ଭାରତ ସରକାର ପ୍ରକାଶ କଲେ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟର ତାଲିକା ! ଆଇଆଇଟି ଚେନ୍ନାଇ ସବୁଠାରୁ ଭଲ ଇଂଜିନିୟରିଂ କଲେଜ, ସ୍ଥାନ ପାଇଲାନି ବାଣୀବିହାର

49

କନକ ବ୍ୟୁରୋ : କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟ ଜାରି କରିଛି ଦେଶର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକା । ତେବେ ଟପ୍ ୧୦୦ ତାଲିକାରେ ସ୍ଥାନ ପାଇନାହିଁ ଓଡିଶାର ପୁରାତନ ଶିକ୍ଷାନୁଷ୍ଠାନ ଉତ୍କଳ ବିଶ୍ୱବିଦ୍ୟାଳୟ । କିନ୍ତୁ ପ୍ରଥମ ଶହେ ବିଶ୍ୱବିଦ୍ୟାଳୟରେ ସ୍ଥାନ ପାଇଛନ୍ତି ଭୁବନେଶ୍ୱର ସ୍ଥିତ ଦୁଇଟି ଘରୋଇ ବିଶ୍ୱବିଦ୍ୟାଳୟ । ୨୪ତମ ସ୍ଥାନରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ରହିଥିବା ବେଳେ କିଟ୍ ବିଶ୍ୱବିଦ୍ୟାଳୟ ୪୨ ତମ ସ୍ଥାନରେ ରହିଛି । ଏହା ସହ ୯୧ତମ ସ୍ଥାନରେ ରହିଛି ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ । ଅନ୍ୟପଟେ ସାମଗ୍ରିକ ତାଲିକାରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ୩୮ତମ ସ୍ଥାନରେ ରହିଥିବା ବେଳେ କିଟ୍ ବିଶ୍ୱବିଦ୍ୟାଳୟ ଜାତୀୟ ସ୍ତରରେ ୬୫ ତମ ସ୍ଥାନରେ ରହିଛି ।

ଏହା ସହ ଏହି ତାଲିକାରେ ଓଡିଶାରେ ସ୍ଥିତ ଦୁଇଟି ଜାତୀୟ ଅନୁଷ୍ଠାନ ଶ୍ରେଷ୍ଠ ଶହେ ତାଲିକାରେ ସ୍ଥାନ ପାଇଛି । ରାଉରକେଲା ସ୍ଥିତ ଜାତୀୟ ବୈଷୟିକ ପ୍ରତିଷ୍ଠାନ-ଏନଆଇଟି ୪୨ ତମ ସ୍ଥାନରେ ରହିଥିବା ବେଳେ ଭୁବନେଶ୍ୱର ଆଇଆଇଟି ୫୧ ତମ ସ୍ଥାନରେ ରହିଛି । ବିଶ୍ୱବିଦ୍ୟାଳୟ ତାଲିକାର ଶୀର୍ଷରେ ବେଙ୍ଗାଲୁରୁ ସ୍ଥିତ ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ- ଆଇଆଇଏସ ଶୀର୍ଷରେ ରହିଛି । ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ- ଜେଏନୟୁ, ଦିଲ୍ଲୀ । ଅନ୍ୟପଟେ ସାମଗ୍ରିକ ତାଲିକାର ଶୀର୍ଷରେ ମଧ୍ୟ ରହିଛି ବେଙ୍ଗାଲୁରୁ ସ୍ଥିତ ଆଇଆଇଏସ । ଏହି ତାଲିକାର ଦ୍ୱିତୀୟରେ ରହିଛି ମାଡ୍ରାସ ଆଇଆଇଟି, ତୃତୀୟ ସ୍ଥାନରେ ରହିଛି ବମ୍ବେ ଆଇଆଇଟି ।