ସଂସାର ଭାଙ୍ଗିଲା ସନ୍ଦେହି ଏସଏମଏସ୍ ! ସ୍ତ୍ରୀକୁ ଘରୁ ତଡିଦେଲେ ସ୍ୱାମୀ

20

ଭଦ୍ରକ : ମୋବାଇଲରେ ଅଜଣା ନମ୍ବରରୁ ମେସେଜ୍ ଆସିଲା । କିନ୍ତୁ ଭାଙ୍ଗି ଦେଇଗଲା ଗୋଟିଏ ନୂଆ ସଂସାରକୁ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ବିବାଦ ଦେଖାଦେଲା । ଆଉ ବିବାହର ମାତ୍ର ୧୦ ଦିନ ପରେ ସ୍ତ୍ରୀକୁ ଘରୁ ବାହାର କରିଦେଲେ ସ୍ୱାମୀ । ଦୀର୍ଘ ଦେଢ ବର୍ଷ ହେଲା ନ୍ୟାୟ ଅପେକ୍ଷାରେ ପତ୍ନୀ । ଏଭଳି ଘଟଣା ଘଟିଛି ଭଦ୍ରକରେ ।

ସୂଚନା ଅନୁସାରେ ଭଦ୍ରକ ସାମରାଇପୁରର ପ୍ରଭାତୀଙ୍କ ଅଣ୍ଡେଇପଲିର ସୌମ୍ୟକାନ୍ତଙ୍କୁ ବିବାହ କରିଥିଲେ । ମାତ୍ର ବିବାହର ୧୦ ଦିନ ପରେ ସ୍ୱାମୀଙ୍କ ମୋବାଇଲକୁ ଆସିଥିବା ଏକ ମେସେଜ୍ ତାଙ୍କ ଜୀବନରେ ଆଣିଲା ଝଡ । ସ୍ତ୍ରୀ ନାଁରେ ଆସିଥିବା ଅଶ୍ଳୀଳ ମେସେଜକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ବିବାଦ । ତାପରେ ପତ୍ନୀକୁ ଘରୁ ବାହାର କରିଦେଲେ ଦେବଗଡ ଏସପି ଅଫିସରେ କିରାଣୀ ଥିବା ସୌମ୍ୟକାନ୍ତ ।

ଦୀର୍ଘ ଦେଢ ବର୍ଷ ହେଲାଣି ସମାଧାନ ଆଶାରେ ବସିଛନ୍ତି ପ୍ରଭାତୀ । ପ୍ରଥମେ ଭଦ୍ରକ ଗ୍ରାମାଂଚଳ ଥାନାରେ ସମାଧାନ ପାଇଁ ଦୀର୍ଘ ୩ ମାସ ଦଉଡି ପରେ ଏବେ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ପ୍ରଭାତୀ । ତିନି ଦିନ ମଧ୍ୟରେ କୌଣସି ସମାଧାନ ବାଟ ନବାହାରିଲେ ଆମରଣ ଅନଶନ କରିବେ ବୋଲି ସେ ଚେତାବନୀ ଦେଇଛନ୍ତି ।