ଅନଲାଇନରେ ବର ଖୋଜିବାକୁ ଯାଇ ଠକି ଗଲେ ଯୁବତୀ ! ଲଣ୍ଡନରେ ଡାକ୍ତର ଥିବା କହି ୧୨ଲକ୍ଷ ଟଙ୍କା ଠକି ନେଇଗଲେ ଠକ ଯୁବକ

29

କନକ ବ୍ୟୁରୋ : ମ୍ୟାଟ୍ରିମୋନିଆଲ ସାଇଟରେ ଠକି ଦେଲା ଜୀବନସାଥୀ । ପ୍ରଥମେ ମ୍ୟାଟ୍ରିମୋନିଆଲ୍ ସାଇଟରେ ବିବାହ ନିବେଦନ ପରେ ହ୍ୱାଟ୍ସଆପରେ କଥାବାର୍ତା ଶେଷରେ ନେଇଗଲା ୧୨ଲକ୍ଷ ଟଙ୍କା ।ରାଜଧାନୀରେ ଶୈଳଶ୍ରୀ ବିହାରର ରହୁଥିବା ଜଣେ ଯୁବତୀଙ୍କୁ ଜୀବନସାଥୀ ଡଟକମ୍ ୱେବସାଇଟରେ ବିବାହ ନିବେଦନ କରିଥିଲେ ଅର୍ଜୁନ ପ୍ରଦୀପ । ଆଉ ସାତଜନମ ପାଇଁ ଜୀବନସାଥୀ ହେବାର ସ୍ୱପ୍ନ ଦେଖାଇ ତାଙ୍କଠାରୁ ଲୁଟି ନେଇଛନ୍ତି ଲକ୍ଷ ଲକ୍ଷ ଟଙ୍କା ।

ଦୁଇ ମାସ ତଳେ ଲଣ୍ଡନରେ ଡାକ୍ତରୀ ଚାକିରୀ କରୁଥିବା କହି ପ୍ରଦୀପ ବିବାହ ନିବେଦନ କରିଥିଲେ । ଧିରେ ଧିରେ ହ୍ୱାଟ୍ସଆପରେ ଆରମ୍ଭ  ହେଲା କଥାବାର୍ତା । ଦୁଇମାସର ସମ୍ପର୍କ ଭିତରେ ଭାବ ଦିଆନିଆ ବି ଚାଲିଲା । କିନ୍ତୁ ଭିତରେ ଭିତରେ ଅର୍ଜୁନ ରଚିଥିଲେ ଠକେଇର ମାଷ୍ଟର ପ୍ଲାନ । କୈାଣସି କାମରେ ଅଫଗାନିସ୍ଥାନ ଯିବାର ବାହାନା କରିଥିଲେ ଅର୍ଜୁନ । ଆଉ ଟଙ୍କା ଅଭାବ ଥିବା କହି ଯୁବତୀଙ୍କୁ ମାଗିଥିଲେ ଟଙ୍କା ।

ଖାଲି ଟଙ୍କା ମାଗି ନଥିଲେ ପ୍ରତିବଦଳରେ ସେହି ମୂଲ୍ୟର ଡଲାର ଯୁବତୀଙ୍କୁ ପଠାଇବେ ବୋଲି ପ୍ରତିଶ୍ରୁତି ବି ଦେଇଥିଲେ । ଏମିତିକି ଯୁବତୀଙ୍କ କହିବା କଥା ଦିଲ୍ଲୀ ବିମାନବନ୍ଦରରୁ ଜଣେ କଲ କରି କହିଥିଲେ ଯେ ଲଣ୍ଡନରୁ ଏକ ପ୍ୟାକେଟ ଯୁବତୀଙ୍କ ପାଇଁ ଆସିଛି । ଆଉ ଯୁବତୀ ବି ନିଶ୍ଚିତ ହୋଇଗଲେ ଯେ ଲଣ୍ଡନରୁ ପ୍ରେମୀକ ଅର୍ଜୁନ ପ୍ରଦୀପ ପଠାଇଛନ୍ତି ଡଲାର ।

ତାପରେ ବିଭିନ୍ନ କିସ୍ତିରେ ଅର୍ଜୁନ କହିଥିବା ଭିନ୍ନ ଭିନ୍ନ ଆକାଉଂଟରେ ଯୁବତୀ ଜମା କରିଦେଇଥିଲେ ଟଙ୍କା ।ହେଲେ ଏବେ କିନ୍ତୁ ଦିଲ୍ଲୀରୁ ଯେଉଁ ନମ୍ବରରୁ କଲ ଆସିଥିଲା ନା ସେ ନମ୍ବର ଲାଗୁଛି ନା ଆସୁଛି ଅର୍ଜୁନଙ୍କ ଡଲାର ଭର୍ତି ପ୍ୟାକେଟ । ଏନେଇ ଏବେ କ୍ରାଇମବ୍ରାଂଚର ସାଇବର ସେଲରେ ଅଭିଯୋଗ କରିଛନ୍ତି ଯୁବତୀ ।