ତାତି ବଢାଉଛି ଭଦ୍ରକ ରାଜନୀତି । ହ୍ୟାଟ୍ରିକ୍ ମାରିବାକୁ ବିଜେଡି କଲବଲ, କାହା ମୁଣ୍ଡରେ ଶିରିପା ପାଇଁ ବାଛିବେ ବିଜେପି-କଂଗ୍ରେସ ?

488

କନକ ବ୍ୟୁରୋ: ସାଧାରଣ ନିର୍ବାଚନ ନେଇ ତାରିଖ ଘୋଷଣା ପରେ ରାଜ୍ୟ ରାଜନୀତି ସରଗରମ । ଏପ୍ରିଲ ୨୯ ତାରିଖରେ ହେବାକୁଥିବା ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ଓଡ଼ିଶାର ୬ଟି ଲୋକସଭା ଓ ଏହା ଅଧିନରେ ଥିବା ୪୨ଟି ବିଧାନସଭା କ୍ଷେତ୍ରରେ ହେବ ମତଦାନ । ସେଥି ମଧ୍ୟରେ ରହିଛି ଭଦ୍ରକ ଜିଲ୍ଲା ସଂସଦୀୟ କ୍ଷେତ୍ରର ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀ । ଯାହାକୁ ନେଇ ଏଠାରେ ଏବେ ରାଜନୈତିକ ଛକାପଞ୍ଝା ଦେଖିବାକୁ ମିଳିଛି । ଉଭୟ ବିଜେଡି ଓ ବିଜେପି ଏହି ଆସନକୁ ନିଜ ଦଖଲକୁ ନେବାକୁ ଅଣ୍ଟା ଭିଡିଛନ୍ତି ।

ଜିଲ୍ଲା ସଦର ମହକୁମାରେ ଏଇ ନିର୍ବାଚନ ମଣ୍ଡଳୀ ହୋଇଥିବାରୁ ଏହା ଉପରେ ଉପରେ ସବୁ ରାଜନୈତିକ ଦଳର ଆଖି । ଗତ ୨୦୦୯ ଓ ୨୦୧୪ ନିର୍ବାଚନ ବେଳେ ଏଇ ଆସନରେ ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକ ବିଜେଡି ଦଳରୁ ଟିକଟ ପାଇ ଦୁଇ ଦୁଇଥର ବିଧାୟକ ହୋଇଛନ୍ତି । ଗତ ୨୦୧୪ ନିର୍ବାଚନରେ ଭଦ୍ରକ ଆସନରୁ ଯୁଗଳ ବାବୁ ବିଜେଡି ଦଳରୁ ତାଙ୍କର ଦ୍ବିତୀୟ ଇନିଂସ ଆରମ୍ଭ କରିଥିଲେ । ଏବଂ ୮୦ ହଜାର ୩୩୩ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ । ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସର ନରେନ ପଲେଇ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ବିଜେପି ପ୍ରାର୍ଥୀ ଡା. ପ୍ରଦୀପ ନାୟକ ତୃତୀୟ ସ୍ଥାନରେ ରହିଥିଲେ ।

