ଭଦ୍ରକ-କଟକ-ପାରାଦ୍ୱୀପ ପାସେଞ୍ଜର ପ୍ରତ୍ୟେକ ଦିନ ବିଳମ୍ବରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ନେଇ ତେଜୁଛି ଅସନ୍ତୋଷ : ରେଳମନ୍ତ୍ରୀଙ୍କୁ ସମାଧାନ ପାଇଁ ଚିଠି ଲେଖିଲେ ସ୍ଥାନୀୟ ଲୋକ

91

କନକ ବ୍ୟୁରୋ : ଭାରତୀୟ ରେଳ କହିଲେ ସମସ୍ତେ ସାଧାରଣ ଭାବରେ ଦୃଷ୍ଟି ଦିଅନ୍ତି । କାରଣ ରେଳରେ ପ୍ରତ୍ୟେକ ଦିନ ଅନ୍ୟୁନ ଅଢେଇ କୋଟି ଲୋକ ଯାଅଆସ କରନ୍ତି । ତେବେ ଭାରତରେ ଯେତେ ପରିମାଣରେ ଲୋକ ଯାତାୟତ କରନ୍ତି ସାରା ବିଶ୍ୱରେ ଅନ୍ୟ କୈାଣସି ସ୍ଥାନରେ ଯାଉନଥିବା ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଯେତେ ଅଥିକ ଲୋକ ଯାତ୍ରା କରନ୍ତି ସେତିକି ପରିମାଣରେ ଲୋକମାନେ ମଧ୍ୟ ଅଭିଯୋଗ କରନ୍ତ ଯେ, ପ୍ରତ୍ୟେକ ଦିନ ଟ୍ରେନ ବିଳମ୍ବରେ ପହଞ୍ଚେ । ଏହା କେବଳ ଆମ ରାଜ୍ୟ ଓଡିଶାର କଥା ନୁହେଁ ବରଂ ସାରା ଦେଶର ସମସ୍ୟା । କେନ୍ଦ୍ର ସରକାର ଦେଶରେ ଜାପାନ ସହାୟତାରେ ବୁଲେଟ ଟ୍ରେନ ଚଳାଇବା ଲାଗି ସ୍ୱପ୍ନ ଦେଖୁଛନ୍ତି । କିନ୍ତୁ ରେଳରେ ଯାତ୍ରା କରୁଥିବା ଲୋକମାନଙ୍କର ଅନେକ ଅଭିଯୋଗ ରହିଛି ସାଧାରଣ ଟ୍ରେନ୍ ଗୁଡ଼ିକ ଘଣ୍ଟା ଘଣ୍ଟା ଧରି ବିଳମ୍ବରେ ଚାଲୁଛି । ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ଭଦ୍ରକ-କଟକ-ପାରାଦ୍ୱୀପ ପାସେଞ୍ଜର ଟ୍ରେନ୍ ସମୟ ସାରଣୀ। କେବଳ ଏହା ନୁହେଁ ଓଡିଶାରେ ଚଳାଚଳ କରୁଥିବା ଅନେକ ଟ୍ରେନ ଏପରି ଭାବରେ ଚଳାଚଳ କରୁଥିବା ଜଣାପଡିଛି । ଯେପରି ନୂଆଦିଲ୍ଲୀରୁ ଆସୁଥୁବା ଟ୍ରେନ ଗୁଡିକ ଅନେକ ସମୟରେ ବିଳମ୍ବରେ ଆସୁଛି । ତାହାସହ ପୁରୀ-ହାଉଡା ଶ୍ରୀଜଗନ୍ନାଥ ଏକ୍ସେପ୍ରେସ ପୁରୀରୁ ସଠିକ ସମୟରେ ବାହାରୁ ଥିଲେ ମଧ୍ୟ ଅନେକ ସମୟରେ ତାହା ଡେରିରେ ପହଞ୍ଚେ । ଏପରି ଭାବରେ ଅନେକ ସୁପରଫାଷ୍ଟ ଟ୍ରେନ ବିଳମ୍ବରେ ଚାଲୁଛି ।

 

