ପଂଚାୟତ ଉପନିର୍ବାଚନ ପାଇଁ ଖଲ୍ଲିକୋଟରେ ଭୋଟରଙ୍କୁ ଭଣ୍ଡାଉଛନ୍ତି ନେତା : ଭୋଟ ପାଇବା ପାଇଁ ବାଂଟୁଛନ୍ତି ନକଲି ବାର୍ଦ୍ଧକ୍ୟ ଭତ୍ତା ଓ ରାସନକାର୍ଡ

41

କନକ ବ୍ୟୁରୋ :  ନିର୍ବାଚନ ପୂର୍ବରୁ ଭୋଟ୍ ପାଇଁ ଚାଲେ ଏସବୁ କସରତ । ହେଲେ ହିତାଧିକାରୀଙ୍କ ହାତରେ ଥିବା ଏହି କାର୍ଡ ସବୁ ନକଲି । ଅର୍ଥାତ୍ ଜାଲ୍ ରାସନ କାର୍ଡ ଆଉ ଜାଲ୍ ବାର୍ଦ୍ଧକ୍ୟ ଭତ୍ତା କାର୍ଡ । କାର୍ଡରେ ପ୍ରଶାସନିକ ଅଧିକାରୀଙ୍କ ଦସ୍ତଖତ ନାହିଁ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ପଂଚାୟତ ଉପନିର୍ବାଚନ ପୂର୍ବରୁ ନିର୍ଦ୍ଦିଷ୍ଟ ପାର୍ଥୀଙ୍କୁ ଭୋଟ୍ ଦେବା ପାଇଁ ଲୋକଙ୍କୁ ବଂଟାଯାଇଛି ଏସବୁ ଜାଲ୍ କାର୍ଡ । ଆଉ କାର୍ଡ ଜାଲ୍ ବୋଲି ଜାଣିବା ପରେ ବିଡିଓଙ୍କ ପାଖରେ ଫେରାଦ ହୋଇଛନ୍ତି ହିତାଧିକାରୀ ।

ଗଂଜାମ ଜିଲ୍ଲା ଖଲିକୋଟ ବ୍ଲକ୍ର ଖୋଜାପଲ୍ଲୀ । ଦିନକ ପରେ ଏଠାରେ ପଂଚାୟତ ଉପନିର୍ବାଚନ । ଏଥିପାଇଁ ସରଗରମ ଗାଁ ରାଜନୀତି । ଭୋଟରଙ୍କୁ ନିଜ ଆଡକୁ ଆଣିବାକୁ ସବୁ ଉଦ୍ୟମ କରୁଛନ୍ତି ଆଶାୟୀ ପ୍ରାର୍ଥୀ । ଆଉ ଏଭଳି ସ୍ଥିତିରେ ଲୋକଙ୍କୁ ଭୁଆଁ ବୁଲାଇ ସେମାନଙ୍କ ହାତରେ ଧରାଇଦିଆଯାଇଛି ଜାଲ୍ କାର୍ଡ । ବଦଳରେ ଦାବି କରିଛନ୍ତି ଭୋଟ୍ । ଏହା ପଛରେ ସ୍ଥାନୀୟ ଲୋକପ୍ରତିନିଧିଙ୍କ ହାତ ଥିବା ଅଭିଯୋଗ ହୋଇଛି।
ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କୁ ଭୋଟ୍ ନଦେଲେ ଗ୍ରାମବାସୀଙ୍କୁ ମାଡ ମାରିବାର ଧମକ ବି ଦିଆଯାଇଛି । ଏନେଇ ଆଶାୟୀପ୍ରାର୍ଥୀଙ୍କ ସମର୍ଥକଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଛି । ଉପନିର୍ବାଚନକୁ ଆଉ ଗୋଟିଏ ଦିନ ବାକିଥିବା ବେଳେ ଗାଁରେ ଜାଲ୍ କାର୍ଡ ବଂଟାଯିବାକୁ ନେଇ ଉତ୍ତେଜନା ଲାଗି ରହିଛି ।