ବିଜେଡି ପାଇଁ ଏଠାରୁ କିଏ ପ୍ରାର୍ଥୀ ହେବ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି । କାରଣ ଲଗାତର ଦୁଇଥର ବିଧାୟକ ହୋଇ ବିଜେଡି ଦଳରେ ଯୁଗଳ ନିଜର ସ୍ଥିତି ଜାହିର କରିଥିବା ବେଳେ ଏବେ ତାଙ୍କର ବୟସାଧିକ କାରଣରୁ ସେ ଆଉ ପ୍ରତ୍ୟକ୍ଷ ରାଜନୀତିକୁ ଆସିବେ ନାହିଁ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ତେବେ ଯୁଗଳଙ୍କ ସ୍ଥାନରେ ଆସନ୍ତା ୨୯ ତାରିଖରେ ହେବାକୁଥିବା ଶେଷ ପର୍ଯ୍ୟାୟ ନିର୍ବାଚନରେ ଦଳରୁ ତାଙ୍କ ପୁତ୍ର ତଥା ଜିଲ୍ଲା ବିଜେଡିର ଉପସଭାପତି ଅସିତ ପଟ୍ଟନାୟକଙ୍କ ନାମକୁ ନେଇ ଅଧିକ ଚର୍ଚ୍ଚା ହେଉଛି । ଅସିତଙ୍କ ବ୍ୟତୀତ ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ଜଗନ୍ନାଥ ସ୍ବାଇଁ, ଯୁବନେତା ସଂଜୀବ ମଲ୍ଲିକଙ୍କ ନାମକୁ ନେଇ ଚର୍ଚ୍ଚା ହେଉଛି । ତେବେ ବିଜେଡି ସୁପ୍ରିମୋ ଏଯାବତ୍ ଭଦ୍ରକ ବିଧାନସଭା କ୍ଷେତ୍ରରୁ କାହାକୁ ଟିକଟ ମିଳିବ କିଛି ସଂକେତ ଦେଇ ନାହାନ୍ତି ।

ଅନ୍ୟପଟେ କଂଗ୍ରେସ ତରଫରୁ କିଏ ଭଦ୍ରକ ବିଧାନସଭା କ୍ଷେତ୍ରର ପ୍ରାର୍ଥୀ ହେବ ତାହା ଆସନ୍ତା ୧୭ ତାରିଖ ମଧ୍ୟରେ ପ୍ରକାଶ କରାଯିବ ବୋଲି କଂଗ୍ରେସ ଶିବିରରୁ ଶୁଣିବାକୁ ମିଳୁଛି । ଏପରିକ୍ଷେତ୍ରରେ କଂଗ୍ରେସରେ ଚର୍ଚ୍ଚାରେ ଅଛନ୍ତି ଜିଲ୍ଲା କାର୍ଯ୍ୟକାରୀ ସଭାପତି ନଳିନୀକାନ୍ତ ମହାନ୍ତି ଓ ପୂର୍ବତନ ବିଧାୟକ ନରେନ ପଲେଇ । ଏଇ ଦୁଇନେତାଙ୍କ ମଧ୍ୟରୁ କଂଗ୍ରେସର କେନ୍ଦ୍ରୀୟ ଟିମ୍ କାହା ନାମରେ ମୋହର ମାରିବେ ତାହାକୁ ନେଇ ଦ୍ୱନ୍ଦରେ ଉଭୟଙ୍କ ସମର୍ଥକ ।

ସେହିପରି ବିଜେପିରୁ ପ୍ରଦୀପ ନାୟକ, ରାଜୀବ ମହାନ୍ତି, ତୁଷାର ଜେନା ଓ ମନସ୍ମିତା ଖୁଣ୍ଟିଆଙ୍କ ନାମ ଚର୍ଚ୍ଚାରେ ରହିଥିବା ବେଳେ ବିଜେପି ପକ୍ଷରୁ ମଧ୍ୟ କାହାକୁ ଟିକଟ ମିଳିବ ସ୍ପଷ୍ଟ ହୋଇନାହିଁ । ଭଦ୍ରକ ସଦର ବିଧାନସଭା କ୍ଷେତ୍ର ଜିଲ୍ଲା ରାଜନୀତିର ପ୍ରମୁଖ କେନ୍ଦ୍ରସ୍ଥଳ ହୋଇଥିବା ବେଳେ ଏଇ ଆସନରୁ ସବୁ ଦଳ ମନ୍ତ୍ରଣା କରି ଭାବିଚିନ୍ତି ପ୍ରାର୍ଥୀ ଚୟନ କରିବେ ବୋଲି ଆଲୋଚନା ହେଉଛି ।