ଅସାଧୁଙ୍କ ହାତରେ ପ୍ରଧାନମନ୍ତ୍ରୀ ସଡକ ଯୋଜନା ! ଅଧାରେ ଲଟକିଛି ଭଦ୍ରକ ଚାନ୍ଦବାଲି ବ୍ଲକର ଦୋସିଙ୍ଗା ଓରାମାଳ ରାସ୍ତା

50

କନକ ବ୍ୟୁରୋ : ଅସାଧୁଙ୍କ ହାତେ ବନ୍ଧାପଡ଼ିଛି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା । ଗମନାଗମନ ସୁବିଧା ପାଇଁ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । ହେଲେ ବିଭାଗୀୟ ଅଧିକାରୀଙ୍କ ମୁନାଫାଖୋର ମନୋବୃତି ପାଇଁ ସରକାରଙ୍କ ଏସବୁ ଯୋଜନା ବାଟବଣା ହେବାକୁ ବସିଛି । କେଉଁଠି ନିମ୍ନମାନର କାମ କରି ଅର୍ଥ ଠକିନେଉଛି ଠିକାଦାର ତ, ଆଉ କେଉଁଠି ଅବଧି ସରିବା ପର୍ଯ୍ୟନ୍ତ ମାତ୍ର ଶତକଡା ୧୦ଭାଗ କାର୍ଯ୍ୟ ଶେଷ ହେଉନି । ଏମିତି ଏକ ଅଧା ପନ୍ତରିଆ ହୋଇ ପଡିରହିଥିବା କାର୍ଯ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଧାମରା ଦୋସିଙ୍ଗା ପଂଚାୟତରେ ।

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ଦୋସିଙ୍ଗା ଠାରୁ ଓରାମାଳ ରାସ୍ତା । ଏହି ୪କିମି ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ମଞ୍ଜୁର ହୋଇଛି ୨କୋଟି ୬୫ଲକ୍ଷ ୮୪ହଜାର ୩୩ଟଙ୍କା । ୨୦୧୫ ମସିହାରୁ ଫଳକ ଲଗାଯାଇ ଶୁଭାରମ୍ଭ କରାଯାଇଥିଲା । ଏହା ଭିତରେ କାର୍ଯ୍ୟସାରିବା ପାଇଁ ଅବଧି ମଧ୍ୟ ଶେଷ ହୋଇଛି । ହେଲେ ଏପର୍ଯ୍ୟନ୍ତ ମାତ୍ର ୧୦ ପ୍ରତିଶତ କାର୍ଯ୍ୟ ହୋଇଛି । ଅଧିକାଂଶ ସ୍ଥାନରେ କେବଳ ମାଟି ପକାଯାଇ ଥିବାବେଳେ ଆଉ କେତେକ ସ୍ଥାନରେ ମୋରମ ପକାଇ ଛୁ ମାରିଛି ଠିକାଦାର । ଅସରାଏ ବର୍ଷା ହେଲେ ରାସ୍ତାରେ ଆଣ୍ଠୁଏ କାଦୁଅ । ଯାତାୟତ ଏକ ପ୍ରକାର ଠପ୍ ହୋଇଯାଉଛି । ଅଦିନିଆ ବର୍ଷାରେ ରାସ୍ତାରେ ପାଣି ଜମା ହେଇ ଯାଉଛି । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ଦେଖାଦେଇଛି ।

ଭଦ୍ରକ ଜିଲ୍ଲାର ସର୍ବ ବୃହତ ପ୍ରକଳ୍ପ ଧମାରା ବନ୍ଦର କମ୍ପାନୀ ହୋଇଥିବା ବେଳେ ଏଠିକାର ଜମିର ମୂଲ୍ୟ ହୁ ହୁ ହୋଇ ବଢ଼ିଚାଲିଛି । ଏପରିସ୍ଥଳରେ ରାସ୍ତା ଖଣ୍ଡେପାଇଁ ଲୋକେ ନିଜ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ଜମି ମଧ୍ୟ ଯୋଗାଇ ଦେଇଛନ୍ତି । କିନ୍ତୁ ଠିକାଦାରଙ୍କ ମୁନାଫାଖୋର ମନୋଭାବ ଯୋଗୁଁ ନିର୍ମାଣାଧିନ ନିମ୍ନମାନର ରାସ୍ତା ଏବେ ଖଣ୍ଡଖଣ୍ଡ ହୋଇ ଭାଙ୍ଗିଯାଇଛି । ଫଳରେ ଲୋକେ ଯା-ଆସ ପାଇଁ ବହୁ ଅସୁବିଧାରେ ପଡ଼ୁଛନ୍ତି । ଏସମ୍ପର୍କରେ ଚାନ୍ଦବାଲି ଆର.ଡ଼ି ଜୁନିୟର ଇଂଜିନିୟର କହିଛନ୍ତି ଏହି ରାସ୍ତାକାର୍ଯ୍ୟ କରୁଥିବା ଠିକାଦରଙ୍କୁ ୩ ଥର ନୋଟିସ କରାଯାଇଛି । ହେଲେ ସେ ଏହାର ଉତ୍ତର ଦେଇ ନାହାଁନ୍ତି । ଅଳ୍ପଦିନ ମଧ୍ୟରେ କିଛି ଉତ୍ତର ନଆସିଲେ ପୁଣି ଟେଣ୍ଡର କରାଯାଇ କାର୍ଯ୍ୟ ପୂର୍ଣ୍ଣାଙ୍ଗ କରାଯିବ ।