର୍ଜୁନ ସେଠୀ ବୟସ ଓ ସ୍ବାସ୍ଥ୍ୟଗତ କାରଣ ପାଇଁ ହୁଏତ ନିର୍ବାଚନରେ ଆଉ ପ୍ରାର୍ଥୀ ହୋଇ ନପାରନ୍ତି। ଏକଥା ଚର୍ଚ୍ଚା ହେଉଥିବା ବେଳେ ଅର୍ଜୁନ ନିଜ ପୁତ୍ର ଅଭିମନ୍ୟୁ ସେଠୀଙ୍କୁ ନିର୍ବାଚନ ମଇଦାନକୁ ଆଣିବା ପାଇଁ ହାଇକମାଣ୍ଡଙ୍କ ନିକଟରେ ନିଜର ମତ ରଖିଛନ୍ତି। ଏଥର ବିଜେଡି ଦଳରେ ଭଦ୍ରକ ଲୋକସଭା ପ୍ରାର୍ଥୀ ପାଇଁ ଅଭିମନ୍ୟୁ ସେଠୀ, ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଧାମନଗରର ପୂର୍ବତନ ବିଧାୟକ ରାଜୁ ଦାସ, ପଶ୍ଚିମବଙ୍ଗର ଜିଏସଟି କମିସନର ଚାକିରିରୁ ଅବସର ନେଇଥିବା ବିଜୟ ମଲ୍ଲିକଙ୍କ ନାମ ଚର୍ଚ୍ଚାରେ ରହିଛି।

କଂଗ୍ରେସ ଦଳ ଏହି ଆସନରେ କମବ୍ୟାକ୍ କରିବାକୁ ପୁରୁଖା ନେତାଙ୍କ ଉପରେ ଭରସା କରିପାରେ । ଭେଟରାନ ନେତା ଅନନ୍ତ ପ୍ରସାଦ ସେଠୀ ଓ ପଞ୍ଚାନନ ମଣ୍ଡଳଙ୍କ ନାଁ ଟିକେଟ ରେସରେ ରହିଛି । ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କ ନାଁରେ କେବଳ କଂଗ୍ରେସ କମାଣ୍ଡରଙ୍କ ମୋହର ବାଜିବାକୁ ଅପେକ୍ଷା । ସେହିଭଳି ବିଜେଡି ଗଡକୁ ଗେରୁଆ ରଙ୍ଗରେ ରଙ୍ଗୀନ କରିବାକୁ ଏବେ ଅଣ୍ଟା ଭିଡିଛି ବିଜେପି । ତେବେ ନୂଆ ମୁହଁ ଉପରେ ଭରସା କରିବେ ନା ଗତଥର ପ୍ରାର୍ଥୀ ହୋଇଥିବା ଶରତ ଦାସଙ୍କୁ ପୁଣିଥରେ ଟିକେଟ ଦେବେ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଆଉ ଏଭଳି ସ୍ଥିତି ମଧ୍ୟରେ ଭଦ୍ରକ ଭୋଟରଙ୍କ ଭରସା କିଏ ଜିତିବ ତାହା ଉପରେ ସମସ୍ତଙ୍କର ନଜର ରହିଛି ।