ପାଇଖାନା ପାଇଁ ସରକାରୀ ସହାୟତାରେ ଚାଲିଛି ପିସି କାରବାର ! ଗୋଟାକ ପିଛା ଦେବାକୁ ପଡୁଛି ୫ଶହରୁ ୨ହଜାର ହାତ ଗୁଂଜା

36

କନକ ବ୍ୟୁରୋ : ବ୍ଲକ ଓ ପଂଚାୟତ ସ୍ତରରେ ପିସି କାରବାର ସଂପୂର୍ଣ୍ଣ ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ସତ୍ୱେ ପାଇଖାନା ନିର୍ମାଣ ପାଇଁ ସରକାରୀ ସାହଯ୍ୟ ଯୋଗାଇ ଦେବାକୁ କିଭଳି ଚାଲିଛି ପିସି କାରବାର ତାର ସତ ସାମ୍ନାକୁ ଆସିଛି । ଲୋକଙ୍କ ଅଭିଯୋଗ ଗୋଟିଏ ପାଇଖାନା ପିଛା ୫୦୦ରୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ପିସି ଦାବି କରୁଛନ୍ତି ପଂଚାୟତ ପ୍ରତିନିଧି । ଅଭିଯୋଗ ଅନୁସାରେ ଭଦ୍ରକ ଜିଲ୍ଲା ଷେଣ୍ଢତିରା ଗାଁର ୨ଶହରୁ ଅଧିକ ଲୋକ ୱାର୍ଡ ଅର୍ଡର ପାଇ ପାଇଖାନା ତିଆରି କରିସାରିଥିଲେ ମଧ୍ୟ ପାଇନାହାଁନ୍ତି ଚୂଡାନ୍ତ ବିଲ । କାରଣ ପଂଚାୟତ ମୋଟିଭେଟର ଏମାନଙ୍କଠାରୁ ଦାବି କରୁଛନ୍ତି ପିସି ।

କେନ୍ଦ୍ରରେ ମୋଦି ସରକାରଙ୍କ ସ୍ୱଚ୍ଛ ଭାରତ ମିଶନ ଜରିଆରେ ଗ୍ରାମାଂଚଳର ଗରିବ ଲୋକଙ୍କୁ ମାଗଣାରେ ଯୋଗାଇ ଦିଆଯାଉଛି ପାଇଖାନା । ହେଲେ ସେଥିରେ ବି ତଳତଳିଆ କର୍ମଚାରୀଙ୍କଠୁ ଆରମ୍ଭ କରି ଜେଇଙ୍କ ପର୍ଯ୍ୟନ୍ତ ପିସି ଖାଉଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ । ଏନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଜିଲ୍ଲାପାଳଙ୍କ ସମ୍ମିଳନୀରେ ପ୍ରଥମେ ବ୍ଲକ ସ୍ତରରେ ପିସି କାରବାର ରୋକିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଦୁର୍ନୀତି ବିରୋଧୀ ଅଭିଯାନ ଚଳାଇଛି ଭିଜିଲାନ୍ସ ବିଭାଗ । ଦୁର୍ନୀତି ବିରୋଧରେ ଅଭିଯୋଗ ପାଇଁ ସ୍ୱତନ୍ତ୍ର ହେଲ୍ପ ଲାଇନ ନମ୍ବର ମଧ୍ୟ ଜାରି ହୋଇଛି । ତଥାପି ପାଇଖାନା ନିର୍ମାଣରେ ସରକାରୀ ସହାୟତା ପାଇଁ ପିସି କାରବାରର ସତ ସାମ୍ନାକୁ ଆସିଛି ।