ବ୍ରହ୍ମପୁର ଗେଟି ବସ୍ତିରେ ଅଗ୍ନିକାଣ୍ଡ : ୬୦ ବଖରା ଘର ପୋଡି ପାଉଁଶ

30

କନକ ବ୍ୟୁରୋ :  ହୁ ହୁ ହୋଇ ଜଳିଗଲା ବ୍ରହ୍ମପୁରର ଗେଟା ବସ୍ତି । ନିମିଷକ ମଧ୍ୟରେ ସବୁ ଛାରଖାର କରିଦେଲା ନିଆଁ । ପୋଡି ପାଉଁଶ ହୋଇଗଲା ବସ୍ତିର ୬୦ ବଖରା ଘର । ପାଉଁଶ ଭିତରୁ ଚାଲିଛି ଜିନିଷ ଖୋଜା । ଦରପୋଡା କାଗଜ ସାଉଁଟୁଛନ୍ତି ବସ୍ତି ବାସିନ୍ଦା । ରାଜୀବ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ୬ମାସ ହେଲା ଟଙ୍କା ସଂଚୟ କରିଥିଲେ ଅପସରା ବେଗମ୍ । ହେଲେ ନିଆଁ ସବୁ ଜାଳିଦେଇଛି ।

ସମାନ ଅବସ୍ଥା ସାହିନ ନିଶାଙ୍କ ପରିବାରର । ୨୦ ବର୍ଷ ହେଲା ପରିବାର ନେଇ ସେ ଏହି ବସ୍ତିରେ ରହୁଥିଲେ । ସ୍ୱାମୀ ନଥିବାରୁ ପୁରା ପରିବାରର ବୋଝ ତାଙ୍କ ଉପରେ । ବଡ ଝିଅର ନିର୍ବନ୍ଧ ସରିଛି, ଆରମାସରେ ବାହାଘର । ଏଥିପାଇଁ ୩୦ ହଜାରରୁ ଅଧିକ ଟଙ୍କା ସଂଚୟ କରିଥିଲେ । ଯୌତୁକ ସାମଗ୍ରୀ ଓ ସୁନା ଗହଣା ବି କିଣା ସରିଥିଲା । ହେଲେ ଗତକାଲିର ନିଆଁ ସବୁ ପୋଡି ପାଉଁଶ କରିଦେଇଛି । କେବଳ ସାହିନ ଓ ଅପସରା ନୁହଁନ୍ତି, ବସ୍ତିର ୬୦ରୁ ଅଧିକ ପରିବାର ସର୍ବସ୍ୱ ହରାଇଛନ୍ତି । ଆଉ ପୋଡା ପାଉଁଶ ଭିତରୁ ଖୋଜୁଛନ୍ତି ସେମାନଙ୍କ ଜୀବନ ଯାକର ପୁଂଜି ।