କନକ ବ୍ୟୁରୋ : ଦିନକୁ ଦିନ ବ୍ରହ୍ମପୁର ସହରରେ ପାଣିର ସମସ୍ୟା ବଢୁଛି । ସହରବାସୀ ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାତି ପାହିଗଲେ ଆରମ୍ଭ ହୋଇଯାଏ ପାଣି ପାଇଁ ସଂଘର୍ଷ । ସହରର କିଛି ଅଂଚଳର ଲୋକ ବହୁ ଦୂରରୁ ବାଇକ୍ ଓ ସାଇକେଲରେ ବୋହୁଛନ୍ତି ପିଇବା ପାଣି ।

ପାଣି ଗାଡ଼ି ସାହିକୁ ଆସିବା ପରେ ମହିଳାମାନେ ଗାଡ଼ି ପଛରେ ଦୌଡ଼ୁଛନ୍ତି । ଆଉ ଗାଡ଼ି ରହିଗଲେ ଆରମ୍ଭ ହୋଇଯାଉଛି ପ୍ରତିଯୋଗିତା । ପ୍ରତିଦିନ ରାତି ପାହିଲେ ସିଲିକ୍ ସିଟିରେ ଆରମ୍ଭ ହୋଇଯାଏ ପାଣି ପାଇଁ ସଂଘର୍ଷ । ବ୍ରହ୍ମପୁର ସହରର ଆଙ୍କୁଲି, ଲାଞ୍ଜିପଲ୍ଲି, ଗୋଷାଣିନୂଆଗାଁ, ବିଜୁପୁର ଭଳି ଅନେକ ସ୍ଥାନରେ ପାଣିର ସମସ୍ୟା ଲାଗି ରହିଛି । ସହରରେ ବିଛା ଯାଇଥିବା ପାଇପରେ ଆଣି ଆସୁନଥିବାରୁ ଲୋକେ ବାଇକ୍ , ସାଇକଲ ଓ ଅଟୋରେ ପାଣି ବୋହୁଥିବାର ଦେଖିବାକୁ ମିଳିଛି ।

ପ୍ରଶାସନ ପକ୍ଷରୁ ସହରରେ ଆବଶ୍ୟକତା ଠାରୁ କମ୍ ପାଣି ଯୋଗାଇ ଦିଆଯାଇଥିବାରୁ ଜଳ ସମସ୍ୟା ଦେଖାଦେଇଥିବା ସ୍ଥାନୀୟ ଲୋକ କହିଛନ୍ତି । ସେପଟେ ବିଭାଗୀୟ କର୍ତ୍ତୃପକ୍ଷ କହୁଛନ୍ତି ଜନ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ଟ୍ୟାଙ୍କର ଯୋଗେ ପିଇବା ପାଣି ଯୋଗାଇ ଦିଆଯାଉଛି । ବ୍ରହ୍ମପୁର ସହରରେ ବର୍ଷ ବର୍ଷ ଧରି ପାଣି ସମସ୍ୟା ଲାଗିରହିଛି । କିନ୍ତୁ ଏହାର ସ୍ଥାୟୀ ସମାଧାନ କରାଯାଉନାହିଁ ।