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ , ପାସେଞ୍ଜର ଟ୍ରେନରେ ଅନେକ ଲୋକ ନିର୍ଭର କରନ୍ତି । ତେବେ ଭଦ୍ରକ-କଟକ-ପାରାଦ୍ୱୀପ ପାସେଞ୍ଜର ଉପରେ ଶହଶହ ଗ୍ରାମୀଣ ଅଞ୍ଚଳର ଲୋକେ ନିର୍ଭର କରୁଥିବା ବେଳେ ଟ୍ରେନଟି କଟକ ଷ୍ଟେସନରେ ସନ୍ଧ୍ୟା ୭ଟାରେ ପହଞ୍ଚିବା ନେଇ ରେଳବାଇ ସମୟ ସାରଣୀରେ ଉଲ୍ଲେଖ ରହିଛି। କିନ୍ତୁ ନିତିଦିନ ଏହି ଟ୍ରେନଟି ଘଣ୍ଟା ଘଣ୍ଟା ବିଳମ୍ବରେ ପହଞ୍ଚୁଛି। ଏନେଇ ବାରମ୍ବାର କଟକ ଷ୍ଟେସନ ମ୍ୟାନେଜରଙ୍କ ନିକଟରେ ଅବଗତ କରିବା ଦ୍ୱାରା ମଧ୍ୟ କୌଣସି ସନ୍ତୋଷ ଜନକ ଉତ୍ତର ମିଳିପାରୁ ନାହିଁ। କିନ୍ତୁ ଏହି ପାସେଞ୍ଜର ଟ୍ରେନ୍ ସମସ୍ତ ସମୟ ପୂର୍ବତଟ ରେଳପଥ, ଖୋର୍ଦ୍ଧା ଡିଭିଜନର ପାରାଦୀପ କଣ୍ଟ୍ରୋଲରଙ୍କ ହାତରେ ରହିଛି ବୋଲି ଜଣାପଡ଼ିଛି।

 

ଏହି ପାସେଞ୍ଜର ଟ୍ରେନ୍ ଉପରେ କଟକ ଓ ଜଗତସିଂହପୁର ଜିଲ୍ଲାର ଗ୍ରାମାଞ୍ଚଳ ଅଞ୍ଚଳର ଶହ ଶହ ଲୋକ ନିର୍ଭରଶୀଳ। ପ୍ରତ୍ୟେକ ଦିନ କାର୍ଯ୍ୟ କରୁଥିବା ଅନେକ ମହିଳା ଓ ଯୁବତୀ ମଧ୍ୟ କଟକରୁ ଘରକୁ ଫେରିବା ପାଇଁ ଏହି ଟ୍ରେନ୍ ଉପରେ ନିର୍ଭର କରିଥାନ୍ତି। ଟ୍ରେନଟି ନିତିଦିନ ଘଣ୍ଟାଏ,ଦୁଇଘଣ୍ଟାରୁ ନେଇ ଦିନେ ଦିନେ ରାତି ୧୧ଟା ୧୨ଟା ବେଳେ ମଧ୍ୟ ଆସୁଥିବା ଅଭିଯୋଗ ହୋଇଛି। ତେଣୁ ଟ୍ରେନ୍ ନମ୍ବର ୫୮୪୦୧ କଟକ-ପାରାଦୀପ ଏବଂ ଟ୍ରେନ ନମ୍ବର ୫୮୪୩୫ ଭଦ୍ରକ-କଟକ ପାସେଞ୍ଜର ଟ୍ରେନକୁ ନିର୍ଦ୍ଧାରିତ ସମୟାନୁସାରେ ପରିଚାଳିତ କରିବା ପାଇଁ ସାଧାରଣରେ ଦାବି ହୋଇଛି।

 

ଏନେଇ କେନ୍ଦ୍ର ରେଳବାଇ ମନ୍ତ୍ରୀ ପୀୟୂଷ ଗୋଏଲ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ଅବଗତ କରାଯାଇଛି। ସେପଟେ, ପୂର୍ବତଟ ରେଳପଥର ଖୋର୍ଦ୍ଧା ଡିଭିଜନ ଡିଆରଏମକୁ ମଧ୍ୟ ଏନେଇ ଲିଖିତ ଅଭିଯୋଗ କରାଯାଇଛି। କଟକ-ପାରାଦୀପ ପାସେଞ୍ଜର ଟ୍ରେନ୍ ଉପରେ ନିର୍ଭରଶୀଳ ସମସ୍ତ ଯାତ୍ରୀଙ୍କ ସୁବିଧା ନିମନ୍ତେ ଟ୍ରେନ୍ ଚଳାଚଳ ସ୍ୱାଭାବିକ କରିବାକୁ ରେଳବାଇ ନିକଟରେ ଦାବି ହୋଇଛି। ଏହି ଟ୍ରେନକୁ କାହିଁକୁ ସବୁବେଳେ ଡେରି କରାଯାଉଛି ତାହାର ତଦନ୍ତ କରିବା ସହ ଯଦି ଜାଣିଶୁଣି ଏହାକୁ ବିଳମ୍ବ କରାଯାଉଛି ତେବେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଜନସାଧାରଣ ଦାବୀ କରିଛନ୍ତି ।