ଧରମ ଭାଇର ଅଧର୍ମୀ ରୂପ, ମାତ୍ର ୨ ଲକ୍ଷ ଟଙ୍କା ପାଇଁ! ଦୁଇ ଜଣଙ୍କୁ ହତ୍ୟା କଲେ, ଜଣକୁ ଦୁଷ୍କର୍ମ କଲେ

51

କନକ ବ୍ୟୁରୋ : ଜଣେ ଅପରାଧୀ ଚାରି ଅପରାଧ । ଭଦ୍ରକରେ ଦୁଇ ଦୁଇଟି ହତ୍ୟା ଓ ଧର୍ଷଣ ଘଟଣା ସାରା ରାଜ୍ୟରେ ଚାଂଚଲ୍ୟ ଖେଳାଇ ଦେଇଥିବା ବେଳେ ଆଜି ପୋଲିସ ଘଟଣା ଉପରୁ ପରଦା ହଟାଇଛି । ଟଙ୍କା ପାଇଁ ଅପରାଧୀ, ବାପା-ମାଆଙ୍କୁ ହତ୍ୟା କରିବା ପରେ ଝିଅକୁ ଦୁଷ୍କର୍ମ କରିଥିଲା । ଏବଂ ପରେ ଟଙ୍କା ଲୁଟ୍ କରି ଫେରାର ହୋଇଯାଇଥିଲା । ଭଦ୍ରକ ଏସପି ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଅପରାଧୀ ବାବୁନା, ରଚିଥିବା ପ୍ରତିଶୋଧର କାହାଣୀ ପୁରା ମିଛ । ମୃତ ରବିନ୍ଦ୍ରଙ୍କୁ ମିଳିଥିବା ୨ଲକ୍ଷ ଟଙ୍କା ହଡପ ପାଇଁ ପୁରା ପରିବାରକୁ ରାସ୍ତାରୁ ହଟାଇଦେବାକୁ ଯୋଜନା କରିଥିଲା ଅପରାଧୀ ।

ଭଦ୍ରକ ଡବଲ ମର୍ଡର ଓ ଧର୍ଷଣ ପଛରେ ପ୍ରତିଶୋଧ ନୁହେଁ ବରଂ ରହିଥିଲା ଟଙ୍କା ଲୋଭ । ୨ ଲକ୍ଷ ଟଙ୍କା ପାଇଁ ଅଭିଯୁକ୍ତ ଘଟାଇଥିଲା ଏତେ ବଡ ନାରକୀୟ କାଣ୍ଡ । ଘଟଣାର ୩୬ ଘଂଟା ଭିତରେ ମର୍ଡର ପ୍ଲଟର ରହସ୍ୟ ଖୋଲିଛି ପୋଲିସ । ଯାହା ସମସ୍ତଙ୍କୁ ତାଜୁବ କରିଦେଇଛି । ଟଙ୍କା ପାଇଁ ଦୁଇ ଜଣଙ୍କୁ ହତ୍ୟା ଓ ଝିଅକୁ ଧର୍ଷଣ କରିଛି ଅଭିଯୁକ୍ତ ବାବୁନା । ମୃତ ରବିନ୍ଦ୍ର ବେହୁରିଆ କିଛି ଦିନ ତଳେ ୨ ଲକ୍ଷ ଟଙ୍କା ପାଇଥିଲେ । ଆଉ ସେହି ଟଙ୍କା ଉପରେ ଆଖି ପକାଇଥିଲା ବାବୁନା ।

ଗୋପିନାଥ ମହାନ୍ତି ଓରଫ୍ ବାବୁନା । ପୋଲିସ ଆଗରେ ପ୍ରତିଶୋଧର କାହାଣୀ ରଚିଥିବା ବାବୁନାର ଅସଲ କାଣ୍ଡ ଏବେ ପଦାରେ ପଡିଛି । ଟଙ୍କା ପାଇଁ ନରରାକ୍ଷସ ପାଲଟିଯାଇଥିଲା ଏହି ଅଭିଯୁକ୍ତ । ୨ ଲକ୍ଷ ଟଙ୍କା ପାଇଁ ଗଡାଇଦେଇଥିଲା ଦୁଇ ଦୁଇଟି ମୁଣ୍ଡ । ତୃତୀୟ ତଥା ଘରର ଶେଷ ସଦସ୍ୟକୁ ବି ହତ୍ୟା କରିଥାନ୍ତା, ହେଲେ ତାପୂର୍ବରୁ ତାସହ କରିଥିଲା ଦୁଷ୍କର୍ମ । ଆଉ ହତ୍ୟା କରିବା ଆଗରୁ ଧରାପଡିଯାଇଥିଲା । ପୋଲିସ ଗିରଫ କରିବା ପରେ ତିଆରି କରିଥିଲା ପ୍ରତିଶୋଧର କାହାଣୀ ।

ଶନିବାର ରାତି ପ୍ରାୟ ୮ଟା । ରବିନ୍ଦ୍ରଙ୍କୁ ମଦ ପିଇବାକୁ ଡାକି ହତ୍ୟା କରିଥିଲା ବାବୁନା । ନିଶାସକ୍ତ ଅବସ୍ଥାରେ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଥିଲା । ପରେ ରବିନ୍ଦ୍ରଙ୍କ ମୋବାଇଲ୍ ଓ ଗାଡି ନେଇ ଘରେ ପହଁଚିଯାଇଥିଲା । ସେଠାରେ ରବିନ୍ଦ୍ରଙ୍କ ପତ୍ନୀଙ୍କୁ ଶିଳପୁଆ ଛେଚି ହତ୍ୟା କରିଥିଲା । ତେବେ ଝିଅକୁ ରାସ୍ତାରୁ ହଟାଇବା ପୂର୍ବରୁ ତା ସହ ଦୁଷ୍କର୍ମ କରିଥିଲା । ହେଲେ ପଡୋଶୀ ଆସିଯିବାରୁ ଟଙ୍କା ନେଇ ଫେରାର ହୋଇଯାଇଥିଲା । ରବିବାର ରାତିରେ ବାବୁଆକୁ ପୋଲିସ କାବୁ କରିନେଇଥିଲା । ଆଉ ତାଠାରୁ ସତ ଓଗାଳିଥିଲା । ୨ ଲକ୍ଷ ଟଙ୍କା ପାଇଁ ଚାରି ଚାରିଟି ଅପରାଧ ଘଟାଇଛି ଅଭିଯୁକ୍ତ ବାବୁନା ।