ଶାନ୍ତି ଅପେକ୍ଷାରେ ସହର ! ଜଳିବା ପରେ ଶାନ୍ତ ପଡିଲା ଭଦ୍ରକ

21

କନକ ବ୍ୟୁରୋ : ଭଦ୍ରକରେ ସ୍ୱାଭାବିକ ହେଉଛି ସ୍ଥିତି । ଅଶାନ୍ତ ସହରରେ ସଂପୂର୍ଣ୍ଣ ଶାନ୍ତି ଫେରାଇ ଆଣିବାକୁ ଯୁଦ୍ଧକାଳୀନ ଭିତିରେ କାର୍ଯ୍ୟକ୍ରମ ଚଳାଇଛି ପ୍ରଶାସନ । ୩୫ ପ୍ଲାଟୁନ ପୋଲିସ ଫୋର୍ସ ସହ ୨ କମ୍ପାନି ସିଆରପିଏଫ ଓ ୨ କମ୍ପାନି ରାପିଡ ଆକ୍ସନ ଫୋର୍ସଙ୍କୁ ମୁତୟନ କରାଯାଇଛି । ପ୍ରଶାସନର ପ୍ରୟାସରେ ସହଯୋଗ କରୁଛନ୍ତି ସହରବାସୀ । ସେଥିପାଇଁ ଆଜି ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଥିଲା ।
ଆଉ ଏହାରି ଭିତରେ ନିଜନିଜର ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣିବାକୁ ବାହାରକୁ ବାହାରିଥିଲେ ଲୋକେ । ପରିବା ଓ ରାସନ ଦୋକାନରେ ଲାଗିଥିଲା ଭିଡ । ଅତ୍ୟାବଶ୍ୟକ ସାମଗ୍ରୀ ଯେଭଳି ଲୋକଙ୍କ ପାଖରେ ପହଂଚି ପାରିବ ସେଥିପାଇଁ ମଧ୍ୟ ପ୍ରଶାସନ ଉଦ୍ୟମ ଜାରି ରଖିଛି । କଳାବଜାରୀ ରୋକିବାକୁ ମଧ୍ୟ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି । ବ୍ୟାଙ୍କ, ଔଷଧ ଦୋକାନ ଓ ହସ୍ପିଟାଲ ଭଳି ଜରୁରିକାଳୀନ ସେବାକୁ କର୍ଫ୍ୟୁରୁ ବାଦ ଦିଆଯାଇଛି । ଆସନ୍ତାକାଲିଠାରୁ ଶିକ୍ଷାନୁଷ୍ଠାନ ଓ ସରକାରା କାର୍ଯ୍ୟାଳୟ ଖୋଲିବ ବୋଲି କହିଛନ୍ତି ଭଦ୍ରକ ଜିଲ୍ଲାପାଳ ।

କଡା ପୋଲିସ ସୁରକ୍ଷା ସତ୍ୱେ ଅସାମାଜିକ ତତ୍ୱ ସହରର ଶାନ୍ତି ଭଙ୍ଗ କରିବାକୁ ସେମାନଙ୍କ ପ୍ରୟାସ ଜାରି ରଖିଛନ୍ତି । ଆଜି ସକାଳୁ ପୁଣି ବନ୍ତ ଛକରେ ଦୁଇଟି ଦେକାନରେ ନିଆଁ ଲଗାଇ ଦେଇଥିଲେ ଦୁର୍ବୃତ । ତେବେ ସଙ୍ଗସଙ୍ଗେ ନିଆଁକୁ ଆୟତ କରିଥିଲା ଦମକଳ ବାହିନୀ । ସେହିପରି ନିଆଁ ଲଗାଇଥିବା ଜଣେ ଯୁବକଙ୍କୁ ମଧ୍ୟ ତୁରନ୍ତ ଗିରଫ କରିନେଇଥିଲା ପୋଲିସ । ଭଦ୍ରକ ଦଙ୍ଗା ଘଟଣାରେ ମୋଟ ୭୦ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି ।

ପୋଲିସ ଡିଜି, ଆଇନ ଶୃଙ୍ଖଳା ଅତିରିକ୍ତ ଡିଜିଙ୍କ ସମେତ ଭଦ୍ରକରେ ପୂର୍ବରୁ ଏସପି ରହିସାରିଥିବା ବରିଷ୍ଠ ଅଧିକାରୀମାନେ ଭଦ୍ରକ ସ୍ଥିତି ଉପରେ ସତର୍କ ନଜର ରଖିଛନ୍ତି ।

ସେହିପରି ବନ୍ତ, ତିହିଡି, ବାସୁଦେବପୁର, ଚାନ୍ଦବାଲି ଓ ଧାମନଗର ଆଦି ଅତି ସମ୍ବେଦନଶୀଳ ଅଂଚଳରେ କେନ୍ଦ୍ରୀୟ ଫୋର୍ସଙ୍କୁ ମୁତୟନ କରାଯାଇଛି । ଶାନ୍ତି ଫେରାଇ ଆଣିବାକୁ ବିଭିନ୍ନ ସଂଗଠନ ମୁଖ୍ୟଙ୍କ ସହ ଚର୍ଚ୍ଚା ଜାରି ରଖିଛି ପ୍ରଶାସନ । ଏବଂ ହିଂସା ପାଇଁ ମୁଖ୍ୟତଃ ଦାୟୀ ସୋସିଆଲ ମିଡିଆକୁ ୪୮ ଘଂଟା ପାଇଁ ବ୍ୟାନ କରାଯାଇଛି । ଭଦ୍ରକ ଓ ଏହାର ଆଖପାଖ ଅଂଚଳରେ ଇଂଟରନେଟକୁ ସଂପୂର୍ଣ୍ଣ ବନ୍ଦ କରିଦିଆଯିବା ସହ ସୋସିଆଲ ମିଡିଆରେ ଉତେଜନା ସୃଷ୍ଟିକାରୀ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଅନୁସନ୍ଧାନ ଆରମ୍ଭ କରିଛି କ୍ରାଇମବ୍ରାଂଚର ସାଇବର ସେଲ ।

କାଁ ଭାଁ ହିଂସାକୁ ଛାଡିଦେଲେ ମୋଟାମୋଟି ସ୍ୱାଭାବିକ ରହିଛି ଭଦ୍ରକର ସ୍ଥିତି । ପୋଲିସ ଓ ପ୍ରଶାସନର ସହଯୋଗରେ ସହରରେ ଖୁବଶୀଘ୍ର ଶାନ୍ତି ଫେରିଆସିବା ଅନୁମାନ କରାଯାଉଛି ।