ଦମଦାର ପ୍ରଦର୍ଶନ ଦେଖାଇଲେ କାଦମ୍ବି ଶ୍ରୀକାନ୍ତ: ଫ୍ରେଂଚ ଓପନ ସୁପର ସିରିଜ ଟ୍ରଫି ହାତେଇଲା ଭାରତ

45

କନକ ବ୍ୟୁରୋ : ଭାରତୀୟ ବ୍ୟାଡମିଂଟନ ତାରକା କାଦମ୍ବି ଶ୍ରୀକାନ୍ତ ନିଜର ଦମଦାର ପ୍ରଦର୍ଶନ ଦେଖାଇ ଫ୍ରେଂଚ ଓପନ ସୁପର ସିରିଜ ଟ୍ରଫି ବିଜେତି ହୋଇଛନ୍ତି । ପ୍ରଥମ ଭାରତୀୟ ଭାବେ ଗୋଟିଏ ବର୍ଷରେ ୪ଟି ସୁପର ସିରିଜ ଜିତିଛନ୍ତି ଶ୍ରୀକାନ୍ତ । ରବିବାର ଖେଳାଯାଇଥିବା ଫାଇନାଲରେ ଶ୍ରୀକାନ୍ତ ମାତ୍ର ୩୫ମିନିଟ ମଧ୍ୟରେ ସିଧାସଳଖ ୨୧-୧୪, ୨୧-୧୩ ଗେମରେ ଜାପାନ ପ୍ରତିଦ୍ୱନ୍ଦୀ କେଂଟା ନିଶିମୋତୋଙ୍କୁ ପରାସ୍ତ କରିଛନ୍ତି । ଏଥିସହିତ ପୂର୍ବରୁ ଡେନମାର୍କ, ଇଣ୍ଡୋନେସିଆ ଏବଂ ଅଷ୍ଟ୍ରେଲିଆ ଓପନ ଜିତିଥିବା ଶ୍ରୀକାନ୍ତ ରବିବାର ଫ୍ରେଂଚ ଓପନ ଜିତି ଚଳିତ ବର୍ଷ ନିଜର ଚତୁର୍ଥ ସୁପର ସିରିଜ ଟ୍ରଫି ଜିତିଛନ୍ତି । ଏହା ଶ୍ରୀକାନ୍ତଙ୍କ ମୋଟ ଷଷ୍ଠ ସିରିଜ ଟ୍ରଫି ।

ଭାରତୀୟ ପୁରୁଷ ଖେଳାଳି ଭାବେ ସେ ପ୍ରଥମ ଥର ପାଇଁ ଫ୍ରେଂଚ ଓପନ ଟ୍ରଫି ଜିତିବାର ଗୌରବ ପାଇଥିଲେ । ଗତ ସପ୍ତାହରେ ଡେନମାର୍କ ଓପନ ଟ୍ରଫି ଜିତିଥିବା ଶ୍ରୀକାନ୍ତ ପ୍ରଥମ ଭାରତୀୟ ଭାବେ ଗୋଟିଏ ବର୍ଷରେ ୪ସୁପର ସିରିଜ ଟ୍ରଫି ଜିତିବାର କୀର୍ତିମାନ ନିଜ ନାମରେ କରିଛନ୍ତି । ଏହା ପୂର୍ବରୁ କେବଳ ବିଶ୍ୱର ଅନ୍ୟ ୩ପୁରୁଷ ଖେଳାଳି ୪ବା ତାଠାରୁ ଅଧିକ ସୁପର ସିରିଜ ବିଜେତା ହୋଇଥିଲେ । ଫ୍ରେଂଚ ଓପନ ଟ୍ରଫି ଜିତି ଶ୍ରୀକାନ୍ତ ଏହି କ୍ଳବରେ ସାମିଲ ହୋଇଛନ୍ତି ।