ମୃତ୍ୟୁର ଟ୍ରକ୍ ! ଖ୍ରୀଷ୍ଟମାସ ମାର୍କେଟରେ ରକ୍ତଛିଟା

20

ବିଶ୍ୱ ଦରବାରରେ ଚାଂଚଲ୍ୟ । ଦୁଇଟି ଘଟଣାକୁ ନେଇ ଏବେ ସବୁଠି ଚର୍ଚ୍ଚା । ଗୋଟିଏ ପଟେ ବର୍ଲିନରେ ବଡଦିନ ପାଇଁ ଜମିଥିବା ଭିଡ ଉପରେ ମାଡିଯାଇଛି ଏକ ଦ୍ରୁତଗାମୀ ଟ୍ରକ । ଆରପଟେ ତୁର୍କୀରେ କ୍ୟାମେରା ଆଗରେ ରୁଷ ରଷ୍ଟ୍ରଦୂତଙ୍କୁ ଗୁଳିମାଡ କରି ହତ୍ୟା କରିଛି ଜଣେ ପୁଲିସ୍ କର୍ମଚାରୀ ।

ସୋମବାର ରାତିରେ ଜର୍ମାନୀର ରାଜଧାନୀରେ ଘଟିଛି ଏଭଳି ଏକ ଲୋମହର୍ଷଣକାରୀ ଘଟଣା । ବଡଦିନ ପାଇଁ ଚଳଚଂଚଳ ଥିଲା କାଇସର ଉଇଲହେମ୍ ମେମୋରିଆଲ ଚର୍ଚ୍ଚ । ବାହାରେ ଜମିଥିଲା ପର୍ଯ୍ୟଟକଙ୍କ ଭିଡ । ହଠାତ୍ ଭିଡ ଉପରକୁ ଦ୍ରୁତଗତିରେ ମାଡି ଆସିଲା ଟ୍ରକ । ଗୋଟିଏ ମହୂର୍ତରେ ବହୁଲୋକଙ୍କୁ ଦଳି ଦେଇଗଲା । ମିଳିଥିବା ସୂଚନା ଅନୁସାରେ, ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୫୦ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା କୁହାଯାଉଛି । ଟ୍ରକ ଚାଳକକୁ ପୁଲିସ୍ ଗିରଫ କରିଥିବା ବେଳେ ଟ୍ରକରେ ଥିବା ଅନ୍ୟଜଣେ ବ୍ୟକ୍ତିର ମୃତଦେହ ଉଦ୍ଧାର କରାଯାଇଛି ।

ଗିରଫ ସଂଦିଗ୍ଧ ଚାଳକ ଜଣେ ୨୩ ବର୍ଷିୟ ପାକିସ୍ତାନୀ ଯୁବକ ଏବଂ ଗତ ଫେବୃଆରୀରୁ ସେ ଜର୍ମାନୀରେ ରହିଥିବା ପ୍ରାଥମିକ ସୂଚନା ପାଇଛି ବର୍ଲିନ ପୁଲିସ୍ । ଏହି ଘଟଣା ଗତ ଜୁଲାଇ ମାସରେ ନିସ୍ ସହରରେ ହୋଇଥିବା ଟ୍ରକ ଦୁର୍ଘଟଣାର ସ୍ମୃତିକୁ ତାଜା କରିଛି । ଆତସବାଜି ଦେଖୁଥିବା ବେଳେ ଭିଡ ଉପରେ ଦ୍ରୁତଗତିରେ ମାଡିଯାଇ ଏହି ଦୁର୍ଘଟଣା ଘଟାଇଥିଲା । ଏଥିରେ ୮୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୦୦ ଜଣ ଆହତ ହୋଇଥିଲେ । ପରେ ଏହି ଘଟଣାର ଦୋଷ ମୁଣ୍ଡାଇଥିଲା ଆଇଏସଆଇଏସ । ବର୍ଲିନରେ ଘଟିଥିବା ଏହି ଅଘଟଣ ପଛରେ ମଧ୍ୟ ଆତଙ୍କବାଦୀଙ୍କ ହାତ ଥିବା ସନ୍ଦେହ କରାଯାଉଛି ।

ଆରପଟେ ତୁର୍କୀରେ ଘଟିଛି ଲୋମହର୍ଷଣକାରୀ ହତ୍ୟାକାଣ୍ଡ । କ୍ୟାମେରା ସମ୍ମୁଖରେ ଗୁଳି କରି ହତ୍ୟା । ଭାଷଣ ଦେଉଥିବା ରୁଷ ରାଷ୍ଟ୍ରଦୂଙ୍କୁ ଗୁଳିମାଡ । ତୁର୍କୀ ରାଜଧାନୀ ଅଙ୍କାରାରେ ରୁଷ ରାଷ୍ଟ୍ରଦୂତ ଆନ୍ଦ୍ରେ କାଲରୋଭ ଏକ ଚିତ୍ର ପ୍ରଦର୍ଶନୀରେ ଭାଷଣ ଦେଉଥିବା ବେଳେ ଆତତାୟୀ ଚଳାଇଥିଲା ଗୁଳି । ଫଳରେ ଘଟଣାସ୍ଥଳରେ ଟଳିପଡିଥିଲେ କାଲରୋଭ । ଗୁଳି ଚଳାଇଥିବା ଯୁବକ ଜଣକ ହେଉଛନ୍ତି, ତୁର୍କୀର ଜଣେ ୨୨ବର୍ଷୀୟ ପୁଲିସ କର୍ମଚାରୀ ମେଭଲୁଭ ମେର୍ତେ ।

ଅଲପ୍ପୋ ଓ ସିରିୟାକୁ ନଭୁଲିବା ପାଇଁ ଆକ୍ରମଣକାରୀ ଜଣକ ଚିତ୍କାର କରି କହୁଥିଲେ । ପୁଲିସର ପ୍ରତିଆକ୍ରମଣରେ ପ୍ରାଣ ହରାଇଛନ୍ତି ଆକ୍ରମଣକାରୀ । ଏହାସହ ଘଟଣାର ତଦନ୍ତ କରୁଛି ପୁଲିସ୍ । ସିରିୟାରେ ଚାଲିଥିବା ଗୃହ ଯୁଦ୍ଧକୁ ନେଇ ସିରିୟାକୁ ରୁଷ ସମର୍ଥନ ଜଣାଇବା ପ୍ରତିବାଦରେ ତୁର୍କୀରେ ବିରୋଧ ପ୍ରଦର୍ଶନ କରାଯାଉଛି । ଏହା ତାହାର ଏକ ପ୍ରତିଫଳନ ବୋଲି କୁହାଯାଉଛି ।