ବିରୋଧୀଙ୍କ ରଣନୀତି ଭେଦିବାକୁ ଅଭିମନ୍ୟୁଙ୍କ ହାତରେ ବିଜେପି ଭାର । ସାମ୍ନାସାମ୍ନି ହେବେ ତିନି ଦଳର ତିନି ନୂଆ ମୁହଁ ।

415

କନକ ବ୍ୟୁରୋ: କଡ଼ ଲେଉଟାଇଲା ଭଦ୍ରକ ଲୋକସଭା ରାଜନୀତି । ତିନି ଦଳରୁ ତିନି ନୂଆ ମୁହଁଙ୍କ ମଧ୍ୟରେ ହେବ ଜୋରଦାର ଲଢ଼େଇ । ଯାହା ଦୀର୍ଘ ଦିନଧରି ଚର୍ଚ୍ଚା ହେଉଥିଲା ତାହା ବାସ୍ତବରେ ପରିଣତ ହୋଇଛି । କାରଣ ଭଦ୍ରକ ସଂସଦୀୟ କ୍ଷେତ୍ରରୁ ଚଳିତଥର ନୂଆ ମୁହଁଙ୍କୁ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଥିବାବେଳେ ଏହି ଚିତ୍ର ଏବେ ସ୍ପଷ୍ଟ ହୋଇଛି । ଆଉ ବିଜେଡି ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳଙ୍କୁ ଟକ୍କର ଦେବା ପାଇଁ ଅଭିଜ୍ଞ କଂଗ୍ରେସ ନେତା ଅନନ୍ତ ସେଠୀଙ୍କ ଝିଅ ମଧୁମିତା ସେଠୀଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ ଦଳ । ସେପଟେ ଉଭୟଙ୍କୁ ଚେକ୍ ଦେବାପାଇଁ ବିଜେପି ଖୋଲିଛି କାର୍ଡ଼ । ଆଉ ନିକଟରେ ବିଜେଡି ଛାଡ଼ିଥିବା ଭଦ୍ରକ ସାଂସଦ ଅର୍ଜୁନ ସେଠୀଙ୍କ ପୁଅ ଅଭିମନ୍ୟୁ ସେଠୀଙ୍କୁ ବିଜେପି ଭଦ୍ରକ ଲୋକସଭା ପ୍ରାର୍ଥୀ କରି ମଙ୍ଗ ଧରାଇଛି ।

ରାଜନୀତିରେ ନବାଗତ ଭାବେ ଏଣ୍ଟ୍ରି ମାରିଥିବା ଅଭିମନ୍ୟୁ ନେସଠୀଙ୍କୁ ବିଜେପି ପ୍ରାର୍ଥୀ ଘୋଷଣା କରିଛି । ତେବେ ଅଭିମନ୍ୟୁ ନବାଗତ ହେଲେ ମଧ୍ୟ ତାଙ୍କ ବାପା ଅର୍ଜୁନ ସେଠୀ ଏହି ସଂସଦୀୟ କ୍ଷେତ୍ରରେ ୮ଥର ସାଂସଦଭାବେ ବିଜୟ ତିଳକ ପିନ୍ଧି ଦବଦା ଜାହିର କରିଛିନ୍ତି । ତେବେ ବିଜେଡିରୁ ଟିକେଟ୍ ନପାଇ ନିକଟରେ ‘ଶଙ୍ଖ’ ଛାଡ଼ି ‘ପଦ୍ମ’ ଧରିଥିବା ଭଦ୍ରକ ସାଂସଦ ଅର୍ଜୁନ ସେଠୀଙ୍କ ପୁଅ ଅଭିମନ୍ୟୁଙ୍କୁ ଏଠାରେ ବିଜେପି ମଙ୍ଗ ଧରାଇଛି । ଟିକେଟ୍ ପାଇଁ ବାପାଙ୍କ ଲବି କାମ ଦେଇଛି ସତ କିନ୍ତୁ ବାପାଙ୍କ ଭଳି ବିରୋଧୀଙ୍କ ଚକ୍ରବ୍ୟୁହକୁ କିଭଳି ଭେଦିବେ ଅଭିମନ୍ୟୁ ତାହା ଉପରେ ସମସ୍ତଙ୍କ ନଜର ।

ସେପଟେ ବିଜେଡି ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳ ମଧ୍ୟ ରାଜନୀତି ଦୁନିଆରେ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି । ବିଜେଡି ସୁପ୍ରିମୋ ମହିଳା କାର୍ଡ଼ କଥା ରଖି ମଞ୍ଜୁଲତାଙ୍କୁ ଭଦ୍ରକ ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିଛନ୍ତି । ତେବେ ମଞ୍ଜୁଲତା ରାଜନୀତିରେ ନୂଆ ଥିଲେ ମଧ୍ୟ ତାଙ୍କ ସ୍ୱାମୀ ତଥା ଧାନମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ସମର୍ଥନରେ ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ପ୍ରସ୍ତୁତି ଚଳାଇଥିବା ସ୍ଥାନୀୟ ‘ଶଙ୍ଖ’ ଶିବିରରେ ଶୁଣିବାକୁ ମିଳୁଛି ।

ସେହିପରି କଂଗ୍ରେସ ମଧ୍ୟ ଉଭୟ ବିଜେଡି ଓ ବିଜେପି ରଣନୀତିକୁ ପାଥେୟ କରି ନୂଆ ମୁହଁକୁ ଭରସିଛି । ଆଉ ବରିଷ୍ଠ କଂଗ୍ରେସ ନେତା ଅନନ୍ତ ସେଠୀଙ୍କ ଝିଅ ମଧୁମିତା ସେଠୀଙ୍କୁ ଏହି ସଂସଦୀୟ କ୍ଷେତ୍ର ପାଇଁ ହାଇକମାଣ୍ଡ ବାଛିଛନ୍ତି । ତେବେ ବାପାଙ୍କ ରାଜନୈତିକ ଶୈଳୀକୁ ଅନୁକରଣ କରି ବିଜେପି ଓ ବିଜେଡିକୁ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ ରହିଛନ୍ତି ମଧୁମିତା । ତେବେ ଭଦ୍ରକ ଆସନରେ ଏବେ ତିନି ଦଳରୁ ୩ ନୂଆ ମୁହଁଙ୍କ ମଧ୍ୟରେ କଡ଼ା ମୁକାବିଲା ହେବାକୁ ଥିବାବେଳେ କିଏ କାହା ଉପରେ ଭଦ୍ରକରେ ଭାରି ପଡ଼ିବ ତାହାକୁ ନେଇ ଭଦ୍ରକ ରାଜନୀତି ସରଗରମ ହୋଇଛି ।