ବୈତରଣୀକୁ ଭରସା ବାଉଁଶ ପୋଲ ! ଭଦ୍ରକରୁ ଯାଜପୁର ଯିବାପାଇଁ ଅସ୍ଥାୟୀ ବାଉଁଶ ପୋଲ ସାଜିଛି ସଂପର୍କର ସେତୁ

143

କନକ ବ୍ୟୁରୋ : ନଦୀ ପାର ହେବା ପାଇଁ ନାହିଁ ସ୍ଥାୟୀ ପୋଲ । ବର୍ଷ ବର୍ଷ ଧରି ବିପଦସଂକୁଳ ଅବସ୍ଥାରେ ନଦୀ ପାର ହେଉଛନ୍ତି ଗାଁଲୋକ । ପ୍ରଥମେ ଡଙ୍ଗା ଯୋଗେ ନଦୀ ପାର ହେଉଥିଲେ । ଏବେ ନିଜ ଉଦ୍ୟମରେ ତିଆରି କରିଛନ୍ତି ବାଉଁଶ ପୋଲ । ଯାଜପୁର ଓ ଭଦ୍ରକ ଜିଲାର ସୀମାନ୍ତରେ ଥିବା ଦତ୍ତପୁର-ବେତାଳି ଗାଁର ଲୋକେ ଦୀର୍ଘ ଦିନ ଧରି ଅସୁବିଧା ଭୋଗୁଥିଲେ । ବର୍ଷ ବର୍ଷ ଧରି ପୋଲରେ ଗ୍ରାମବାସୀ ପାର ହେଉଥିଲେ ହେଁ ସମସ୍ୟାର ସମାଧାନ ଆଜିବି ହୋଇପାରିନି ।


ବୈତରଣୀ ନଦୀ ପାର ହେବା ପାଇଁ ବାଉଁଶ ପୋଲ ଭରସା । ବାଉଁଶ ପୋଲ ଯାଜପୁରକୁ ଭଦ୍ରକ ସହ ଯୋଡୁଛି । ବିଂଝାରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦତ୍ତପୁର ଗାଁ ବୈତରଣୀ ନଦୀ ପାର ହେବା ପାଇଁ ନାହିଁ କୌଣସି ସ୍ଥାୟୀ ସେତୁ । ଫଳରେ ଲୋକେ ବାଉଁଶ ପୋଲରେ ନଦୀ ପାର ହେଉଛନ୍ତି । ପୂର୍ବରୁ ନଦୀ ପାର ହେବା ପାଇଁ ଡଙ୍ଗା ବ୍ୟବହାର କରୁଥିବା ବେଳେ ଏବେ ଗାଁଲୋକେ ତିଆରି କରିଛନ୍ତି ଏହି ଅସ୍ଥାୟୀ ବାଉଁଶ ପୋଲ । ବୈତରଣୀ ନଦୀର ଉଭୟ ପଟେ ଥିବା ଭଦ୍ରକ ଓ ଯାଜପୁରର କିଛି ଅଂଚଳ ପରସ୍ପର ଉପରେ ନିର୍ଭରଶୀଳ ।

ସମସ୍ୟା ସମ୍ପର୍କରେ ସ୍ଥାନୀୟ ଲୋକେ ଅନେକ ଥର ପ୍ରଶାସନ ଠାରୁ ରାଜ୍ୟ ସରକାରଙ୍କୁ ଅବଗତ କରିଛନ୍ତି । ତେବେ କୌଣସି ପଦକ୍ଷେପ ନିଆ ନଯିବା କାରଣରୁ ନିଜ ଉଦ୍ୟମରେ ଅସ୍ଥାୟୀ ବାଉଁଶ ପୋଲ ନିର୍ମାଣ କରିଛନ୍ତି । ବାରମ୍ବାର ଦାବୀ ପରେ ବି ପୋଲ ନିର୍ମାଣ ହେଉନଥିବାରୁ ଗ୍ରାମାବସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସେପଟେ ଏହି ପୋଲର ଭିତିପ୍ରସ୍ତର ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ଆସନ୍ତା ୧୯ ତାରିଖରେ ଆସିବେ ବୋଲି ବିଂଝାରପୁର ବିଧାୟିକା ସୂଚନା ଦେଇଛନ୍ତି । ଏଠାରେ ସ୍ଥାୟୀ ପୋଲ ନିର୍ମାଣ ପାଇଁ ମିଳିଥିବା ପ୍ରତିଶୃତି କେବେ ପୂରଣ ହେବ ତାହାରି ଉପରେ ସମସ୍ତଙ୍କ ନଜର ରହିଛି ।