ଶ୍ରେଷ୍ଠ ଜିଲ୍ଲାପାଳଙ୍କ ନାଁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ : ମୟୁରଭଂଜ, ନବରଙ୍ଗପୁର ଏବଂ ଖୋର୍ଦ୍ଧା ଆଗରେ

21

ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ଶ୍ରେଷ୍ଠ ଜିଲ୍ଲାପାଳଙ୍କ ନାମ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଜିଲ୍ଲାପାଳ ସମ୍ମିଳନୀରେ ୩ ଟି ଜିଲ୍ଲାପାଳଙ୍କୁ ପୁରସ୍କୃତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାର୍ଯ୍ୟ ସଂପାଦନ ପାଇଁ ମୟୁରଭଂଜ ଜିଲ୍ଲାପାଳ ରାଜେଶ ପ୍ରଭାକର ପାଟିଲ, ନବରଙ୍ଗପୁର ଜିଲ୍ଲାପାଳ ରଶ୍ମିତା ପଣ୍ଡା ଏବଂ ଖୋର୍ଦ୍ଧା ଜିଲ୍ଲାପାଳ ନିରଂଜନ ସାହୁ ପୁରସ୍କୃତ ହୋଇଛନ୍ତି । ଦକ୍ଷତାରେ ମୟୁରଭଂଜ ଜିଲ୍ଲାପାଳ ପ୍ରଥମ ହୋଇଥିବା ବେଳେ ନବରଙ୍ଗପୁର ଓ ଖୋର୍ଦ୍ଧା ଜିଲ୍ଲାପାଳ ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି । ଭଲ ଯୋଜନା କାର୍ଯ୍ୟକାରୀ କରିଥିବା ୭ ଜଣ ଜିଲ୍ଲାପାଳ ପୁରସ୍କାର ପାଇଁ ରେସରେ ରହିଥିବାବେଳେ , ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ପୁରସ୍କୃତ କରାଯାଇଛି ।

ଚକ୍ଷୁର ଯତ୍ନ ପାଇଁ ଭଲ କାମ କରିଥିବାରୁ ଖୋର୍ଦ୍ଧା ଜିଲ୍ଲାକୁ ୧୦ ଲକ୍ଷ, ନବରଙ୍ଗପୁର ଜିଲ୍ଲାକୁ ଅନ୍ଧବିଶ୍ୱାସ ଦୂର କରିବା କ୍ଷେତ୍ରରେ ସଫଳତା ପାଇଁ ୧୫ ଲକ୍ଷ ଟଙ୍କା , ଏବଂ ଫୁଡ ପ୍ରୋସେସିଂ ୟୁନିଟରେ ଭଲ କାମ ପାଇଁ ମୟୁରଭଂଜ ଜିଲ୍ଲାକୁ ୨୫ ଲକ୍ଷ ଟଙ୍କା ପୁରସ୍କାର ଦିଆଯାଇଛି । ମୟୁରଭଂଜ ଜିଲ୍ଲାରେ ଫଳ ଚାଷୀଙ୍କ କଂପାନୀ ଗଠନ କରି ୪ଶହ ଚାଷୀଙ୍କ ଆୟ ବଢାଇବାରେ ସକ୍ଷମ ହୋଇଛନ୍ତିି ଜିଲ୍ଲାପାଳ । ସେହିପରି ନବରଙ୍ଗପୁର ଜିଲ୍ଲାରେ ଜ୍ୟୋତି ଅଭିଯାନ ଜରିଆରେ ୪ ହଜାର ୪ ଶହ ୩୦ ଦିଶାରିଙ୍କୁ ଚେଂକର ଭୟାଭୟତା ସଂପର୍କରେ ସଚେତନତା ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତି ଜିଲ୍ଲାପାଳ । ଖୋର୍ଦ୍ଧା ଜିଲ୍ଲାରେ ଦୃଷ୍ଟିହୀନଙ୍କୁ ଦୃଷ୍ଟି ଶକ୍ତି ଫେରାଇବା ପାଇଁ ଚକ୍ଷୁଦାନ ଯୋଜନାର ସଫଳ ରୂପାୟନ ପାଇଁ ଜିଲ୍ଲାପାଳ ପୁରସ୍କୃତ ହୋଇଛନ୍ତି ।