କନକ ବ୍ୟୁରୋ : ଦିବାଲୋକରେ କାଉନସିଲରଙ୍କୁ ହତ୍ୟା ଘଟଣାର ତନାଘନା । ହତ୍ୟାକାରୀଙ୍କୁ କାବୁ କରିବା ପାଇଁ ଗଂଜାମ ପୁଲିସର ଖାନ ତଲାସ । ଗଂଜାମ ଜିଲ୍ଲା ଛତ୍ରପୁର ୬ ନମ୍ବର ୱାର୍ଡରରେ କାଉନସିଲରଙ୍କ ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି ।  ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ପୁଲିସ ମହାନିର୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା । ହତ୍ୟାକାରୀଙ୍କୁ ଧରିବା ପାଇଁ ଗଂଜାମ ପୁଲିସର ୩ଟି ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରୁଥିବା ଡିଜିପି କହିଛନ୍ତି । ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି । ଏଥିସହ ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଜିପି ଆରପି ଶର୍ମା କହିଛନ୍ତି । ତେବେ ଲକ୍ଷ୍ମୀଦତ୍ତଙ୍କ ହତ୍ୟାକାଣ୍ଡ ପଛରେ ରାଜନୈତିକ ଶତ୍ରୁତା ଥିବା ଚର୍ଚ୍ଚା ହେଉଥିବା ବେଳେ ପଲିଟିକାଲ ଲିଙ୍କ ନେଇ ପୁଲିସ ତଦନ୍ତ କରିବ ନା ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି ।

ସେପଟେ ଛତ୍ରପୁର ୬ ନମ୍ବର ୱାର୍ଡର କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ହତ୍ୟାକାଣ୍ଡ ପାଇଁ ବିଜେପିକୁ ଦାୟୀ କରିଛି ବିଜେଡି । ନିକଟରେ ବିଜେପିରେ ସାମିଲ ହୋଇଥିବା ସିପିଆଇ କର୍ମୀ ବିଜେପି ନେତାଙ୍କ ଇସାରାରେ ଏଭଳି ଜଘନ୍ୟ ହତ୍ୟାକାଣ୍ଡ କରିଛନ୍ତି । ରାଜନୈତିକ ଶତ୍ରୁତା ରଖି ବିଜେପି ଗଂଜାମରେ ଲୋକଙ୍କୁ ଆତଙ୍କିତ କରିବା ପାଇଁ ଏଭଳି କରିଥିବା କହିଛନ୍ତି ସୂର୍ଯ୍ୟ ପାତ୍ର ।

ଛତ୍ରପୁରରେ ବିଜେଡିର ଯୁବ ନେତାଙ୍କୁ ହତ୍ୟା ଘଟଣାରେ ଗଂଜାମ ପୁଲିସ ଘଟଣାର ଖୋଳତାଡ ଜାରି ରଖିଥିବା ବେଳେ, ଏହି ଜଘନ୍ୟ ହତ୍ୟାକାଣ୍ଡକୁ ନେଇ ବିଜେପି ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛି କଂଗ୍ରେସ । ବିରୋଧ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନିପତି କହିଛନ୍ତି ଯେଉଁ ଦୃର୍ବୁତମାନେ ଅତି ନିର୍ମମ ଭାବେ ମାରଣାସ୍ତ୍ରରେ ଲକ୍ଷ୍ମୀଦତ୍ତଙ୍କୁ ହତ୍ୟା କରିଛନ୍ତି ସେମାନେ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଜେପିରେ ମିଶିଥିଲେ । ଏ ତ ଗଲା ବିଜେପି ଆଡକୁ ବାଣ, ରାଜ୍ୟ ସରକାରଙ୍କୁ ବି ସେ ଏଥିପାଇଁ ଦାୟୀ କରିଛନ୍ତି । କହିଛନ୍ତି ବ୍ରହ୍ମପୁରରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି । ଦୃର୍ବୁତମାନେ ଜାମିନରେ ଆସି ଏଭଳି ହତ୍ୟାକାଣ୍ଡ କଲେ, ହେଲେ ପୋଲିସ କି ଗୋଇନ୍ଦା ବିଭାଗ କିଭଳି ଜାଣିପାରିଲେନି ବୋଲି ପ୍ରଶ୍ନ କରିଛନ୍ତି ତାରା । ଗଂଜାମ ଏସପି, ବିଜେଡିର କାମ କରୁଛନ୍ତି ବୋଲି ତାରା ଅଭିଯୋଗ କରିଛନ୍ତି । ସେପେଟ ଗଂଜାମ ହତ୍ୟାକାଣ୍ଡ ବିଜେଡି ଅନ୍ତଃକନ୍ଦଳର ପରିଣାମ ବୋଲି ବିଜେପି କହିଛି । ଏଥିପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ବିଜେପି ମୁଖପାତ୍ର ସଜ୍ଜନ ଶର୍ମା । ବିଜେଡି କାଉନସିଲରଙ୍କ ହତ୍ୟାକାଣ୍ଡରେ ବିଜେପିର କୌଣସି ସଂପୃକ୍ତି ନାହିଁ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସଜ୍ଜନ ଶର୍ମା ।

ସୂଚନା ଅନୁସାରରେ ପୂରା ହତ୍ୟାକାଣ୍ଡର ଟିକିନିକି ଭିଜୁଆଲକୁ କଏଦ କରିଛି ତାଙ୍କ ଘର ସାମ୍ନାରେ ଲାଗିଥିବା ସିସିଟିଭି । ଗତକାଲି ବିଜେଡି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କୁ କିଛି ଛାତ୍ର ନେତାଙ୍କ ସହ କଲେଜ ନିର୍ବାଚନ ସଂପର୍କରେ ଆଲୋଚନା କରୁଥିବା ବେଳେ ତାଙ୍କୁ ପାଖାପାଖି ୩୦ ଜଣ ଦୁର୍ବୃତ୍ତ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଧରି ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଆକ୍ରମଣ ପରେ ମୁର୍ମୂଷୁ ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ଏମକେସିଜି ହସପିଟାଲରେ ଭର୍ତି କରାଯାଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା ।